ନୂଆଦିଲ୍ଲୀ : ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ରାଜନୀତି ପ୍ରବେଶ କରିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍ଗା ଗାନ୍ଧୀ ଧରାଣାସ୍ଥଳରେ କୁସ୍ତିଯୋଦ୍ଧାଙ୍କୁ ଭେଟିବା ସହିତ ସମର୍ଥନ ଜଣାଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଆନ୍ଦୋଳନ ସପ୍ତମ ଦିବସରେ ପହଞ୍ଚିଛି। ଯୌନ ନିର୍ଯ୍ୟାତନା ଦେଇଥିବା ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ତାଙ୍କ ସାଂସଦ ପଦ ରଦ୍ଦ କରିବା ଏବଂ ଗିରଫ ଆଦି ଦାବି ଜୋର ‌ହୋଇଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ଶୁକ୍ରବାର ବ୍ରିଜଭୂଷଣଙ୍କ ନାମରେ ଦୁଇଟି ମାମଲା ଦାଏର କରିଥିଲା। ତେବେ ସମସ୍ତ ଦାବି ହାସଲ ନ ହେବା ଯାଏଁ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ସେମାନେ ଘୋଷଣା କରିଥିଲେ। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ବିଜେତା ବଜରଙ୍ଗ ପୁନିଆଙ୍କ ସହିତ ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟଙ୍କ ନେତୃତ୍ବରେ ଆନ୍ଦୋଳନ ଚାଲିଛି। ଶନିବାର ସେମାନଙ୍କୁ ଏଫ୍‌ଆଇଆର୍‌ କପି ମଧ୍ୟ ମିଳି ସାରିଛି।

Advertisment

‘ଯେଉଁମାନେ ଦେଶକୁ ଭଲ ପାଉଛନ୍ତି, ସେମାନେ କଂଗ୍ରେସ, ଆପ୍‌, ବିଜେପିର ହୋଇଥା’ନ୍ତୁ କିମ୍ବା କୌଣସି ଦଳ ସହ ଜଡ଼ିତ ନଥିବା ବ୍ୟକ୍ତି ଏହି କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ଉଚିତ। ଆମେ ସମସ୍ତ ପ୍ରକାର ସମର୍ଥନ ଯୋଗାଇ ଦେବୁ। କେନ୍ଦ୍ର ସରକାରଙ୍କୁ ଅନୁରୋଧ ଆନ୍ଦୋଳନରତ ଖେଳାଳିଙ୍କ ପାଣି, ବିଦ୍ୟୁତ ଓ ଅନ୍ୟ ମୌଳିକ ସୁବିଧାକୁ ନ କାଟନ୍ତୁ।’ ବୋଲି କେଜ୍ରିୱାଲ୍ ପ୍ରକାଶ କରିଛନ୍ତି। ସେହିଭଳି ପ୍ରିୟଙ୍କା ଗାନ୍ଧୀ ଆନ୍ଦୋଳନକାରୀଙ୍କୁ ଭେଟି ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ। ଗୁଣ୍ଡା ଷ୍ଟ୍ରଙ୍ଗମ୍ୟାନ୍‌ ବ୍ରିଜଭୂଷଣ ତୁରନ୍ତ ଗିରଫ ହେବା ଉଚିତ୍ ବୋଲି ସେ ଦାବି କରିଥିଲେ।

publive-image

ଫୋଗଟ ଭଉଣୀ ମୁହାଁମୁହିଁ
ଆନ୍ଦୋଳନକୁ ନେଇ ଦୁଇ ଖ୍ୟାତନାମା କୁସ୍ତି ଭଉଣୀ ଭିନେଶ ଓ ବବିତା ଫୋଗଟ ମୁହାଁମୁହିଁ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧୀ ଧାରଣାସ୍ଥଳ ବୁଲିଯିବା ପରେ ସାମାଜିକ ଗଣମାଧ୍ୟମରେ ଏହି ଦୁଇ ତାରକା କୁସ୍ତିଯୋଦ୍ଧା ଭଉଣୀ ବାକ୍ୟ ବିନିମୟ କରିଛନ୍ତି। ‘ଅନୁରୋଧ କରୁଛି ଆମ ଆନ୍ଦୋଳନକୁ ଦୁର୍ବଳ କରନାହିଁ’‌ ବୋଲି ଭିନେଶ ତାଙ୍କ ସମ୍ପର୍କୀୟ ଭଉଣୀ ବବିତାଙ୍କୁ ଲେଖିଛନ୍ତି। ପ୍ରିୟଙ୍କାଙ୍କ ସମର୍ଥନ ପରେ ବବିତା ସିରିଜ ଟ୍ବିଟ୍ କରି ଖେଳ ମଞ୍ଚର ରାଜନୀତିକରଣକୁ ନିନ୍ଦା କରିଥିଲେ। ବବିତା ଲେଖିଥିଲେ ‘ଶୂନରୁ ଆସି ଶିଖର ପହଞ୍ଚିଥିବା ଆମ ଖେଳାଳିମାନେ ନିଜେ ଲଢ଼େଇ କରିବାକୁ ସକ୍ଷମ। ଖେଳାଳିଙ୍କ ମଞ୍ଚକୁ ରାଜନୈତିକ ମଞ୍ଚରେ ପରିଣତ କରିବାର ଆବଶ୍ୟକତା ନାହିଁ। କିଛି ନେତା ଖେଳାଳିଙ୍କ ମଞ୍ଚରୁ ନିଜ ରାଜନୀତି ପ୍ରୟାସ କରୁଛନ୍ତି। ଖେଳାଳିଙ୍କୁ ଧ୍ୟାନ ରଖିବାକୁ ହେବ ଆମେ ଦେଶ ସମୂହର, ‌କୌଣସି ବ୍ୟକ୍ତି ବିଶେଷଙ୍କର ନୁହଁ’।

ଆଉ ଏକ ଟ୍ବିଟ୍‌ରେ ବବିତା ଲେଖିଛନ୍ତି, ‘ପ୍ରିୟଙ୍କା ଗାନ୍ଧୀ ତାଙ୍କ ସଚିବ ସନ୍ଦୀପ ସିଂହଙ୍କୁ ଧରି ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ଯନ୍ତର ମନ୍ତର ଆସିଥିଲେ। ଏହି ବ୍ୟକ୍ତି (ସନ୍ଦୀପ ସିଂହ)ଙ୍କ ନାମରେ ଦଳିତ ମହିଳାଙ୍କୁ ମାରପିଟ କରିବା ଅଭିଯୋଗ ରହିଛି। ବବିତାଙ୍କ ଏଭଳି ଟ୍ବିଟ୍ ପରେ କିଛି ପ୍ରଶଂସକ ତାଙ୍କୁ ଅନଫଲୋ କରି ଦେଇଛନ୍ତି। ଭିନେଶ ପୁଣି ‌ଲେଖିଛନ୍ତି ‘ସମର୍ଥନ ନ କଲେ ନାହିଁ, ବବିତା ଭଉଣୀ ହାତ ଯୋଡ଼ି ଅନୁରୋଧ କରୁଛି ଆମ ଆନ୍ଦୋଳନକୁ ଦୁର୍ବଳ କରିବାକୁ ଚେଷ୍ଟା କରନାହିଁ। ମହିଳା କୁସ୍ତିଯୋଦ୍ଧାମାନଙ୍କୁ ସ୍ବର ଉତ୍ତୋଳନ କରିବାକୁ ବର୍ଷ ବର୍ଷ ଲାଗିଯାଇଛି। ଜଣେ ମହିଳା ଭାବେ ଆମ ଦରଦ ବୁଝିବାକୁ ଚେଷ୍ଟା କର’। ସୂଚନାଯୋଗ୍ୟ, ବବିତା ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜୟିନୀ ହୋଇଥିବା ବେଳେ ଭିନେଶ ଉଭୟ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ବିଜୟିନୀ ହୋଇଥିଲେ।

ବିବାଦ ପଛରେ କିଏ ସ୍ପଷ୍ଟ ହେଲା..
ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ପରେ ଅଭିଯୁକ୍ତ ବ୍ରିଜଭୂଷଣ ଶରଣ ସିଂହ ଏହାକୁ ଦୃଢ଼ ଭାବେ ବିରୋଧ କରିଛନ୍ତି। ‘ଆଜି ସ୍ପଷ୍ଟ ହୋଇଗଲା ବିବାଦ ପଛରେ କିଏ। ଆରମ୍ଭ ଦିନରୁ ମୁଁ କହିଆସୁଛି ଏହି ବିବାଦ ପଛରେ ଜଣେ ଶିଳ୍ପପତି ଓ କଂଗ୍ରେସ ରହିଛି। ସେମା‌ନେ ମୋ‌ ଉପରେ ଖପ୍ପା ଥିବାରୁ ଏଭଳି କରୁଛନ୍ତି। ମୁଁ ଜଣେ ଅପରାଧୀ ନୁହେଁ, ଇସ୍ତଫା ଦେଇଦେଲେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଗ୍ରହଣ କରିନେବା ଭଳି ହେବ। ମୋ ବିରୋଧରେ ଏଫଆଇଆର୍‌ ଦାଏର ପରେ ମଧ୍ୟ ସେମାନେ କାହିଁକି ଧାରଣାରେ ବସିଛନ୍ତି। ଏହି ‌ଆନ୍ଦୋଳନ ଖେଳାଳିଙ୍କ ଦ୍ବାରା ନୁହେଁ ଷଡ଼ଯନ୍ତ୍ରକାରୀଙ୍କ ଦ୍ବାରା ପରିଚାଳିତ। ସେମାନେ ନିୟମିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କ୍ରୀଡ଼ା ମନ୍ତ୍ରଣାଳୟ ବିପକ୍ଷରେ କହିଚାଲିଛନ୍ତି। ତଦନ୍ତ ‌ରିପୋର୍ଟ ସାର୍ବଜନିନ ହେବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଲେ ନାହିଁ। ସୁପ୍ରି‌ମକୋର୍ଟ ଗଲେ ନୂଆ ଅଭିଯୋଗ ନେଇ। ଖେଳକୁ ବଞ୍ଚାଇବା କଥା କହୁଛନ୍ତି କିନ୍ତୁ ବିଗତ ୪ ମାସ ହେବ ଖେଳର ବହୁ କ୍ଷତି କରି ସାରିଛନ୍ତି। ‘ମୁଁ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି ଏବଂ ଆଇନ ଉପରେ ମଧ୍ୟ ମୋର ଦୃଢ଼ ବିଶ୍ବାସ ଅଛି’ ବୋଲି ବ୍ରିଜଭୂଷଣ କହିଛନ୍ତି।

ସ୍ବତଃ ହଟିବେ ବ୍ରିଜଭୂଷଣ
ଆନ୍ଦୋଳନକାରୀମାନେ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଇସ୍ତଫା ଦାବି କରି ଆସିଥିବା ବେଳେ ସେ ସ୍ବତଃ ପଦରୁ ବିଦାୟ ନେବେ ବୋଲି ଜଣାପଡ଼ିଛି। ଦୀର୍ଘ ୧୨ ବର୍ଷ ଧରି ସଭାପତି ପଦରେ ଥିବାରୁ ବ୍ରିଜଭୂଷଣ ଚଳିତ ବର୍ଷ ନିର୍ବାଚନ ପର୍ଯ୍ୟନ୍ତ ହିଁ ଏହି ପଦରେ ରହିବେ। ଆଉ ଏକ ଅବଧି ଲଢ଼ିବା ପାଇଁ ମଧ୍ୟ ସେ ଯୋଗ୍ୟ ନୁହନ୍ତି। ନୂଆ ସଭାପତି ଆସିବା ପର୍ଯ୍ୟନ୍ତ ସେ କେବଳ କାମଚଳା ଦାୟିତ୍ବ ତୁଲାଉଛନ୍ତି। ଷଷ୍ଠ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିବା ବ୍ରିଜଭୂଷଣ ବର୍ତମାନ ଭାଜପା ଟିକେଟରେ ଉତ୍ତରପ୍ରଦେଶର କିଶରଗଞ୍ଜର ପ୍ରତିନିଧିତ୍ବ କରୁଛନ୍ତି। ଜଣେ ବାହୁବଳୀ ନେତା ଭାବେ ପରିଚିତ ଥିବାରୁ ତାଙ୍କୁ ଏବେ ବିରୋଧୀ ନେତା ମାନେ ଘେରିବାକୁ ଚେଷ୍ଟା କରିଛନ୍ତି। କୁସ୍ତିଯୋଦ୍ଧାଙ୍କୁ ଅସ୍ତ୍ର କରିଛନ୍ତି। ‘ଅଭିଯୁକ୍ତ କୁସ୍ତିଯୋଦ୍ଧାମାନେ ପ୍ରଥମେ ଏଫଆଇଆର୍‌ ଦାଏର ଦାବି କରିଥିଲେ, ଏବେ ମୋତେ ଜେଲ ଭର୍ତ୍ତି କରିବା ଦାବି ଉଠାଇଲେଣି। କାହାର ଦୟାରେ ମୁଁ ସାଂସଦ ହୋଇନାହିଁ। ମୋ ଅଞ୍ଚଳ ଲୋକ ଭୋଟ ଦେଇଛନ୍ତି। ସମ୍ପୂର୍ଣ୍ଣ ହରିୟାଣା ଓ ଉତ୍ତରପ୍ରଦେଶର ଆଖଡ଼ାଗୁଡିକ ମୋ ସହିତ ଅଛନ୍ତି। କେବଳ ଗୋଟିଏ ‘ପରିବାର ଆଖଡ଼ା’ ମୋ ବିରୋଧରେ ଯାଇ ଏହି ନାଟକ ଚଳାଇଛି’ ବୋଲି ବ୍ରିଜଭୂଷଣ ପ୍ରକାଶ କରିଛନ୍ତି। ଖୁବ୍ ଶ୍ରୀଘ୍ର ମୁଁ ମୋ ନୀରିହତା ପ୍ରମାଣିତ କରିବି ଏବଂ ସତ୍ୟ ପଦାକୁ ଆସିବ ବୋଲି ସେ କହିଥିଲେ। ‘ଇସ୍ତଫା ଦେବା‌ ମୋ ପାଇଁ ବଡ଼ କଥା ନୁହେଁ। ମୋ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହୋଇଯାଉଛି। ୪୫ ଦିନ ଭିତରେ ନିର୍ବାଚନ ହେଲେ ମୋ କାର୍ଯ୍ୟକାଳ ସରିଯିବ ବୋଲି ଏହି ୬୬ ବର୍ଷୀୟ ସାଂସଦ ପ୍ରକାଶ କରିଥିଲେ।