ବିଦାୟୀ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବର୍ଦ୍ଧନା ବେଳେ ସଚିନ ଓ ଦିଲୀପ ତିର୍କୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଏପ୍ରିଲରେ ଶେଷ ହେବ ୫୯ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଆଗାମୀ ଏପ୍ରିଲରେ ଅବସର ନେବାକୁ ଥିବା ରାଜ୍ୟସଭା ସଦସ୍ୟ ସଚିନ ତେନ୍ଦୁଲକର ଓ ଦିଲ୍ଲୀ ତିର୍କୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ଓ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ସବୁବେଳେ ମନେ ରହିବେ ବୋଲି ମୋଦି କହିଛନ୍ତି। ସେମାନେ ଭାରତରୁ ଖେଳି ଦେଶର ଗୌରବ ବଢ଼ାଇଛନ୍ତି। ରାଜ୍ୟସଭାକୁ ସମ୍ବୋଧନ କରିବା ଅବସରରେ ମୋଦି କହିଛନ୍ତି, ରାଜ୍ୟସଭାର ଅନେକ ସଦସ୍ୟଙ୍କୁ ଆମେ ବିଦାୟ ଦେବୁ। ଏହି ଅବସରରେ ମୋଦି କହିଛନ୍ତି, ଯେଉଁମାନେ ବିଦାୟ ନେବାକୁ ଯାଉଛନ୍ତି, ଦେଶର ବିକାଶ ପାଇଁ ସେମାନଙ୍କର ସ୍ମରଣୀୟ ଅବଦାନ ରହିଛି। ସେମାନଙ୍କୁ ଦେଶ ଭୁଲି ପାରିବ ନାହିଁ। ସେହିଭଳି ଦେଶର ବିକାଶରେ ପ୍ରଫେସର ପିଜେ କୁରିଆନଙ୍କ ଅବଦାନ ଅଭୁଲା ରହିବ ବୋଲି ମୋଦି ସମ୍ବୋଧନ କରିଛନ୍ତି।

ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ଏହା ବିଦାୟ, କିନ୍ତୁ ବିଭାଗ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ସେମାନେ ଦେଶର ବିକାଶମୂଳକ ପ୍ରସଙ୍ଗ ଉଠାଇ ପାରିବେ। ସୂଚନାଯୋଗ୍ୟ ଆଗାମୀ ଏପ୍ରିଲରେ ୫୯ ରାଜ୍ୟସଭାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଥିରେ ଓଡ଼ିଶାର ଅନ୍ୟତମ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀ ଓ ଅନଙ୍ଗ ଉଦୟ ସିଂହଦେଓଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ସଚିନ ତେନ୍ଦୁଲକର:

ସଚିନ ତେନ୍ଦୁଲକର ଏପ୍ରିଲ ୨୪ରେ ୪୫ ବର୍ଷରେ ପଦାର୍ପଣ କରିବେ। ସେ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ୧୯୮୯ ନଭେମ୍ବର ୧୫ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଲିଥିଲେ। ଭାରତରତ୍ନ ସଚିନଙ୍କ ଶେଷ ଟେଷ୍ଟ ମ୍ୟାଚ ୨୦୧୩ ନଭେମ୍ବର ୧୪ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଥିଲା। ସେ ପାକିସ୍ତାନ ବିରୋଧରେ ୧୯୮୯ ଡିସେମ୍ବର ୧୮ରେ ପ୍ରଥମ ଦିନିକିଆ ଖେଳିଥିବା ବେଳେ ୨୦୧୨ ମାର୍ଚ୍ଚ ୧୮ରେ ପାକିସ୍ତାନ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ସେ ଏକମାତ୍ର ଅନ୍ତର୍ଜାତୀୟ ଟି-୨୦ ୨୦୦୬ ଡିସେମ୍ବର ୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ।

ମୁମ୍ବାଇରେ ଜନ୍ମଲାଭ କରିଥିବା ସଚିନ ୨୦୦ଟି ଟେଷ୍ଟ ମ୍ୟାଚରେ ୧୫,୯୨୧ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫୧ଟି ଶତକ ଓ ୬୮ଟି ଅର୍ଦ୍ଧଶତକ ସାମିଲ ଥିଲା। ୨୪୮ ରନ୍‌ ଥିଲା ତାଙ୍କର ସର୍ବାଧିକ ସ୍କୋର। ଟେଷ୍ଟ ମ୍ୟାଚରେ ସେ ୪୬ଟି ଓ୍ଵିକେଟ୍‌ ନେଇଥିଲେ। ସେହିଭଳି ୪୬୩ଟି ଦିନିକିଆରେ ୧୮,୪୨୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୪୯ଟି ଶତମ ଓ ୯୬ଟି ଅର୍ଦ୍ଧଶତକ ସାମିଲ ଥିଲା। ୨୦୦ ରନ୍‌ ଥିଲା ତାଙ୍କର ସର୍ବାଧିକ ଥିବା ବେଳେ ବୋଲିଂରେ ସେ ୧୫୪ଟି ଓ୍ଵିକେଟ୍‌ ନେଇଥିଲେ। ୨୦୧୨ ଏପ୍ରିଲ ୨୭ରେ ସେ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ ହୋଇଥିଲେ।

ଦିଲୀପ ତିର୍କୀ:

ପେନାଲ୍ଟି କୋରର୍ଣ୍ଣର ପାଇଁ ଦିଲୀପ ତିର୍କୀଙ୍କ ନାମ ବେଶ ଜଣାଶୁଣା। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମଲାଭ କରିଥିବା ଦିଲୀପ ହକି ଖେଳୁଥିବା ବେଳେ ଟେକ୍‌ନିକ୍‌କୁ ବ୍ୟବହାର କରୁଥିଲେ। ତିର୍କୀ ୧୯୭୭ ନଭେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ। ବିଜୁ ଜନତା ଦଳ ତରଫରୁ ସେ ୨୦୧୨ ମାର୍ଚ୍ଚ ୨୨ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର