ନୂଆଦିଲ୍ଲୀ : ୱେଷ୍ଟ୍‌ଇଣ୍ଡିଜ୍‌ର କିରନ ପୋଲାର୍ଡ ଏବଂ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୟୁଏଇରେ ହେବାକୁଥିବା ଅନ୍ତର୍ଜାତୀୟ ଲିଗ୍‌ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଏମିରେଟ୍ସ ପକ୍ଷରୁ ଖେଳିବେ। ଏହି ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକାନାରେ ଥିବା ଏହି ଆବୁଧାବି ଫ୍ରାଞ୍ଚାଇଜ୍‌ ଶୁକ୍ରବାର କହିଛି। ପୋଲାର୍ଡ ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଦକ୍ଷିଣ ଆଫ୍ରିକାରେ ହେବାକୁଥିବା ଲିଗ୍‌ରେ କେପ୍‌ ଟାଉନ୍‌ ଫ୍ରାଞ୍ଚାଇଜ୍‌ ଦଳରେ ମଧ୍ୟ ରହିଛନ୍ତି। ଏମାନଙ୍କ ଛଡ଼ା ୱେଷ୍ଟଇଣ୍ଡିଜ୍‌ର ୩ ଜଣ ନିକୋଲାସ ପୂରନ, ଭେଟେରାନ ଡ୍ବାନ୍‌ ବ୍ରାଭୋ ଓ ଆନ୍ଦ୍ରେ ଫ୍ଲେଚରଙ୍କୁ ଏମ୍‌ଆଇ ଏମିରେଟ୍ସ ନେଇଛି। ପୂର୍ବରୁ ବ୍ରାଭୋ ଓ ପୂରନ ମୁମ୍ବାଇ ଇଣ୍ଡିଆନ୍‌ ପକ୍ଷରୁ ଖେଳିସାରିଛନ୍ତି। ମୋଟ ୧୪ ଜଣ ବିଦେଶୀ ଖେଳାଳିଙ୍କ ସହ ଏହି ଦଳ ସିଧାସଳଖ ଚୁକ୍ତି କରିଛି। ୟୁଏଇ ଘରୋଇ ଖେଳାଳିଙ୍କ ସହ ପରବର୍ତ୍ତୀ ସମୟରେ ଚୁକ୍ତି ହେବ ବୋଲି ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଛି। ଚୂଡ଼ାନ୍ତ ଏକାଦଶରେ ୯ ବିଦେଶୀ ଏବଂ ୨ ଘରୋଇ ଖେଳାଳି ରହିବାର ନିୟମ ରହିଛି।

Advertisment

ଏମ୍‌ଆଇ ଏମିରେଟ୍ସ ବିଦେଶୀ ଖେଳାଳି: କିରଣ ପୋଲାର୍ଡ, ନିକୋଲାସ ପୂରନ, ଡ୍ବାନ୍‌ ବ୍ରାଭୋ, ଆନ୍ଦ୍ରେ ଫ୍ଲେଚର (ୱେଷ୍ଟ୍‌ଇଣ୍ଡିଜ), ଟ୍ରେଣ୍ଟ ବୋଲ୍ଟ (ନ୍ୟୁଜିଲାଣ୍ଡ), ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା), ନଜିବୁଲା ଜଦ୍ରାନ, ଜାହିର ଖାନ, ଫଜାଲହକ ଫାରୁକି (ଆଫ୍‌ଗାନିସ୍ତାନ), ସମିତ ପଟେଲ, ୱିଲ ସ୍ମିଦ, ଜୋର୍ଡାନ ଥମ୍ପସନ (ଇଂଲଣ୍ଡ), ବ୍ରାଡ ହ୍ବିଲ (ସ୍କଟ୍‌ଲାଣ୍ଡ), ବାସ ଡି’ଲିଡ୍‌ (ନେଦରଲାଣ୍ଡ୍ସ)।