କାଣ୍ଡି: ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡ ୫୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ (ଉଭୟ ଆନ୍ତର୍ଜାତିକ ଓ ପ୍ରାଞ୍ଚାଇଜ୍ କ୍ରିକେଟ୍) ଖେଳି ନୂଆ କୀର୍ତ୍ତିମାନ ରଚିଛନ୍ତି। ବୁଧବାର ଏଠାରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବା ଅବସରରେ ସେ ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ୫୦୦ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। କାଣ୍ଡିରେ ୧୫ ବଲ୍ରୁ ୩୪ ରନ୍ର ପାଳି ଖେଳିବା ଅବସରରେ ମଧ୍ୟ ପୋଲାର୍ଡ ଟ୍ବେଣ୍ଟି-୨୦ରେ ୧୦,୦୦୦ ରନ୍ ପୂରଣ କରିଥିଲେ। ଏକ୍ଷେତ୍ରରେ ସେ ମଧ୍ୟ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ ଅନ୍ୟତମ ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍ (୧୩,୨୯୬)ଙ୍କ ନାମରେ ରହିଛି। ୨୦୦୬ରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ୩୨ ବର୍ଷ ବୟସ୍କ ପୋଲାର୍ଡ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ବ୍ୟତୀତ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ପାକିସ୍ତାନରେ ଫ୍ରାଞ୍ଚାଇଜ୍ଭିତ୍ତିକ ଟ୍ବେଣ୍ଟି-୨୦ ଖେଳିଛନ୍ତି। ୧୦,୦୦୦ ରନ୍ କ୍ଲବ୍ରେ ତାଙ୍କ ସହ ସାମିଲ ହୋଇଥିବାରୁ ପୋଲାର୍ଡଙ୍କୁ ଗେଲ୍ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।