ଖେଳାଳି ବଜାୟ ନେଇ ଆଇପିଏଲ୍‌ ଫ୍ରାଞ୍ଚାଇଜି ଭାଗଭାଗ

ନୂଆଦିଲ୍ଲୀ: ପରବର୍ତୀ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଖେଳାଳି ନିଲାମ ପାଇଁ ତିନି ମାସରୁ କମ୍‌ ସମୟ ରହିଛି। ହେଲେ ଫ୍ରାଞ୍ଚାଇଜିମାନେ ନିଜ ନିଜ ଦଳରେ କେତେ ସଂଖ୍ୟକ ଖେଳାଳି ବଜାୟ ରଖିପାରିବେ ସେନେଇ ସଂଶୟରେ ରହିଛନ୍ତି। ଭାରତୀୟ କ୍ରିକେଟ୍‌ ବୋର୍ଡ କିମ୍ବା ଆଇପିଏଲ୍‌ ପରିଚାଳନା ପରିଷଦ ଏନେଇ ଫ୍ରାଞ୍ଚାଇଜିମାନଙ୍କୁ କୌଣସି ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି। ମୁମ୍ବାଇରେ ମଙ୍ଗଳବାର ଏନେଇ ବିସିସିଆଇ ଓ ଫ୍ରାଞ୍ଜାଇଜି ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହେଲେ କେତେକ ଫ୍ରାଞ୍ଚାଇଜି ପ୍ରାୟ ୫ ଖେଳାଳିଙ୍କୁ ବଜାୟ ରଖିବାକୁ ଦାବି କରିଥିଲା ବେଳେ ଅନ୍ୟ କେତେକ କୌଣସି ଖେଳାଳିଙ୍କୁ ବଜାୟ ରଖିବାକୁ ଚାହିଁନଥିଲେ। ଫଳରେ ଦଳରେ ଖେଳାଳି ବଜାୟ ରଖିବା ସଂଖ୍ୟାକୁ ନେଇ ବୈଠକରେ ଫ୍ରାଞ୍ଚାଇଜିମାନଙ୍କ ମଧ୍ୟରେ ବିଭାଜନ ଦେଖାଯାଇଥିଲା। ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଭାଗଭାଗ ହେବା ଆଇପିଏଲ୍‌ ପାଇଁ ଅନୁକୁଳ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ତେବେ ନିଲାମ ବେଳେ ରାଇଟ୍‌ ଟୁ ମ୍ୟାଚ୍‌ (ଆର୍‌ଟିଏମ୍‌) କାର୍ଡର ଉପଯୋଗିତା କରିବା ସପକ୍ଷରେ ଅଧିକାଂଶ ଫ୍ରାଞ୍ଚାଇଜି ପସନ୍ଦ କରିଥିଲେ। ଅନ୍ୟପକ୍ଷରେ କିଛି ଫ୍ରାଞ୍ଚାଇଜି ଆଗାମୀ ଖେଳାଳି ନିଲାମ ପ୍ରକ୍ରିୟାକୁ ଭାରତ ବାହାରେ ଏପରିକି ଲଣ୍ଡନରେ କରିବାକୁ ଦାବି ଉପସ୍ଥାପିତ କରିଥିଲା ବେଳେ ଏହାକୁ ବିସିସିଆଇ ଖଣ୍ଡନ କରିଦେଇଥିଲା। ଖେଳାଳି ନିଲାମ ଆସନ୍ତାବର୍ଷ ଜାନୁଆରି ଶେଷ ସପ୍ତାହରେ ଭାରତରେ ହିଁ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏହାକୁ ନେଇ ମଧ୍ୟ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ବିଭାଜିତ ଆଭିମୁଖ୍ୟ ଦେଖାଯାଇଥିଲା।

ମଙ୍ଗଳବାର ବୈଠକରେ ଫ୍ରାଞ୍ଚାଇଜି ମାଲିକଙ୍କ ମଧ୍ୟରେ କୋଲ୍‌କାତା ନାଇଟ୍‌ ରାଇଡର୍ସର ଶାହରୁଖ୍‌ ଖାନ୍‌ ଓ ଜୟ ମେହଟା, ମୁମ୍ବାଇ ଇଣ୍ଡିଆନ୍‌ସର ଆକାଶ ଅମ୍ବାନି, କିଙ୍ଗ୍‌ସ ଏକାଦଶ ପଞ୍ଜାବର ନେସ୍‌ ଓ୍ଵାଡିଆ ଓ ମୋହିତ ବର୍ମନ୍‌, ରାଜସ୍ଥାନ ରୟାଲ୍‌ସର ମନୋଜ ବଦାଲେ ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ସର୍ବାଧିକ ୫ ଖେଳାଳିଙ୍କୁ ବଜାୟ ରଖିବା ନେଇ ଯୁକ୍ତି ଉପସ୍ଥାପନ କରିଥିଲା ବେଳେ ନାଇଟ୍‌ ରାଇଡର୍ସ କୌଣସି ଖେଳାଳିଙ୍କୁ ବଜାୟ ନରଖିବା ପାଇଁ ପ୍ରସ୍ତାବ ବାଢ଼ିଥିଲା। ଏହି ଫ୍ରାଞ୍ଚାଇଜି ୫ ଆର୍‌ଟିଏମ୍‌ କାର୍ଡ ଉପଯୋଗ ପ୍ରସ୍ତାବ ଦେଇଥିଲା। ସେହିପରି କିଙ୍ଗ୍‌ସ ଏକାଦଶ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟ ନୂଆ ଦଳ ଗଢିବାକୁ ଇଛା ପ୍ରକାଶ କରି କୌଣସି ଖେଳାଳି ବଜାୟ ନରଖିବା ସପକ୍ଷରେ ପ୍ରସ୍ତାବ ଦେଇଥିଲେ। ହେଲେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତିନି ଖେଳାଳି ବଜାୟ ରଖିବା ସାଙ୍ଗକୁ ୨ ଆର୍‌ଟିଏମ୍‌ କାର୍ଡ ଉପଯୋଗ ଊପରେ ଗୁରୁତ୍ୱ ଦେଇଥିଲେ। ଫଳରେ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ମତ ବିଭାଜନ ସେମାନଙ୍କୁ ବୈଠକରେ ଭାଗଭାଗ କରିଦେଇଥିଲା।

ସମ୍ବନ୍ଧିତ ଖବର