ସାଉଥମ୍ପଟନ୍: ଜୁନ୍ ୧୮ ତାରିଖରୁ ସାଉଥମ୍ପଟନର ଏଜେସ୍ ବାୱେଲଠାରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍କୁ ନେଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ବେଶ୍ ଉତ୍ସାହିତ ଅଛନ୍ତି। ବିରାଟ କୋହଲିଙ୍କ ଶକ୍ତିଶାଳୀ ସେନା ବିପକ୍ଷରେ ହେବାକୁ ଥିବା ଏହି ଲଢ଼େଇ ବେଶ୍ ରୋମାଞ୍ଚଭରା ଓ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ପ୍ରକାଶ କରି ସେ କହିଛନ୍ତି ଯେ ଭାରତ ବିପକ୍ଷରେ ଖେଳିବା ସବୁବେଳେ ନୂଆ ଆହ୍ବାନ ନେଇ ଆସିଥାଏ। ବିଜେତା ହେବାକୁ ଆମେ ପ୍ରାଣପଣେ ଚେଷ୍ଟା କରିବୁ। ଫାଇନାଲ୍ ଖେଳିବା ନେଇ ବ୍ୟକ୍ତିଗତ ଭାବେ ମୁଁ ବେଶ୍ ଉତ୍ସାହିତ ଅଛି। ଜିତିଲେ ଆହୁରି ଖୁସି ହେବି।
ଏହି ପ୍ରତୀକ୍ଷିତ ମ୍ୟାଚ୍ର ମଙ୍ଗଳବାର ଆରମ୍ଭ ହୋଇଥିବା ମାସିକିଆ ଅବଗଣନା ଉପଲକ୍ଷେ ଆଇସିସି ଟ୍ବିଟର ପୃଷ୍ଠାରେ ପ୍ରକାଶିତ ୱିଲିୟମସନ୍ଙ୍କ ଭିଡିଓ ବାର୍ତ୍ତାରେ ସେ ଆହୁରି କହିଛନ୍ତି ଯେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଟେଷ୍ଟ୍ କ୍ରିକେଟ୍ରେ ନୂଆ ମୋଡ଼ ଆଣିଛି। ଏଥିରେ ଖେଳାଯାଇଥିବା ଶୃଙ୍ଖଳାଗୁଡ଼ିକ ବେଶ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଥିଲା। ବିଶେଷ କରି ଭାରତ ଓ ଅଷ୍ଟ୍ରେଲିଆ ଶୃଙ୍ଖଳା ସହ ପାକିସ୍ତାନ ବିପକ୍ଷ ଶୃଙ୍ଖଳାରେ ଆମକୁ ଜବରଦସ୍ତ ଲଢ଼େଇ କରିବାକୁ ପଡ଼ିଥିଲା। ଭାରତ ପାଖରେ ଏକ ଭଲ ବୋଲିଂ ବାହିନୀ ରହିଛି। ସେମାନେ ଇଂଲଣ୍ଡ ପରିବେଶରୁ ଫାଇଦା ଉଠାଇବାକୁ ପୂରା ସକ୍ଷମ ବୋଲି ଏହି ଦଳର ଦ୍ରୁତ ବୋଲର ନିଲ୍ ୱାଗନର ସ୍ବୀକାର କରିଥିଲେ। ସେ କହିଥିଲେ ଯେ ଭାରତୀୟ ବୋଲରମାନେ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଛନ୍ତି। ସେମାନେ କୋହଲା ପାଗରେ ଓ ସୂର୍ଯ୍ୟ ଥିଲା ବେଳେ ବଲ୍କୁ ସୁଇଂ କରାଇପାରନ୍ତି। ଇଂଲଣ୍ଡରେ ପାଗ ହଠାତ୍ ବଦଳି ଯାଉଥିବାରୁ ବ୍ୟକ୍ତିଗତ ଭାବେ ମୁଁ ତଦନୁଯାୟୀ ପ୍ରସ୍ତୁତ କରୁଛି। ଇଂଲଣ୍ଡରେ ରହି ସଂପ୍ରତି ୱାରୱିକସାୟାର ପକ୍ଷରୁ କାଉଣ୍ଟି ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ କହିଛନ୍ତି ‘‘ମୋ ଦେଶ ପକ୍ଷରୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ନେଇ ମୁଁ ଗର୍ବିତ। ଏହାକୁ ନେଇ ମୁଁ ଊତ୍ସାହିତ। ପରିସ୍ଥିତିର ଗୁରୁତ୍ବକୁ ଦେଖି ମୁଁ କିନ୍ତୁ ନିଜ ଉପରୁ ନିୟନ୍ତ୍ରଣ ହରାଇବିନି’’।
ନୂଆଦିଲ୍ଲୀ: ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହା କରୋନା ସଂକ୍ରମଣରୁ ମୁକୁଳି ଯାଇଛନ୍ତି। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଏବଂ ଆସନ୍ତା ମାସର ଇଂଲଣ୍ଡ ଗସ୍ତ ପାଇଁ ଉପଲବ୍ଧ ହୋଇପାରିବେ। ଦିଲ୍ଲୀର ଏକ ହୋଟେଲରେ ପ୍ରାୟ ଅଢେଇ ସପ୍ତାହ ସଂଗରୋଧ ଅବଧି ପୂରଣ କରି ରିଦ୍ଧିମାନ ଗତକାଲି ନିଜ କୋଲ୍କାତା ବାସଭବନକୁ ଫେରିଆସିଛନ୍ତି। ତେବେ ଫିଟ୍ନେସ୍କୁ ଭିତ୍ତି କରି ସେ ଇଂଲଣ୍ଡ ଗସ୍ତ କରୁଥିବା ଦଳ ପାଇଁ ବଛାଯାଇପାରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
ସନ୍ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ରିଦ୍ଧିମାନ ଅଧାରୁ ବନ୍ଦ ରହିଥିବା ଆଇପିଏଲ୍ ବେଳେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଏବେ ସଂପୂର୍ଣ୍ଣ ସୁସ୍ଥ। ହେଲେ ମୁମ୍ବାଇରେ ଜୈବ ବଳୟ ଭିତରେ ରହିବାକୁ ଥିବା ଭାରତୀୟ ଦଳ ସହ ଯୋଗଦେବାକୁ ହେଲେ ତାଙ୍କୁ ପୁଣି ଥରେ ଆର୍ଟି-ପିସିଆର୍ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆଣିବାକୁ ପଡ଼ିବ। ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳ ମୁମ୍ବାଇରେ କଠୋର ସଂଗରୋଧରେ ରହିବ। ଏହି ଦଳ ଜୁନ୍ ୧୮ରେ ସାଉଥମ୍ପ୍ଟନ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିବ। ଏହାପରେ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ସୂଚୀ ରହିଛି।