ଦୁବାଇ : ଚଳିତ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ପଞ୍ଜାବ ବିପକ୍ଷେର ରାଜସ୍ଥାନର ବିଜୟ ପ୍ରତିଯୋଗିତାର ପ୍ଲେ ଅଫ୍ ଯୋଗ୍ୟତା ସମ୍ଭାବନାକୁ ମୁକୁଳା କରି ଦେଇଛି। କେବଳ ମୁମ୍ବାଇ ଇଣ୍ଡିଆନ୍ସକୁ ଛାଡ଼ି କୌଣସି ଦଳ ଯୋଗ୍ୟତା ଅର୍ଜନ କରିନଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରଥମ ଦଳ ଭାବେ ଏହି ଦୌଡ଼ରୁ ବାଦ୍ ପଡିଛି। ଅବଶିଷ୍ଟ ୬ ଦଳ ଅବଶିଷ୍ଟ ୩ ସ୍ଥାନ ପାଇଁ ଅଙ୍କ କଷାରେ ଲାଗିପଡିଛନ୍ତି। ଦିଲ୍ଲୀ ଓ ବାଙ୍ଗାଲୋର୍ ସମ୍ଭାବନା ଅଧିକ ରହିଥିବା ବେଳେ ଚତୁର୍ଥ ସ୍ଥାନ ଦୌଡ଼ରେ ଏକାଧିକ ଦଳ ରହିଛନ୍ତି। ଶେଷ ୬ ମ୍ୟାଚ୍ ପୂର୍ବରୁ ଆସନ୍ତୁ ନଜର ପକାଇନେବା କାହା ସମ୍ଭାବନା କେତେ ରହିଛି।
କୋଲକାତା ନାଇଟ୍ ରାଇଡର୍ସ
ଏହି ପୂର୍ବ ବିଜେତା କେକେଆର୍ ହାତରେ ମାତ୍ର ଗୋଟିଏ ମ୍ୟାଚ୍ ରହିଛି। ଅର୍ଥାତ୍ ଶେଷ ମ୍ୟାଚ୍ ଜିତିଲେ ଏହି ଦଳ ସର୍ବାଧିକ ୧୪ ପଏଣ୍ଟରେ ପହଞ୍ଚିପାରିବ। ଯଦି ନେଟ୍ ରନ୍ ରେଟ୍ (ଏନଆର୍ଆର୍) ହିସାବକୁ ନ ଆସେ ତେବେ ଏହି ଦଳ ଯୋଗ୍ୟତା ଅର୍ଜନ କରିପାରିବ। ଏନଆର୍ଆର୍ ହିସାବ ଆସିଲେ ଅନ୍ୟ ଦଳର ଫଳାଫଳ ଏହି ଦଳ ସପକ୍ଷରେ ଯିବାର ଆବଶ୍ୟକତା ରହିବ। ଏଥିପାଇଁ ପଞ୍ଜାବ ନିଜର ଉଭୟ ମ୍ୟାଚ୍ ହାରିବ ଏବଂ ରାଜସ୍ଥାନ ଓ ହାଇଦ୍ରାବାଦ ଗୋଟିଏରୁ ଅଧିକ ନ ଜିତିବାର ଆବଶ୍ୟକ। ତାହାଲେ ଚତୁର୍ଥ ଦଳ ଭାବେ କେକେଆର୍ ଆଗକୁ ବଢ଼ିପାରିବ। କେକେଆର୍ ନିଜର ପରବର୍ତୀ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ସହ ଖେଳିବ।
କିଙ୍ଗ୍ସ ଇଲେଭେନ୍ ପଞ୍ଜାବ
୧୩ ମ୍ୟାଚ୍ରୁ ୧୨ ପଏଣ୍ଟରେ ଥିବା କେଏଲ୍ ରାହୁଲଙ୍କ ଦଳ ହାତରେ ଗୋଟିଏ ମ୍ୟାଚ୍ ରହିଛି। ଶୁକ୍ରବାରର ପରାଜୟ ଏହି ଦଳର ନିଶ୍ଚିତ ପ୍ଲେ ଅଫ୍ ସମ୍ଭାବନାକୁ ବିଗାଡ଼ିଦେଇଛି। ଉନ୍ନତ ନେଟ୍ ରନ୍ ରେଟ୍ ରଖିଥିବାରୁ ଶେଷ ମ୍ୟାଚ୍ ଜିତିଲେ ବି ୧୪ ପଏଣ୍ଟରେ ଦଳ ପ୍ଲେ ଅଫ୍ ଖେଳିପାରିବ। କେକେଆର୍ ଏବଂ ରାଜସ୍ଥାନ ରୟାଲ୍ସ ଏନ୍ଆର୍ଆର୍ ତୁଳନାରେ ଭଲ ସ୍ଥିତିରେ ରହିଥିବାରୁ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀଠାରୁ ଦଳ ଆଗରେ ରହିଛି। ଶୁକ୍ରବାର ମ୍ୟାଚ୍ରେ ପଞ୍ଜାବ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍ ଜିତିବା ସହ ଅନ୍ୟ କିଛି ଫଳାଫଳ ନିଜ ସପକ୍ଷରେ ଆଶା କରିବ। ହାଇଦ୍ରାବାଦ ଏନଆର୍ଆର୍ ଭଲ ଥିବାରୁ ପଞ୍ଜାବ ଆଶା ରଖିବ ଏହି ଦଳ ନିଜର ଶେଷ ମ୍ୟାଚ୍ ନ ଜିତୁ ଓ ୧୪ ପଏଣ୍ଟରେ ପହଞ୍ଚୁ। ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଶେଷ ଦୁଇ ମ୍ୟାଚ୍ ଖେଳିବ ପଞ୍ଜାବ।
ରାଜସ୍ଥାନ ରୟାଲ୍ସ
ରାଜସ୍ଥାନ ରୟାଲ୍ସ ୧୩ ମ୍ୟାଚ୍ରୁ ୧୨ ପଏଣ୍ଟ୍ ଏବଂ ଦୁର୍ବଳ ଏନଆର୍ଆର୍ (-୦.୩୭୭) ରଖିଛି। ଯୋଗ୍ୟତା ଅର୍ଜନ ଲାଗି ଏହି ଦଳକୁ ଏନଆର୍ଆର୍ ଲଢ଼େଇକୁ ଏଡ଼ାଇବାକୁ ହେବ। ଏଥିପାଇଁ ଦଳକୁ ଶେଷ ମ୍ୟାଚ୍ ମଧ୍ୟ ଜିତିବାକୁ ହେବ। କୋଲକାତା ବିପକ୍ଷରେ ଦଳ ଶେଷ ମ୍ୟାଚ୍ ଖେଳିବ। ଚେନ୍ନାଇ ମଧ୍ୟ ନିଜ ବିଜୟ ଜାରି ରଖି ପଞ୍ଜାବକୁ ହରାଉ ବୋଲି ଷ୍ଟିଭେନ୍ ସ୍ମିଥଙ୍କ ଦଳ ଆଶା ରଖିବ। ହାଇଦ୍ରାବାଦ ଯଦି ନିଜ ଗୋଟିଏରୁ ଅଧିକ ମ୍ୟାଚ୍ ନ ଜିତିବ ତେବେ ଏନଆର୍ଆର୍ ପ୍ରଭାବ ବିନା ରାଜସ୍ଥାନ ଯୋଗ୍ୟତା ଅର୍ଜନ କରିପାରିବ।
ମୁମ୍ବାଇ ଇଣ୍ଡିଆନ୍ସ
ଗୁରୁବାର ରାତିରେ କୋଲକାତାକୁ ଚେନ୍ନାଇ ହରାଇଦେବା ପରେ ମୁମ୍ବାଇର ପ୍ଲେ ଅଫ୍ ନିଶ୍ଚିତ ହୋଇଛି। ଚମତ୍କାର ଏନଆର୍ଆର୍ କାରଣରୁ ଦଳ ମଧ୍ୟ ଶୀର୍ଷ ୨ ମଧ୍ୟରେ ରହିବା ଏକ ପ୍ରକାର ନିଶ୍ଚିତ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ କେବଳ ୧୮ ପଏଣ୍ଟ୍ ସହ ଶୀର୍ଷକୁ ଯିବାର ସମ୍ଭାବନା ରଖିଛନ୍ତି। ୧୬ ପଏଣ୍ଟରେ ସୀମିତ ରହିଲେ ବି ଏନଆର୍ଆର୍ ଏହି ଦଳକୁ ପ୍ରଥମ ଦୁଇ ସ୍ଥାନରେ ରଖିବା ନିଶ୍ଚିତ କରିଛି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍
ନିଜର ଅବଶିଷ୍ଟ ଦୁଇ ମ୍ୟାଚ୍ (ସନ୍ରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ) ମଧ୍ୟରୁ ଅନ୍ୟୁନ ଗୋଟିଏ ଜିତିଲେ ବିରାଟ କୋହଲିଙ୍କ ଆର୍ସିବି ପ୍ଲେ ଅଫ୍ ପ୍ରବେଶକୁ ନିଶ୍ଚିତ କରିଦେବ। ଉଭୟ ମ୍ୟାଚ୍ ହାରିଲେ ବି ବର୍ତମାନର ଏନଆର୍ଆର୍କୁ ବିଶେଷ ପ୍ରଭାବିତ ହେବାକୁ ନ ଦେଲେ ଦଳ ଯୋଗ୍ୟତା ଅର୍ଜନ କରିବାର ସମ୍ଭାବନା ରହିଛି, ଏଥିପାଇଁ କିନ୍ତୁ ଅନ୍ୟକିଛି ଅନୁକୂଳ ଫଳାଫଳ ଆଶା କରିବ। କିନ୍ତୁ ଉଭୟ ହାରିଲେ ଦଳର ଏନଆର୍ଆର୍ ବି ବିଦାୟ ରାସ୍ତା ଦେଖାଇ ଦେବାର ବିପଦ ରଖିଛି।
ଦିଲ୍ଲୀ କ୍ୟାପିଟାଲ୍ସ
୧୨ ମ୍ୟାଚ୍ରୁ ୧୪ ପଏଣ୍ଟ ସହ ଯୁବ ଶକ୍ତି ଭରା ଦିଲ୍ଲୀ ମଧ୍ୟ ଶେଷ ଦୁଇ ମ୍ୟାଚ୍ରୁ ଗୋଟିଏ ଜିତିଲେ ଯଥେଷ୍ଟ ହେବ। ତେବେ ଶେଷ ଦୁଇ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ପଏଣ୍ଟ ଟେବୁଲ୍ ଶୀର୍ଷରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍। ଲଗାତାର ୩ ମ୍ୟାଚ୍ ହାରି ଚାପରେ ରହିଥିବା ଦିଲ୍ଲୀ ରବିବାର ମୁମ୍ବାଇ ବିପକ୍ଷରେ କିଭଳି ଖେଳୁଛି ଦେଖିବାର ଅଛି। ଉଭୟ ମ୍ୟାଚ୍ ହାରିଲେ ଦିଲ୍ଲୀକୁ ବାଦ୍ ପଡ଼ିବାର ବିପଦ ରହିଛି। କାରଣ ୧୪ ପଏଣ୍ଟ ଏନଆର୍ଆର୍ ଲଢ଼େଇରେ ଦଳ ନିଶ୍ଚିତ ପଛରେ ପଡ଼ିଯିବାର ଆଶଙ୍କା ରହିଛି।
ସନ୍ରାଇଜର୍ସ ହାଇଦ୍ରାବାଦ
ହାଇଦ୍ରାବାଦ ପାଇ ଅଙ୍କ କିନ୍ତୁ ଅତି ସରଳ ରହିଛି। ପ୍ରଥମେ ଦଳକୁ ଅବଶିଷ୍ଟ ଦୁଇ ମ୍ୟାଚ୍ (ଆର୍ସିବି ଓ ମୁମ୍ବାଇ) ଜିତିବାକୁ ହେବ। ଗୋଟିଏ ଜିତିଲେ ହାଇଦ୍ରାବାଦ ଆଶା କରିବ ବାଙ୍ଗାଲୋର୍, ଦିଲ୍ଲୀ ମଧ୍ୟରୁ ଅନ୍ୟୁନ ଗୋଟିଏ ଦଳ ୧୬ ପଏଣ୍ଟରେ ନ ପହଞ୍ଚୁ। ୧୪ ପଏଣ୍ଟ ଏନ୍ଆର୍ଆର୍ ଲଢ଼େଇ ଆସିଲେ ହାଇଦ୍ରବାଦ ନିଶ୍ଚିତ ଆଗୁଆ ରହିବ।