ଆଇପିଏଲ୍‌କୁ ଫେରିବେ ପଣ୍ଟିଂ

ମୁମ୍ବାଇ,: ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ରିକି ପଣ୍ଟିଂ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ପୁଣି ଥରେ ଫେରିବାର ସମ୍ଭାବନା ଦେଖାଦେଇଛି। ସେ ଆସନ୍ତା ବର୍ଷ ଦିଲ୍ଲୀ ଡେୟାରଡେଭିଲ୍ସର ପ୍ରଶିକ୍ଷକ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ପଣ୍ଟିଂ ମଧ୍ୟ ୨ ବର୍ଷ ବାସନ୍ଦ ପରେ ଆଇପିଏଲ୍‌କୁ ଫେରିଥିବା ରାଜସ୍ଥାନ ରୟାଲ୍ସର ପ୍ରଶିକ୍ଷକ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। ୨୦୧୫ ଓ ୨୦୧୬ ଦୁଇ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ସଫଳ ପ୍ରଶିକ୍ଷକ ରହିଥିବା ପଣ୍ଟିଂ ୨୦୧୭ରେ ଆଇପିଏଲ୍‌ଠୁ ଦୂରେଇ ରହିଥିଲେ। କିନ୍ତୁ ଏବେ ଦିଲ୍ଲୀ ଡେୟାରଡେଭିଲ୍ସ ଶିବିର ଛାଡ଼ି ଟିଏ ଶେଖର ମୁମ୍ବାଇ ଶିବିରରେ ଯୋଗ ଦେଇଥିବାରୁ ତାଙ୍କ ସ୍ଥାନ ଖାଲିପଡ଼ିଛି। ସେହିପରି ପୂର୍ବତନ ଅଲ୍‌ରାଉଣ୍ଡର୍‌ ରବିନ୍‌ ସିଂହ ଏବଂ ପାରସ୍‌ ମାହାମ୍ବ୍ରେ ଅନ୍ୟ ଲିଗ୍‌ରେ ବ୍ୟସ୍ତ ରହିବା ଲାଗି ଦିଲ୍ଲୀ ଛାଡ଼ିବାର ସମ୍ଭାବନା ରହିଛି। ଏଭଳି ସମୟରେ ଆମେ ପ୍ରଶିକ୍ଷକ ଖୋଜିବାରେ ରହିଛୁ। ଆମ ଦଳ ପଣ୍ଟିଂଙ୍କୁ ପ୍ରଶିକ୍ଷକ କରିବା ଲାଗି ଆଗ୍ରହ ରହିଛି। ଏଥି ଲାଗି ଆମେ ତାଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛୁ ବୋଲି ଦିଲ୍ଲୀ ଡେୟାରଡେଭିଲ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ଦୁଆ କହିଛନ୍ତି। ନୀତିଗତ ନିଷ୍ପତ୍ତି ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର