ପୋଲାଣ୍ଡ୍‌ ମୁଷ୍ଟିଯୁଦ୍ଧ: ମେରି କମ୍‌ଙ୍କୁ ସ୍ୱର୍ଣ୍ଣ; ମନୀଷା ଜିତିଲେ ରୌପ୍ୟ

ଗ୍ଲିଓ୍ଵିସ୍‌ (ପୋଲାଣ୍ଡ): ପାଞ୍ଚ ଥର ବିଶ୍ୱ ବିଜୟିନୀ ଏମ୍‌ସି ମେରି କମ୍‌ ଏଠାରେ ଚାଲିଥିବା ତ୍ରୟୋଦଶ ଆନ୍ତର୍ଜାତିକ ସିଲେସିଆନ୍‌ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ମନୀଷା ରୌପ୍ୟ ପଦକ କରାୟତ କରିଛନ୍ତି। ଶନିବାର ୪୮ କେଜି ବର୍ଗ ଫାଇନାଲ୍‌ରେ ମେରି କମ୍‌ କାଜାକସ୍ତାନ ପ୍ରତିଦ୍ୱନ୍ଦ୍ୱୀ ଆଇଗେରିମ୍‌ କାସାନାୟେଭାଙ୍କୁ ୫-୦ରେ ଧରାଶାୟୀ କରି ବରିଷ୍ଠ ବର୍ଗରେ ଭାରତ ପାଇଁ ଏକମାତ୍ର ସ୍ୱର୍ଣ୍ଣ ଜିତି ନେଇଛନ୍ତିି। ଚଳିତ ବର୍ଷ ଏହା ମେରି କମ୍‌ଙ୍କର ତୃତୀୟ ସ୍ୱର୍ଣ୍ଣ ପଦକ ରହିଛି। ୨୦୧୪ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜୟିନୀ ଏହି ମଣିପୁର ମହିଳା ଏହା ପୂର୍ବରୁ ସେ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଓପନ୍‌ ପ୍ରଥମ ସଂସ୍କରଣ ଏବଂ ଗୋଲ୍‌ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲେ। ମେରି କମ୍‌ ମଧ୍ୟ ଚଳିତ ବର୍ଷ ବୁଲ୍‌ଗେରିଆରେ ଆୟୋଜିତ ଷ୍ଟ୍ରାଞ୍ଜା ସ୍ମାରକୀ ପ୍ରତିଯୋଗିତାରେ ରୌପ୍ୟ ପଦକ ଅର୍ଜନ କରିଥିଲେ।

ମେରି କମ୍‌ଙ୍କ ପରେ ଅନ୍ୟତମ ଭାରତୀୟ ଭାବେ ମନୀଷା ପୋଲାଣ୍ଡ୍‌ରେ ୫୪ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଶନିବାର ଫାଇନାଲ୍‌ରେ ପୂର୍ବତନ ଏସୀୟ ୟୁଥ୍‌ ବିଜୟିନୀ ମନୀଷା ଖୁବ୍‌ ଲଢ଼ିବା ସତ୍ତ୍ୱେ ୟୁକ୍ରେନ୍‌ ପ୍ରତିଦ୍ୱନ୍ଦ୍ୱୀ ଈଭାନ୍ନା କ୍ରୁପେନିଆଙ୍କ ନିକଟରୁ ୨-୩ରେ ହାରି ଯାଇଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଏହି ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ଆଉ ୪ ଭାରତୀୟ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସେମାନେ ହେଲେ ପୂର୍ବତନ ବିଶ୍ୱ ବିଜୟିନୀ ଏଲ୍‌ ସରିତା ଦେବୀ (୬୦ କେଜି), ରିତୁ ଗ୍ରେଓ୍ଵାଲ (୫୧ କେଜି), ଲଭ୍‌ଲିନା ବୋର୍ଗୋହେଁ (୬୯ କେଜି) ଏବଂ ପୂଜା ରାଣୀ (୮୧ କେଜି)। ଅନ୍ୟପକ୍ଷରେ ଯୁବ ବର୍ଗରେ ପୂର୍ବତନ ବିଶ୍ୱ ବିଜୟିନୀ ତଥା ଭାରତର ଏକମାତ୍ର ଯୋଦ୍ଧା ଜ୍ୟୋତି ଗୁଲିଆ (୫୧ କେଜି) ଆସନ୍ତା ମାସରେ ଆର୍ଜେଣ୍ଟିନାରେ ଆୟୋଜିତ ହେବାକୁ ଯାଉଥିବା ୟୁଥ୍‌ ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର