୬୦୦ ଟ୍ବେଣ୍ଟି-୨୦ ଖେଳିବାରେ ପୋଲାର୍ଡ ପ୍ରଥମ କ୍ରିକେଟର୍‌

ଲଣ୍ଡନ: ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରନ ପୋଲାର୍ଡ ୬୦୦ ଟ୍ବେଣ୍ଟି ଖେଳିବାରେ ପ୍ରଥମ କ୍ରିକେଟର୍‌ ହୋଇଛନ୍ତି। ଲଣ୍ଡନ ସ୍ପିରିଟ୍‌ ପକ୍ଷରୁ ଦ ହଣ୍ଡ୍ରେଡ ପ୍ରତିଯୋଗିତାରେ ସୋମବାର ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଚଳିତ ଏପ୍ରିଲରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ପୋଲାର୍ଡ କିନ୍ତୁ ସଂପ୍ରତି ବିଭିନ୍ନ ଟ୍ବେଣ୍ଟି-୨୦ ଲିଗ୍‌ ଖେଳିବା ଜାରି ରଖିଛନ୍ତି। ସୋମବାର ଲଣ୍ଡନ ସ୍ପିରିଟ୍‌ ଓ ମାଞ୍ଚେଷ୍ଟର ଅରିଜିନାଲ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପୋଲାର୍ଡ ୪ ଛକା ସହ ୧୧ ବଲ୍‌ରେ ୩୪ ରନ୍‌ କରି ଅପରାଜିତ ରହିଥିଲେ। ପୋଲାର୍ଡଙ୍କ ଏହି ବିସ୍ଫୋରକ ପାଳି ବଳରେ ଲଣ୍ଡନ ସ୍ପିରିଟ୍‌ ୬ ୱିକେଟ୍‌ ହରାଇ ୧୬୦ ରନ୍‌ କରିଥିଲା। ‌ଜବାବରେ ମାଞ୍ଚେଷ୍ଟର ଅରିଜିନାଲ୍ସ ୫୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଲଣ୍ଡନ ସ୍ପିରିଟ୍‌ ପକ୍ଷରୁ ୪ ୱିକେଟ୍‌ ନେଇଥିବା ଜୋର୍ଡାନ ଥମ୍ପସନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୋଲାର୍ଡ ୧୦୧ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳି ୧୫୬୯ ରନ୍‌ କରିବା ସହ ୪୨ ୱିକେଟ୍‌ ଅକ୍ତିଆର କରିଛନ୍ତି। ସେ ୬୦୦ ଟ୍ବେଣ୍ଟି-୨୦ରେ ୩୧.୩୪ ହାରାହାରି, ଗୋଟିଏ ଶତକ ଏବଂ ୫୬ ଅର୍ଦ୍ଧଶତକ ସହ ୧୧,୭୨୩ ରନ୍‌ କରିଛନ୍ତି। ଏଥିସହ ସେ ୩୦୯ ‌ୱିକେଟ୍‌ ମଧ୍ୟ ଅକ୍ତିଆର କରିଛନ୍ତି। ପୋଲାର୍ଡଙ୍କ ପଛକୁ ସର୍ବାଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାରେ ଅଛନ୍ତି ଡ୍ବେନ ବ୍ରାଭୋ (୫୪୩), ସୋଏବ ମଲିକ (୪୭୨), କ୍ରିସ ଗେଲ (୪୬୩) ଏବଂ ରବି ବୋପାରା (୪୨୬)।

ସମ୍ବନ୍ଧିତ ଖବର