ରାଇନାଙ୍କ କଭର୍‌ ଡ୍ରାଇଭ୍‌କୁ ମନେ ପକାଇଲେ ମୋଦୀ

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ପୃଷ୍ଠାର ଏକ ହୃଦୟସ୍ପର୍ଶୀ ଚିଠି ପଠାଇ ଶୁଭେଚ୍ଛା ଜଣାଇବାର ଦିନକ ପରେ ଅଲ୍‌ରାଉଣ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଭାବପୂର୍ଣ୍ଣ ଚିଠି ପଠାଇଛନ୍ତି। ବିଶେଷକରି ଚିଠି ଜରିଆରେ ପ୍ରଧାନମନ୍ତ୍ରୀ ୨୦୧୧ ବିଶ୍ବକପ୍‌ର ଅହମ୍ମଦାବାଦ୍‌ରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ରାଇନାଙ୍କ ଚମତ୍କାର କଭର ଡ୍ରାଇଭ୍‌କୁ ସ୍ପଷ୍ଟ ଭାବେ ମନେ ପକାଇ ‌ଦେଇଛନ୍ତି। ଧୋନିଙ୍କ ପଦାଙ୍କ ଅନୁସରଣ କରିଥିବାରୁ ତାଙ୍କ ପ୍ରଶଂସକମାନେ ମଧ୍ୟ ରାଇନାଙ୍କ ଖେଳ ଦେଖିବାରୁ ବଞ୍ଚିତ ହେବେ ବୋଲି ମଧ୍ୟ ମୋଦୀ କହିଛନ୍ତି। ୨୦୧୧ ବିଶ୍ବ ବିଜେତା ଭାରତୀୟ ଦଳର ଜଣେ ସଦସ୍ୟ ଥିବା ୩୩ ବର୍ଷ ବୟସ୍କ ରାଇନା ସେହି ଅଗଷ୍ଟ ୧୫ ତାରିଖ ସଂଧ୍ୟାରେ ଧୋନି ଅବସର ଘୋଷଣା କରିବାର ମିନିଟକ ପରେ ଅବସର ନେଇଗଲେ। ଉଭୟ ଧୋନି ଓ ରାଇନା ଘନିଷ୍ଠ ବନ୍ଧୁ ଥିଲେ। ଉଭୟେ ମଧ୍ୟ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପକ୍ଷରୁ ଖେଳୁଛନ୍ତି ଏବଂ ୟୁଏଇରେ ଆସନ୍ତାମାସରୁ ଆକ୍‌ସନ୍‌ରେ ଦେଖାଦେ‌ବେ।

ପ୍ରଧାନମନ୍ତ୍ରୀ ତାଙ୍କ ଚିଠି‌ରେ ଉଲ୍ଲେଖ କରିଛନ୍ତି, ‘‘ତୁମ ପାଇଁ ଅବସର ଶବ୍ଦକୁ ପ୍ରୟୋଗ କରିବାକୁ ମୁଁ ଚାହେଁନି। କାରଣ ତୁମେ ଏବେ ବି ଖୁବ୍‌ ଯୁବସୁଲଭ ଏବଂ ତେଜସ୍ବୀ। ତେଣୁ ଅବସର ତୁମ ନାମ ପୂର୍ବରୁ ଶୋଭା ପାଇବନି’’ ବୋଲି ଧୋନିଙ୍କ ଭଳି ରାଇନାଙ୍କୁ ମଧ୍ୟ ନିଜ ଟ୍ବିଟରରେ ପୋଷ୍ଟ କରିଥିବା ଚିଠିରେ ମୋଦୀ ଲେଖିଛନ୍ତି।

‘‘ତୁମ କ୍ରିକେଟ୍‌ ଜୀବନକାଳରେ ତୁମେ ଆହତ ସମସ୍ୟା ସାଙ୍ଗକୁ ଅନେକ ଘାତପ୍ରତିଘାତର ସାମ୍‌ନା କରିଛ। କିନ୍ତୁ ସବୁ ସମୟରେ ତୁମେ ସେସବୁ ଆହ୍ବାନକୁ ଅତିକ୍ରମ କରିପାରିଛ। ଦୃଢ଼ମନା ପାଇଁ ଧନ୍ୟବାଦ।’’ ବୋଲି ମୋଦୀ କହିଛନ୍ତି।

ଅହମ୍ମଦାବାଦ୍‌ର ମୋଟେରାରେ ୨୦୧୧ ବିଶ୍ବକପ୍‌ ଅବସରରେ ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ଭାରତ ପିଛା କରୁଥିଲା ବେଳେ ତୁମେ ଯେଉଁ ଅତି ଉପଯୋଗୀ ଅପରାଜିତ ୩୪ ରନ୍‌ର ପାଳି ଖେଳିଥିଲ ତାହାକୁ ମୁଁ ଖୁବ୍‌ ଉପଭୋଗ କରିଥିଲି ବୋଲି ମୋଦୀ ତାଙ୍କ ଚିଠିରେ ଲେଖିଛନ୍ତି। ଭାରତ କଦାପି ତୁମର ସେହି ବିଶ୍ବକପ୍‌ ପାଳି ତଥା ପ୍ରେରଣାଦାୟୀ ଭୂମିକାକୁ ଭୂଲି ପାରିବନି। ମୁଁ ମୋଟେରାରେ ଅଷ୍ଟ୍ରେଲିଆ ବିପକ୍ଷ ସେହି କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ସିଧାସଳଖ ତୁମ ଖେଳ ଦେଖିଥିଲି। ଦଳର ବିଜୟରେ କିପରି ତୁମ ପାଳି ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା ତାହା ବେଶ୍‌ ଭଲ ଭାବେ ଅଦୁଭବ କରିଥିଲି।

‘‘ସେଥିପାଇଁ ମୁଁ ଦୃଢ଼ତାର ସହ କହିପାରିବି ଯେ ଅଧିକାଂଶ ପ୍ରଶଂସକ ତୁମର ସେହି ଆକର୍ଷଣୀୟ କଭର ଡ୍ରାଇଭ୍‌ ଦେଖିବାରୁ ବଞ୍ଚିତ ହେବେ। ଯାହାକୁ କି ସୌଭାଗ୍ୟବଶତଃ ମୁଁ ଥରେ ସେହି ବିଶ୍ବକପ୍‌ ମ୍ୟାଚ୍‌ ବେଳେ ଦେଖିପାରିଥିଲି’’ ବୋଲି ଭାବବିହ୍ବଳ ଭଙ୍ଗୀରେ କହିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ମଧ୍ୟ ରାଇନାଙ୍କୁ ଜଣେ ସଠିକ୍‌ ଦଳୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି। ଯିଏକି ଅନ୍ୟର ସଫଳତାକୁ ବି ଖୁବ୍‌ ଉପଭୋଗ କରନ୍ତି ବୋଲି କହିଛନ୍ତି।

‘‘ସୁରେଶ ରାଇନ‌ା ସବୁବେଳେ ଦଳୀୟ ଭାବନା ସହିତ ସମକକ୍ଷ ରହିବେ। ତୁମେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଖେଳନି, ବରଂ ତୁମ ଦଳ ଏବଂ ଭାରତର ସ୍ବାର୍ଥ ପାଇଁ ଖେଳ। ପଡ଼ିଆରେ ତୁମର ଉତ୍ସାହ ସୁଦୂରପ୍ରସାରି ଥିଲା ଏବଂ ଆମେ ସେସବୁର ସାକ୍ଷୀ ରହିଥିଲୁ। ପ୍ରତିପକ୍ଷ ଦଳର ୱିକେଟ୍‌ ପତନ ଘଟିଲା ବେଳେ ଉତ୍ସବ ମନାଇବାରେ ତୁମେ ପ୍ରଥମ ଏବଂ ସର୍ବାଧିକ ଆନିମେଟଡ୍‌ ଖେଳାଳି ଥିଲ’’ ବୋଲି ମୋଦୀ ଚିଠିଲେ ଲେଖିଛନ୍ତି।

ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ମଧ୍ୟ ଜଣେ ଚର୍ଚ୍ଚିତ ଆଇପିଏଲ୍‌ କିଂବଦନ୍ତି ଭାବେ ରାଇନାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ‘‘ଜଣେ ବ୍ୟାଟ୍‌ସମ୍ୟାନ୍‌ ଭାବେ ତୁମେ ବିଶେଷକରି ସବୁ ମାଧ୍ୟମରେ ତୁମକୁ ପ୍ରତିଷ୍ଠିତ କରିପାରିଥିଲ। ନିର୍ଦିଷ୍ଟ ଭାବେ କ୍ରିକେଟ୍‌ର ନୂଆ ଫର୍ମାଟ୍‌ ଟ୍ବେଣ୍ଟି-୨୦ରେ। ଏହା ଆଦୌ ସହଜ ଫର୍ମାଟ୍‌ ନୁହେଁ। ଆମ ସମୟ ଅନୁରୂପ ଏବର ଦ୍ବୈତ ଦ୍ରୁତ ସମୟରେ ଚଟାପଟ ଯୋଡ଼ି ହୋଇଯିବାର ଆବଶ୍ୟକତା ରଖୁଛି। ପୁଣି ଥରେ କହୁଛି, ତୁମର ସ୍ମାର୍ଟ ଓ ଗତି ଏହି ଫଟାଫଟ ଫର୍ମାଟ୍‌ ପାଇଁ ସଂପତ୍ତି ଥିଲା’’ ବୋଲି ମୋଦୀ ଉଲ୍ଲେଖ କରିବା ସହି ଆଇପିଏଲ୍‌ର ସର୍ବାଧିକ ଆକର୍ଷଣୀୟ ବ୍ୟାଟ୍‌ସମ୍ୟାନ୍‌ ରାଇନାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ରାଇନାଙ୍କ କ୍ଷୀପ୍ର କ୍ଷେତ୍ରରକ୍ଷଣ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଚିଠିରେ ଉଲ୍ଳେଖ ଥିଲା। ‘‘ତୁମର କ୍ଷେତ୍ରରକ୍ଷଣ ଅନୁକରଣୀୟ ଏବଂ ପ୍ରେରଣାଦାୟୀ ଥିଲା। ନିକଟରେ ଆନ୍ତର୍ଜାତିକ କ୍ରିକେଟ୍‌ରେ ଶ୍ରେଷ୍ଠ କ୍ୟାଚ୍‌ଗୁଡ଼ିକ ମଧ୍ୟରୁ କେତେକ ତୁମର ବିଶିଷ୍ଟ ଛାପ ହୋଇ ରହିଛି। ତୁମ ଚମତ୍କାର କ୍ଷେତ୍ରରକ୍ଷଣ ଜରିଆରେ ପଡ଼ିଆରେ ଦଳ ପାଇଁ କେତେ ସଂଖ୍ୟକ ରନ୍‌ ବଞ୍ଚାଇଛ ତା’କୁ ଗଣିବା ପାଇଁ କିଛି ଦିନ ଲାଗିଯିବ।’’।

‘ସ୍ବଚ୍ଛ ଭାରତ ଅଭିଯାନ’ ଏବଂ ‘ମହିଳା ସଶକ୍ତିକରଣ’ ଭଳି ସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତି ପାଇଁ ମଧ୍ୟ ରାଇନାଙ୍କୁ ମୋଦୀ ପ୍ରଶଂସା କରିଛନ୍ତି। ଭାରତୀୟ ସଂସ୍କୃତିର ମୂଳଧାରାରେ ଯୋଡ଼ି ହୋଇଥିବାରୁ ମୁଁ ଆନନ୍ଦିତ ବୋଲି କହିଛନ୍ତି ମୋଦୀ। ମୁଁ ଦୃଢ଼ତାର ସହ କହୁଛି, ତୁମେ ଅବସର ପରବର୍ତୀ ସମୟରେ ଏକାଭଳି ଫଳପ୍ରଦ ଓ ସଫଳ ପାଳି ଗଢ଼ିଚାଲିବ ବୋଲି ପ୍ରଧାନମନ୍ତ୍ରୀ ଶୁଭକାମନା ବାର୍ତାରେ କହିଛନ୍ତି।

ପରୋକ୍ଷରେ ରାଇନା ମଧ୍ୟ ତାଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ‘‘ଆମେ ଯେତେବେଳେ ଖେଳୁଥିଲୁ, ଆମେ ଆମର ରକ୍ତ ଓ ଝାଳ ଦେଶ ପାଇଁ ନିଗାଡ଼ି ଦେଉଥିଲୁ। ସେଥିପାଇଁ ଦେଶବାସୀଙ୍କ ଭଲ ପାଇବାଠୁ ଆଉ କିଛି ଆମ ପାଇଁ ବଡ଼ କୃତଜ୍ଞତା ହେବନି। ପୁଣି ପ୍ରଧାନମନ୍ତ୍ରୀଙ୍କ ଭାବାବେଗ ଚିଠି ଆମ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ। ତୁମ ପ୍ରଶଂସାମୂଳକ ଓ ଶୁଭେଚ୍ଛାଦାୟୀ ଶବ୍ଦ ନିମନ୍ତେ ଧନ୍ୟବାଦ। ମୁଁ ନମ୍ରତାର ସହ ଆପଣଙ୍କ ପ୍ରଶଂସା ଓ ଶୁଭକାମନାକୁ ଗ୍ରହଣ କରୁଛି। ‘‘ଜୟ ହିନ୍ଦ୍’’ ବୋଲି ରାଇନା ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର