ଓଡ଼ିଶା ଓପନ୍ ପାଇଁ ଖେଳାଳି ପହଞ୍ଚିଲେ, କିଟ୍ ଓ କଟକରେ ହେଲା ଆରଟିପିସିଆର ଟେଷ୍ଟ୍

ଭୁବନେଶ୍ବର : ମଙ୍ଗଳବାରଠାରୁ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲାଗି ରବିବାର ଖେଳାଳି ପହଞ୍ଚିବା ଆରମ୍ଭ ହୋଇଛନ୍ତି। ବିଭିନ୍ନ ରାଜ୍ୟ ତଥା ଦେଶର ଏହି ତାରକା ଖେଳାଳିମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ଓମିକ୍ରନର ବର୍ଦ୍ଧିତ ମାତ୍ରା ଦୃଷ୍ଟିରୁ ଏହି ଅବସରରେ ସମସ୍ତ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ କରାଯାଇଛି। ଖେଳାଳିମାନେ ପହଞ୍ଚିଲା ପରେ ସେମାନଙ୍କ ପଞ୍ଜୀକରଣ କରାଯାଇଛି। ସେହିଭଳି ସମସ୍ତ ଖେଳାଳିଙ୍କର ପର୍ଯ୍ୟାୟକ୍ରମେ କିଟ୍ ଏବଂ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମ୍‌ଠାରେ ଆରଟିପିସିଆର ଟେଷ୍ଟ୍ କରାଯାଇଛି। ରବିବାର ୧୦୦ରୁ ଅଧିକ ଖେଳାଳି ଓଡ଼ିଶା ପହଞ୍ଚିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ସାରା ବିଶ୍ବର ୩୦୦ ବଛାବଛା ଖେଳାଳି ଭାଗନେବେ। ସ୍ଥାନୀୟ ତାରକା ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ପଣ୍ଡା ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବେ। ବିଡବ୍ଲ୍ୟୁଏଫ୍ ସୁପର ୧୦୦ ପ୍ରତିଯୋଗିତାର ମାନ୍ୟତା ଲାଭ କରିଥିବା ଏହି ପ୍ରତିଯୋଗିତାରେ ପି କାଶ୍ୟପ, ସୌରଭ ବର୍ମା, ଶୁଭଙ୍କର ଦେ, କାଲେ କୋଲିନନ୍ (ଫିନଲାଣ୍ଡ), ଚେମ୍ ଜୁନ୍ ୱେ (ମାଲେସିଆ), ସାଇନା ନେହୱାଲ, ଅଶ୍ବିନୀ ପୋନାପ୍ପା, ସିକି ରେଡ୍ଡୀ ପ୍ରମୁଖ ଖେଳାଳି ନିଜ ନିଜର ଯାଦୁ ଦେଖାଇବେ।

ସମ୍ବନ୍ଧିତ ଖବର