ପ୍ୟାରିସ: ପୂର୍ବତନ ଏକ ନମ୍ବର ମହିଳା ଖେଳାଳି କାରୋଲିନା ପ୍ଲିସକୋଭା ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ମହିଳା ଏକକ ଦ୍ବିତୀୟ ରାଉଣ୍ଡରେ ସ୍ଥାନୀୟ ୱାଇଲଡକାର୍ଡଧାରୀ ଲିଓଲିଆ ଜିନ୍ଜିନ୍ ସିଧାସଳଖ ୬-୨, ୬-୨ ସେଟ୍ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ପ୍ଲିସ୍କୋଭାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ତେବେ ଶୀର୍ଷ ମାନ୍ୟତାପ୍ରାପ୍ତ ଈଗା ସ୍ବିତେକ ଏବଂ ତୃତୀୟ ମାନ୍ୟତାପ୍ରାପ୍ତ ପୌଲା ବଦୋସା ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ପୋଲାଣ୍ଡର ସ୍ବିତେକ ୬-୦, ୬-୨ ସେଟ୍ରେ ଆମେରିକାର ଆଲିସନ ରିସ୍କେଙ୍କୁ ଏବଂ ସ୍ପେନ୍ର ବଦୋସା ୭-୫, ୩-୬, ୬-୨ ସେଟ୍ରେ ସ୍ଲୋଭେନିଆର କାଜା ଜୁଭାନଙ୍କୁ ହରାଇଥିଲେ।
ପୁରୁଷ ଏକକରେ ୨୧ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ, ଦ୍ବିତୀୟ ମାନ୍ୟତାପ୍ରାପ୍ତ ଡାନିଏଲ ମେଦଭେଦଭ ଓ ଅଷ୍ଟମ ମାନ୍ୟତାପ୍ରାପ୍ତ କାସପର ରୁଡ୍ ସହଜ ବିଜୟ ସହ ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ସ୍ପେନ୍ ତାରକା ପଞ୍ଚମ ମାନ୍ୟତାପ୍ରାପ୍ତ ନାଦାଲ ୬-୩, ୬-୧, ୬-୪ ସେଟ୍ରେ ସ୍ଥାନୀୟ ଖେଳାଳି କୋରେଣ୍ଟିନ ମୋଉଟେଟଙ୍କୁ ପରାସ୍ତ କରିଥିଲେ। ରୋଲାଣ୍ଡ ଗାରୋସରେ ୧୩ ମୁକୁଟ କରାୟତ୍ତ କରିଥିବା ନାଦାଲଙ୍କ ଏହା ୩୦୦ତମ ଗ୍ରାଣ୍ଡ ସ୍ଲାମ୍ ବିଜୟ। ରୁଷିଆର ମେଦଭେଦେବ ୬-୩, ୬-୪, ୬-୩ ସେଟ୍ରେ ସର୍ବିଆର ଲାସ୍ଲୋ ଡେରେଙ୍କୁ ଏବଂ ନରୱେର ରୁଡ୍ ୬-୩, ୬-୪, ୬-୨ ସେଟ୍ରେ ଫିନ୍ଲାଣ୍ଡର ଏମିଲ ରୁସୁଭୁଓରିଙ୍କୁ ହରାଇଥିଲେ।
କ୍ବାର୍ଟରରେ ବୋପାନ୍ନା
ଭାରତୀୟ ତାରକା ରୋହନ ବୋପାନ୍ନା ଫ୍ରେଞ୍ଚ୍ ଓପନ୍ ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ପୂର୍ବରୁ ୪ ଥର (୨୦୧୧, ୨୦୧୬, ୨୦୧୮ ଓ ୨୦୨୧) ଏଠାରେ କ୍ବାର୍ଟର ଫାଇନାଲ୍ ଖେଳିଥିବା ବୋପାନ୍ନା ପଞ୍ଚମ ଥର ପାଇଁ ଏହି ସୁଯୋଗ ହାସଲ କରିଛନ୍ତି। ନେଦରଲାଣ୍ଡ୍ର ମାତ୍ୱେ ମିଡଲକୁପ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଗୁରୁବାର ଦ୍ବିତୀୟ ରାଉଣ୍ଡ ତଥା ପ୍ରିକ୍ବାର୍ଟର ଫାଇନାଲ୍ରେ କାଜାକସ୍ତାନ ଓ ଫ୍ରାନ୍ସ ଯୋଡ଼ି ଆନ୍ଦ୍ରେ ଗୋଲୁବେଭ ଓ ଫାବ୍ରିସ୍ ମାର୍ଟିନ୍ଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏହି ମୁକାବିଲା ୧ ଘଣ୍ଟା ୬ ମିନିଟରେ ଶେଷ ହୋଇଥିଲା ବେଳେ ୧୬ତମ ମାନ୍ୟତାପ୍ରାପ୍ତ ଭାରତ-ନେଦରଲାଣ୍ଡ ଯୋଡ଼ି ବୋପାନ୍ନା-ମିଡଲକୁପ୍ ୬-୩ ଓ ୬-୪ ସେଟ୍ରେ ବାଜି ମାରିଥିଲେ। ତେବେ ଅନ୍ୟତମ ଭାରତୀୟ ରାମକୁମାର ରାମନାଥନ୍ ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡ୍ରେ ହାରିଯାଇଛନ୍ତି। ଆମେରିକାର ହଣ୍ଟର ରିଜିଙ୍କୁ ସାଥୀ କରିଥିବା ରାମନାଥନ ଗୁରୁବାର ଦ୍ବିତୀୟ ରାଉଣ୍ଡରେ ଷଷ୍ଠ ମାନ୍ୟତାପ୍ରାପ୍ତ ଇଂଲଣ୍ଡ-ନେଦରଲାଣ୍ଡ୍ ଯୋଡ଼ି ନିଲ ସ୍କୁପ୍ସ୍କି ଓ ୱେସ୍ଲେ କୁଲ୍ହୁପ୍ଙ୍କଠାରୁ ସିଧାସଳଖ ସେଟ୍ ୩-୬ ଓ ୨-୬ରେ ହାରି ବିଦାୟ ନେଇଛନ୍ତି।