କରୋନା ନିୟମ ଉଲଂଘନ ଯୋଗୁଁ ରାସ୍ତାରେ ପୃଥ୍ବୀ ସ’ଙ୍କୁ ଅଟକ ରଖିଲା ପୁଲିସ

ଗୋଆ : ଆଇପିଏଲ୍‌ ଅଧାରୁ ସ୍ଥଗିତ ରହିବା ଏବଂ ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇନଥିବା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଏହି ବିରତି ସମୟରେ ଗୋଆରେ ଛୁଟି କାଟିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିଲାଗି ସେ ଗୋଆ ଅଭି‌ମୁଖେ ଯାତ୍ରା କରିଥିଲେ। କୋହ୍ଲାପୁର ଦେଇ ସେ ଏହି ଯାତ୍ରା କରୁଥିବା ବେଳେ ତାଙ୍କୁ ଆମ୍ବୋଲିରେ ପୁଲିସ ରାସ୍ତାରେ ଅଟକାଇଥିଲା। କରୋନା ମହାମାରୀ ସମୟରେ ‌ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଇ-ପାସ୍‌ର ଆବଶ୍ୟକତା ରହିଛି। ହେଲେ ଆମ୍ବୋଲିରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ୨୧ ବର୍ଷୀୟ ସ’ଙ୍କ ପାଖରେ ଇ-ପାସ୍‌ ନଥିଲା। ଫଳରେ ତାଙ୍କୁ ଗୋଆ ପୁଲିସ ଅଟକ ରଖିଥିଲା। ‌ସେ ବହୁ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଛାଡ଼ିନଥିଲା। ଶେଷରେ, ଘଣ୍ଟାଏରୁ ଅଧିକ ସମୟ ଅପେକ୍ଷା କରିବା ପରେ ସ’ ଫୋନ୍ ମାଧ୍ୟମରେ ଇ-ପାସ୍ ପାଇଁ ଆବେଦନ କଲେ ଏବଂ ଗୋଆ ଯାତ୍ରା ପାଇଁ ଅନୁମତି ପାଇବାପରେ ପୁଲିସ ତାଙ୍କୁ ଛାଡ଼ିଥିଲା।

ସମ୍ବନ୍ଧିତ ଖବର