ନ୍ୟୁୟର୍କ : ଚଳିତ ୟୁଏସ୍ ଓପନ୍ର ତୃତୀୟ ଦିନ ବୃହତ୍ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ତାରକା କାରୋଲିନା ପ୍ଲିସ୍କୋଭା ଦ୍ବିତୀୟ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେଇଛନ୍ତି। ଚେକ୍ ଗଣରାଜ୍ୟ ଲଳନା ପ୍ଲିସ୍କୋଭାଙ୍କୁ ୧-୬, ୬-୭ ସିଧାସଳଖ ସେଟ୍ରେ ପରାସ୍ତ କରି ୩୨ ମାନ୍ୟତାପ୍ରାପ୍ତ ଫ୍ରାନ୍ସର କାରୋଲିନ୍ ଗାର୍ସିଆ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଅନ୍ୟ ମହିଳା ଏକକରେ ପୂର୍ବତନ ବିଜୟିନୀ ତଥା ଚତୁର୍ଥ ମାନ୍ୟତାପ୍ରାପ୍ତ ନାଓମି ଓସକା, ପେଟ୍ରା କ୍ବିତୋଭା (ଷଷ୍ଠ), ପେଟ୍ରା ମାର୍ଟିକ୍ (ଅଷ୍ଟମ), ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆଞ୍ଜେଲିକ୍ କର୍ବର ସହଜରେ ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ଜାପାନର ଓସକା ସିଧାସଳଖ ୬-୧, ୬-୨ ସେଟ୍ରେ ଇଟାଲିର କାମିଲା ଜିଓର୍ଜିଙ୍କୁ, ଦୁଇ ଥରର ୱିମ୍ବଲଡନ୍ ବିଜୟିନୀ ଚେକ୍ ଗଣରାଜ୍ୟର କ୍ବିତୋଭା ୭-୬, ୬-୨ ସେଟ୍ରେ ୟୁକ୍ରେନ୍ର କାତେରିନା କୋଜଲୋଭାଙ୍କୁ, ସପ୍ତଦଶ ମାନ୍ୟତାପ୍ରାପ୍ତ ଜର୍ମାନିର କର୍ବର ୬-୩, ୭-୬ ସେଟ୍ରେ ନିଜ ଦେଶର ଆନ୍ନା-ଲେନା ଫ୍ରାଏଡସାମଙ୍କୁ ଏବଂ ମାର୍ଟିକ୍ ୬-୩, ୬-୪ ସେଟ୍ରେ ୟୁକ୍ରେନ୍ର କାଟେରିନା ବନ୍ଦାରେଙ୍କୋଙ୍କୁ ପରାସ୍ତ କରି ତୃତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି।
ସେହିଭଳି ପୁରୁଷ ଏକକ ତୃତୀୟ ପର୍ଯ୍ୟାୟରେ ବିଶ୍ବର ଏକ ନମ୍ବର ନୋଭାକ ଜୋକୋଭିକ, ଷ୍ଟିଫାନସ ସିସିପାସ (ଚତୁର୍ଥ), ଆଲେକ୍ଜାଣ୍ଡର ଭେରଭ (ପଞ୍ଚମ) ଓ ଡେଭିଡ ଗଫିନ୍ (ସପ୍ତମ) ପହଞ୍ଚିଯାଇଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ସର୍ବିୟା ତାରକା ଜୋକୋଭିକ ୬-୭, ୬-୩, ୬-୪, ୬-୨ ସେଟ୍ରେ ବ୍ରିଟେନ୍ର କାଇଲ ଏଡମୁଣ୍ଡଙ୍କୁ, ଗ୍ରିସ୍ର ସିସିପାସ ୭-୬, ୬-୩, ୬-୪ ସେଟ୍ରେ ଆମେରିକାର ମାକ୍ସିମେ କ୍ରେସିଙ୍କୁ, ଜର୍ମାନିର ଭେରଭ ୭-୫, ୬-୭, ୬-୩, ୬-୧ ସେଟ୍ରେ ଆମେରିକାର ବ୍ରାଣ୍ଡନ ନାକାସିମାଙ୍କୁ ଏବଂ ବେଲ୍ଜିୟମର ଗଫିନ୍ ୭-୬, ୪-୬, ୬-୧, ୬-୪ ସେଟ୍ରେ ଦକ୍ଷିଣ ଆଫ୍ରିକାର ଲୟଡ ହାରିସଙ୍କୁ ପରାସ୍ତ କରିଛନ୍ତି।