୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ଇଟାଲିର ନାପୋଲିରେ ଜାରି ଥିବା ୩୦ତମ ‘ସମର ୟୁନିଭରସିଟି ଗେମସ୍‌’ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ଜିତିବା ପରେ ଦୂତୀ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମହିଳା ୧୦୦ ମିଟର ଲକ୍ଷ୍ୟ ପୂରଣ କରିବା ପାଇଁ ଦୂତୀ ଚାନ୍ଦଙ୍କୁ ୧୧.୩୨ ସେକେଣ୍ଡ ଲାଗିଥିଲା। ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିଣି ଦୂତୀ ଚାନ୍ଦ ଭାରତର ଗୌରବ ବଢ଼ାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି। ଭାରତୀୟ ଆଥଲେଟିକ୍‌ ପାଇଁ ଏହା ଗୌରବର ବିଷୟ। ପୂର୍ବରୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଧ୍ୟ ଦୂତୀ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଭାରତର ଜାତୀୟ ରେକର୍ଡ ହୋଲ୍ଡର ଦୂତୀ ଚାନ୍ଦ ପ୍ରତିଯୋଗିତାର ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ସେମିଫାଇନାଲରେ ସେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିଲେ। ଫାଇନାଲରେ ଏହାକୁ ଆହୁରି ତୀବ୍ର କରିଥିଲେ।

ସବୁଠାରୁ ବଡ଼ କଥା ଯେ, ଅନ୍ତର୍ଜାତୀୟ ସ୍ତରୀୟ ‘ସମର ୟୁନିଭରସାଇଡ’ ପ୍ରତିଯୋଗିତାରେ ଦୂତୀ ଚାନ୍ଦ ଭାରତ ପାଇଁ ପ୍ରଥମ ଥର ପ୍ରଥମ ସ୍ୱର୍ଣ୍ଣପଦକ ଆଣିଛନ୍ତି।

ସମ୍ବନ୍ଧିତ ଖବର