ଇପୋ (ମାଲେସିଆ): ୨୭ତମ ସୁଲ୍ତାନ ଆଜ୍ଲାନ୍ ଶାହା କପ୍ ହକି ପ୍ରତିଯୋଗିତାରେ ଶନିବାର ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କ ଯୁଗଳ ଗୋଲ୍ ସତ୍ତ୍ୱେ ଆର୍ଜେଣ୍ଟିନା ନିକଟରୁ ହାରିଯାଇଥିବା ଭାରତ ରବିବାର ଅନ୍ୟତମ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରାଙ୍କ ଗୋଲ୍ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଜିତି ପାରିଲାନି। ମ୍ୟାଚ୍ର ଚତୁର୍ଦଶ ମିନିଟ୍ରେ ଶିଳାନନ୍ଦ ଚମତ୍କାର ଗୋଲ୍ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ରମଣଦୀପ୍ ସିଂହଙ୍କଠୁ ପାସ୍ ପାଇବା ପରେ ତଲ୍ଓ୍ଵିନ୍ଦର ସିଂହ ଗୋଲ୍ପୋଷ୍ଟକୁ ବଲ୍ ମାରିଥିଲେ। ହେଲେ ଇଂଲଣ୍ଡ ଗୋଲ୍ରକ୍ଷକ ହାରି ଗିବ୍ସନ୍ ଏହାକୁ କଷ୍ଟେମଷ୍ଟେ ଅଟକାଇ ଦେଇଥିଲେ ମଧ୍ୟ ବଲ୍ ସିଧା ଶିଳାନନ୍ଦଙ୍କ ପାଖକୁ ଚାଲିଯାଇଥିଲା। ଆଉ ଶିଳାନନ୍ଦ କୌଣସି ତ୍ରୁଟି ନକରି ବଲ୍କୁ ନେଟ୍ ଭିତରକୁ ଠେଲି ଦେଇଥିଲେ। ଏଥି ସହିତ ଭାରତ ୧-୦ ଗୋଲ୍ରେ ଆଗୁଆ ହୋଇଯାଇଥିଲା। ପ୍ରଥମ କ୍ୱାର୍ଟରରେ ଶିଳାନନ୍ଦ ଏହି ଗୋଲ୍ କରିବା ପରେ ପରବର୍ତୀ ଦୁଇ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ଏହି ସମୟରେ ଭାରତ ୮ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ସବୁଗୁଡ଼ିକୁ ଇଂଲଣ୍ଡ ଗୋଲ୍ରକ୍ଷକ ପ୍ରତିହତ କରିଦେଇଥିଲେ। ଭାରତ ଗୋଲ୍ କରିପାରିନଥିଲେ ମଧ୍ୟ ପ୍ରତିପକ୍ଷକୁ ଗୋଲ୍ କରିବାରୁ ସୁଯୋଗ ଦେଇନଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ କିନ୍ତୁ ଭାରତକୁ ଝଟ୍କା ଲାଗିଥିଲା। ଶିଳାନନ୍ଦ ସବୁଜ କାର୍ଡ ପାଇଁ ପଡ଼ିଆ ବାହାରକୁ ଚାଲିଯାଇଥିବାରୁ ଭାରତ ୧୦ ଜଣରେ ଖେଳିଥିଲା। ଏହି ସମୟରେ ଇଂଲଣ୍ଡ ତା’ର ପ୍ରଥମ ପେନାଲ୍ଟି କର୍ନର ପାଇଥିଲା। ହେଲେ ଭାରତ ଗୋଲ୍ ହେବାକୁ ଦେଇନଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ୧-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍ ଜିତିବାର ସମ୍ଭାବନା ମଧ୍ୟ ରହିଥିଲା। ଏପରିକି ଭାରତ ମଧ୍ୟ ୫୨ ମିନିଟ୍ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖିଥିଲା। ହେଲେ ଚତୁର୍ଥ କ୍ୱାର୍ଟରରେ ତଥା ୫୨ ମିନିଟ୍ରେ ମାର୍କ ଗ୍ଲେଗ୍ହର୍ନ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଗୋଲ୍ କରି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ତଥାପି ୫୯ ମିନିଟ୍ରେ ଭାରତ ପାଇଁ ବିଜୟ ସୁଯୋଗ ଆସିଥିଲା। ବରୁଣ କୁମାରଙ୍କ ଲମ୍ବା ସଟ୍ ଇଂଲଣ୍ଡର ଷ୍ଟ୍ରାଇକିଂ ସର୍କଲ ଭିତରେ ଚାଲିଯାଇଥିଲା ବେଳେ ଭାରତ ଏହାର ଫାଇଦା ଉଠାଇ ପାରିନଥିଲା। ଫଳରେ ନିର୍ଧାରିତ ସମୟ ଶେଷରେ ମ୍ୟାଚ୍ ୧-୧ ସ୍ଥିତିରେ ଅମୀମାଂସିତ ରହିବାରୁ ଉଭୟ ଦଳ ପଏଣ୍ଟ୍ ବାଣ୍ଟିଥିଲେ। ୨ ମ୍ୟାଚ୍ରୁ ଗୋଟିଏ ପରାଜୟ ଓ ଗୋଟିଏ ଅମୀମାଂସିତ ସହାୟତାରେ ଭାରତ ଏହି ୬ ଦଳୀୟ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି। ସୋମବାର ବିଶ୍ରାମ ଦିବସ ଥିବାରୁ ଭାରତ ତା’ର ତୃତୀୟ ତଥା ପରବର୍ତୀ ମ୍ୟାଚ୍ ଆସନ୍ତା ୬ ତାରିଖ ଦିନ ବିଶ୍ୱ ମାନ୍ୟତାର ଶୀର୍ଷ ଅଷ୍ଟ୍ରେଲିଆ ସହ ଖେଳିବ।
ଇଂଲଣ୍ଡ ସହ ପଏଣ୍ଟ୍ ବାଣ୍ଟିଲା ଭାରତ
ସୁଲ୍ତାନ ଆଜ୍ଲାନ୍ ଶାହା କପ୍ ହକି
/sambad/media/post_attachments/wp-content/uploads/2018/03/6-Indian-Mens-Hockey-team-members-celebrate-their-goal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)