ଭୁବନେଶ୍ବର: ବିଗତ ଗୋଟିଏ ଦଶନ୍ଧିରେ ଦେଶ ବିଦେଶରେ ଓଡ଼ିଶାର ଅନ୍ୟତମ ସ୍ବତନ୍ତ୍ର ପରିଚୟ ଭାବେ ଉଭା ହୋଇଥିଲା ଖେଳ। ଏସୀୟ ଦୌଡ଼କୁଦ ସହ କ୍ରମାଗତ ଦୁଇଟି ସଂସ୍କରଣ ହକି ବିଶ୍ବକପ୍ ଆୟୋଜନ କରି ଓଡ଼ିଶା ରହିଥିଲା ଚର୍ଚ୍ଚାରେ। ଏକାଧିକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରି ରାଜ୍ୟ ସରକାର ବି ସାଉଁଟିଥିଲେ ପ୍ରଶଂସା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପଦକ ଜିତି ଖେଳାଳି ମଧ୍ୟ ରାଜ୍ୟର ସୁନାମ ବଢ଼ାଉଥିଲେ। ପ୍ରତି ବଦଳରେ ସେମାନଙ୍କୁ ପ୍ରୋତ୍ସାହନ, ପୁରସ୍କାର, ନିଯୁକ୍ତି ବି ମିଳୁଥିଲା। ଯୁବ ଖେଳାଳି ଆକର୍ଷିତ ହୋଇ ଅଧିକରୁ ଅଧିକ ସଫଳତା ଆଣିବାକୁ ପ୍ରେରିତ ହେଉଥିଲେ। ଏହି ଧାରା କିନ୍ତୁ ଏବେ ଦିଗହରା ହେବାକୁ ବସିଛି ବୋଲି ରାଜ୍ୟ ଖେଳ ଦୁନିଆ ବିଶ୍ବାସ କରୁଛି। ରାଜ୍ୟର ଖେଳ ବିକାଶରେ ଯେଉଁମାନେ ବଡ଼ ଯୋଗଦାନ ରଖିଥିଲେ ସେହି ଖେଳାଳିମାନଙ୍କ କଥା ଆଉ ବୁଝିବାକୁ କେହି ନଥିବା ସନ୍ଦେହ କ୍ରମେ ଘନୀଭୂତ ହେଉଛି। ଫଳରେ ସମଗ୍ର ଭାବେ ଓଡ଼ିଶାର ପ୍ରଦର୍ଶନ ବି ପ୍ରଭାବିତ ହେଉଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପଦକ ଅମଳ ନିମ୍ନମୁଖା ହୋଇଛି। ଏସବୁରୁ ଅନ୍ୟତମ ପ୍ରମୁଖ କାରଣ ହେଉଛି ଖେଳାଳିଙ୍କୁ ଏକ ବର୍ଷରୁ ଊର୍ଧ୍ବ ହେଲାଣି ଆଉ ନୂଆ ସରକାରୀ ନିଯୁକ୍ତି କି ପଦୋନ୍ନତି ମିଳିନାହିଁ।
ବିଗତ ୧୪ ମାସ ଭିତରେ କୃତି ଖେଳାଳିମାନଙ୍କୁ ନୂଆ ନିଯୁକ୍ତି ଦିଆନଯିବା ପରୋକ୍ଷ ଭାବେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଖେଳାଳିମାନେ ଆଉ ଭଲ କରୁନାହାନ୍ତି ନା ନୂଆ ସରକାର କ୍ଷମତାକୁ ଆସିବା ପରେ ସଫଳ ଖେଳାଳିମାନଙ୍କୁ ନିଯୁକ୍ତି ଦେବା ସପକ୍ଷରେ ନାହାନ୍ତି। ୨୦୧୫ ମସିହାରୁ ସଫଳ ଖେଳାଳିମାନଙ୍କୁ ନିଯୁକ୍ତି ପ୍ରଦାନ ଧାରା ଆରମ୍ଭ ହୋଇଥିଲା। ଶେଷ ଥର ପାଇଁ କିନ୍ତୁ ୨୦୨୪ ମାର୍ଚ୍ଚ ମାସରେ ନିଯୁକ୍ତି ପର୍ବରେ ଖେଳାଳିଙ୍କୁ ନିଯୁକ୍ତି ମିଳିଥିଲା। ଏହା ପରଠାରୁ ଖେଳାଳିଙ୍କୁ ନୂଆ ନିଯୁକ୍ତି ମିଳୁନାହିଁ କି ହକ୍ଦାର ଥିବା ଉଚ୍ଚ ପ୍ରଦର୍ଶନକାରୀ ଖେଳାଳିଙ୍କୁ ପଦୋନ୍ନତି ମିଳୁନାହିଁ। ଖେଳାଳିଙ୍କୁ ଉତ୍ସାହିତ କରୁଥିବା ନିଯୁକ୍ତି ପ୍ରକ୍ରିୟାର ସାମ୍ପ୍ରତିକ ଗତି ଦେଖି ଖେଳାଳି ବି ଆଉ ଓଡ଼ିଶା ବ୍ୟବସ୍ଥା ଭିତରେ ରହିବା ସପକ୍ଷରେ ନାହାନ୍ତି। ଗତ ଜାତୀୟ କ୍ରୀଡ଼ା ଓ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବିଗତ ସଂସ୍କରଣ ତୁଳନାରେ ସାଂଘାତିକ ଭାବେ କମ୍ ପଦକ ଜିତିବା ନେଇ ଗତ ମେ’ ୧୮ ତାରିଖରେ ‘ସମ୍ବାଦ ରବିବାର’ ପୃଷ୍ଠାରେ ଏକ ବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରୁ ବି ସ୍ପଷ୍ଟ ପ୍ରତୀୟମାନ ହେଉଛି ଓଡ଼ିଶାର ଖେଳ ବିକାଶ ଗତି କେଉଁ ଦିଶାରେ ରହିଛି।
ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ରାଜ୍ୟର ଗୌରବ ବଢ଼ାଇଥିବା କିଛି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ଏବେ ଓଡ଼ିଶା ପୁଲିସରେ କନେଷ୍ଟବଳ ଭଳି ପଦରେ ରହିଛନ୍ତି। ଯାହାକି ସେମାନଙ୍କୁ ଅପମାନ ସଦୃଶ। ଏପରିକି ୧୦ ବର୍ଷ ଅତିକ୍ରମ ପରେ ମଧ୍ୟ ପଦୋନ୍ନତି ପାଇନାହାନ୍ତି। ଏମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଏସୀୟ ସ୍ବର୍ଣ୍ଣ ପଦକ ବିଜୟିନୀ କରାଟେକା ଅନୁପମା ସ୍ବାଇଁ। ଜାତୀୟ କରାଟେ କାଂସ୍ୟ ପଦକ ଜିତିବା ପରେ ତାଙ୍କୁ ୨୦୧୫ରେ କନେଷ୍ଟବଳ ନିଯୁକ୍ତି ମିଳିଥିଲା। ୨୦୧୭ରେ ସେ ଏସୀୟ ଶକ୍ତିଉତ୍ତୋଳନ ସ୍ବର୍ଣ୍ଣ ପଦକ ଜିତିବା ସହ ପଦୋନ୍ନତି ପାଇଁ ଆବେଦନ କରିଥିଲେ। ଗ୍ରୁପ୍ ‘ସି’ରୁ ଗ୍ରୁପ୍ ‘ଏ’ ପଦୋନ୍ନତି ପାଇବା ନେଇ ରହିଥିବା ସମସ୍ତ ପ୍ରତିବଂଧକ ଦୂର ହୋଇଥିଲେ ବି ତାଙ୍କୁ ଏହା ଅଦ୍ୟାବଧି ମିଳିପାରିନାହିଁ। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରସ୍ଥ ହୋଇ ବି କୌଣସି ସୁଫଳ ପାଇନାହାନ୍ତି। କ୍ରୀଡ଼ା ବିଭାଗ କି ଓଡ଼ିଶା ପୁଲିସ୍ ନୁହେଁ, ସାଧାରଣ ପ୍ରଶାସନ (ଜିଏ) ବିଭାଗର କାଳକ୍ଷେପଣ ନୀତି ଏବେ ଅନୁପମାଙ୍କ ଭଳି ଏକ ଡଜନେରୁ ଊର୍ଧ୍ବ ସଫଳ ଅନ୍ତର୍ଜାତୀୟ ଖେଳାଳିଙ୍କ ପଦୋନ୍ନତିକୁ ରୋକିବା ସହ ସେମାନଙ୍କୁ ଅପମାନିତ କରିଚାଲିଛି। ଏପରିକି ୨୦୨୨ ଓ ୨୦୨୪ରେ ଦୁଇ ଥର ତତ୍କାଳୀନ ଦୁଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଓ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିର ସୁପାରିସ ସତ୍ତ୍ବେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଏହି ଦୁଇ କମିଟି ଶକ୍ତିଉତ୍ତୋଳନ, ଫେନ୍ସିଂ, ସୁଟିଂ, ଆଇବିଏସ୍ଏ ବିଶ୍ବ କ୍ରୀଡ଼ା, ଟ୍ରାକ୍ ସାଇକ୍ଲିଂର ଏସୀୟ ପ୍ରତିଯୋଗିତାକୁ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମକକ୍ଷ ମାନ୍ୟତା ଦିଆଗଲା ବୋଲି ସୁପାରିସ୍ କରିଛନ୍ତି। ଅର୍ଥାତ ଉଚ୍ଚ ପଦ ପାଇଁ ଯୋଗ୍ୟଥିବା ଆବେଦନକାରୀ ୮ ଜଣଙ୍କୁ ତୁରନ୍ତ ନିଜ ନିଜ ବିଭାଗରେ ପଦୋନ୍ନତି ଦେବାକୁ କୁହାଯାଇଛି। ଅନୁପମାଙ୍କ ବ୍ୟତୀତ ବିଶ୍ବକପ୍ ବିଜେତା ଦୃଷ୍ଟିହୀନ କ୍ରିକେଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ, ଚିନ୍ମୟୀ ଭୂୟାଁ, ଅମରେନ୍ଦ୍ର ବେହେରା, ଦିଲେଶ୍ବର ରାଓ, ମହମ୍ମଦ ଜାଫର ଇକବାଲ୍, ଦୀପ୍ ରଂଜନ ବିଶୋୟୀ, ପ୍ରଫୁଲ୍ଲ ଖଣ୍ଡାୟତରାୟ ପ୍ରମୁଖ ଏହି ଆବେଦନ ତାଲିକାରେ ରହିଛନ୍ତି। ଜାଫର ବି ଜିଏ ବିଭାଗର ଏହି ଟାଳଟୁଳ ନୀତିକୁ ନାପସନ୍ଦ କରିଛନ୍ତି।