ଆବୁଧାବି : କରୋନା ମହାମ‌ାରୀ ଯୋଗୁଁ ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଅଧାରୁ ବନ୍ଦ ରହିବା ପରେ ଆୟୋଜକ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏହାକୁ ୟୁଏଇ ସ୍ଥାନାନ୍ତର କରିଥିଲା। ଫଳରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଆସନ୍ତା ରବିବାରଠାରୁ ୟୁଏଇର ତିନିଟି ଭେନ୍ୟୁରେ ଆରମ୍ଭ ହେବାକୁ ଯାଉଛି। ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ପୂର୍ବ ବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ହିଁ ଏହି ଚରଣ ଆରମ୍ଭ ହେବ। ରବିବାର ଦୁବାଇରେ ଏହି ବଡ଼ ମୁକାବିଲା ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ଉଭୟ ଦଳର ୱେଷ୍ଟଇଣ୍ଡିଜ୍‌ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ଆବୁଧାବିରେ ପହଞ୍ଚି ଯାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍‌ସର ତାରକା ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ ଜୈବ ବଳୟରେ ଦଳ ସହ ଯୋଗ ଦେବା ଅପେକ୍ଷାରେ ରହିଛନ୍ତି। ପୋଲାର୍ଡ ସଦ୍ୟ ସମାପ୍ତ ହୋଇଥିବା କାରବିଆନ୍‌ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସର ନେତୃତ୍ବ ନେଇଥିଲେ। ତେଣୁ ସିପିଏଲ୍‌ ଖେଳିଥିବାରୁ ପୋଲାର୍ଡ ଏବେ ଦଳର ବଳୟରେ ଯୋଗଦେବା ପୂର୍ବରୁ ୨ ଦିନିଆ ସଂଗରୋଧରେ ରହିବେ।

Advertisment

ଅନ୍ୟପକ୍ଷରେ ମୁମ୍ବାଇ ସହ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଚେନ୍ନାଇ ଦଳର ତିନି ତାରକା ମଧ୍ୟ ଆବୁଧାବିରେ ପାଦ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଏବଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ସମ୍ୟାନ୍‌ ଫାଫ୍‌ ଡୁ’ପ୍ଲେସିସ୍‌ ଓ ସ୍ପିନର ଇମ୍ରାନ୍‌ ତାହିର। ଏହି ତିନି ଜଣଯାକ ମଧ୍ୟ ସଦ୍ୟ ସମାପ୍ତ ସିପିଏଲ୍‌ରେ ଅଂଶଗ୍ରହଣ କରିଥିଲେ। ଫଳରେ ବ୍ରାଭୋ, ଡୁପ୍ଲେସିସ୍‌ ଏବଂ ତାହିର ମଧ୍ୟ କେବଳ ଦୁଇଦିନିଆ ସଂଗରୋଧରେ ରହିବା ପରେ ସେମାନଙ୍କ ଦଳୀୟ ବଳୟରେ ପ୍ରବେଶ କରିବେ।

publive-image

ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇ ୱେଷ୍ଟଇଣ୍ଡିଜ୍‌ ଖେଳାଳି ଅଲ୍‌ରାଉଣ୍ଡର ଜାସନ୍‌ ହୋଲ୍‌ଡର ଏବଂ ନୂଆ ଚୁକ୍ତିବଦ୍ଧ ସେର୍ଫାନେ ରଦରଫୋର୍ଡ ଶୁକ୍ରବାର ୟୁଏଇରେ ପହଞ୍ଚି ନିଜ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ସହ ଯୋଗ ଦେଇଛନ୍ତି। ଉଭୟେ ୨ ଦିନିଆ ସଂଗରୋଧରେ ରହିବା ପରେ ଜୈବ ବଳୟ ମଧ୍ୟକୁ ପ୍ରବେଶ କରିବେ। ରଦରଫୋର୍ଡ ହାଇଦ୍ରାବାଦ ଦଳରେ ଜନି ବେୟାରଷ୍ଟୋଙ୍କ ସ୍ଥାନ ନେଇଛନ୍ତି।

publive-image

କୁମ୍ବଲେ, ଜାଫର ଗାଇଲେ ‘କଭି ଅଲବିଦା ନା କେହେନା’
ଦୁବାଇ : ଆଉ ମାତ୍ର ଦିନକ ପରେ ଆଇପିଏଲ୍‌ର ଦ୍ବିତୀୟ ଚରଣ ଖେଳାଯିବାକୁ ଥିବାବେଳେ ପ୍ରତି ଦଳର ଖେଳାଳିମାନେ ୟୁଏଇରେ ପହଞ୍ଚିଗଲେଣି। କ୍ରିକେଟ୍‌ର ଆକ୍ସନ ଆରମ୍ଭ ପୂର୍ବରୁ ଖେଳାଳିମାନେ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିବା ଲାଗି ନିଆରା ଉପାୟମାନ ଆପଣାଉଛନ୍ତି। ଦଳ ଭିତରେ ଏକତା ବଢ଼ାଇବା ଓ ବଂଧନ ରକ୍ଷା ପାଇଁ ବୁଧବାର ଏକ କାରାକୋ ରାତିର ଆୟୋଜନ କରାଯାଇଥିଲା। ଏହି ଅବସରରେ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ ଏବଂ ବ୍ୟାଟିଂ ପ୍ରଶିକ୍ଷକ ୱାସିମ୍ ଜାଫର କିଶୋର କୁମାରଙ୍କ ଏକ ପ୍ରଖ୍ୟାତ ସଂଗୀତ ‘କଭି ଅଲବିଦା ନା କେହେନା’ (୧୯୭୬ର ହିନ୍ଦୀ ଚଳଚ୍ଚିତ୍ର ଚଲ୍‌ତେ ଚଲ୍‌ତେ)କୁ ମିଳିତ ଭାବେ ଗାଇଥିଲେ। ପଞ୍ଜାବ କିଙ୍ଗ୍ସ ଏହ‌ାକୁ ଟ୍ବିଟର୍ ପୃଷ୍ଠାରେ ଛାଡ଼ି ଲେଖିଛି ‘ଭିନ୍ନ ଏକ ୱିକେଟରେ ଦୁଇ କ୍ରିକେଟ୍ କିଂବଦନ୍ତି’।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌ର ଦ୍ବିତୀୟ ଚରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ୨୧ ତାରିଖରେ ରାଜସ୍ଥାନ ରୟାଲ୍ସ ସହ ଖେଳି ପଞ୍ଜାବ କିଙ୍ଗ୍ସ ଏହାର ଅଭିଯାନ ଆରମ୍ଭ କରିବ।

publive-image

ରସେଲ୍ ରେଡି
ଗୁରୁବାର ୟୁଏଇ ଅଭିମୁଖେ ବାହାରିଛନ୍ତି‌ କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ଖେଳାଳି ଆନ୍ଦ୍ରେ ରସେଲ୍‌। କାରବୀୟ ପ୍ରିମିୟର୍‌ ଲିଗ୍ (ସିପିଏଲ୍‌) ଖେଳିଥିବା ତାଙ୍କ ଅନ୍ୟ ଦୁଇ କେକେଆର୍‌ ସାଥି ଖେଳାଳି ସୁନିଲ ନାରାୟଣ ଓ ଟିମ୍ ସିଫର୍ଟ ମଧ୍ୟ ତାଙ୍କ ସହ ବିମାନ ଧରିଛନ୍ତି। କେକେଆର୍‌ ଏହାର ଟ୍ବିଟର୍‌ ପୃଷ୍ଠାରେ ଛାଡ଼ିଥିବା ଏକ ଭିଡିଓରେ ରସେଲ କହୁଛନ୍ତି ‘କେକେଆର୍‌ ପ୍ରଶଂସକମା‌ନେ ମୁଁ ରେଡି, ଆପଣମାନେ ରେଡି ତ?’ ପ୍ରଥମ ଚରଣରେ ଅତ୍ୟନ୍ତ ଖରାପ ଖେଳିଥିବା କେକେଆର୍‌ ୭ ମ୍ୟାଚ୍‌ରୁ ମାତ୍ର ୨ ଜିତିଥିବାରୁ ଏବେ ଭାଗ୍ୟର ପରବର୍ତନ ଅପେକ୍ଷାରେ ରହିଛି। ରସେଲ ୭ ମ୍ୟାଚ୍‌ରୁ ୧୬୩ ରନ୍‌ ସଂଗ୍ରହ ସହ ୭ ୱିକେଟ୍ ଅକ୍ତିଆର କରିଛନ୍ତି। ଅନ୍ୟପକ୍ଷରେ ନାରାୟଣ ମାତ୍ର ୩ ୱିକେଟ୍ ନେଇଛନ୍ତି।