ପୋଲାର୍ଡଙ୍କ ‘୬ ବଲ୍‌, ୬ ଛକା’ ପରାକ୍ରମ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗିବ୍ସ ଓ ଯୁବିଙ୍କ ପରେ ତୃତୀୟ

ଶ୍ରୀଲଙ୍କାକୁ ୪ ୱିକେଟ୍‌ରେ ହରାଇଲା ୱେଷ୍ଟଇଣ୍ଡିଜ୍‌

ସେଣ୍ଟ୍‌ ଜନ୍ସ: ଗୁରୁବାର ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ କିରଣ ପୋଲାର୍ଡ ଏକ ନିଆରା କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ସେ ଗୋଟିଏ ଓଭରରେ ୬ ଛକା ମାରି ଦକ୍ଷିଣ ଆଫ୍ରିକାର ହର୍ସେଲ ଗିବ୍ସ (ନେଦରଲାଣ୍ଡ୍‌ ବିପକ୍ଷ ୨୦୦୭ ବିଶ୍ବକପ୍‌ରେ ଡାନ୍‌ ଭାନ୍‌ ବଙ୍ଗେଙ୍କୁ) ଏବଂ ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂହ (ଇଂଲଣ୍ଡ ବିପକ୍ଷ ୨୦୦୭ ଟି-୨୦ ବିଶ୍ବକପ୍‌‌ରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ)ଙ୍କ ପରେ ତୃତୀୟ ଖେଳାଳି ଭାବେ ନିଜ ନାମକୁ କୀର୍ତ୍ତିମାନ ପୃଷ୍ଠାରେ ଯୋଡ଼ିଛନ୍ତି। ଏଥି ସହିତ ପୋଲାର୍ଡ ମଧ୍ୟ ଦ୍ବିତୀୟ ଖେଳାଳି ଭାବେ ଟି-୨୦ରେ ଗୋଟିଏ ଓଭରରେ ୬ ଛକା ମାରିବାର ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ତେବେ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଏପର୍ଯ୍ୟନ୍ତ ମୋଟ ୮ ଜଣ ଗୋଟିଏ ଓଭରରେ ୬ ଛକା ମାରିବାର ମାଇଲଖୁଣ୍ଟ ଛୁଇଁଛନ୍ତି। ସେମାନଙ୍କ ମଧ୍ୟରୁ ୱେଷ୍ଟଇଣ୍ଡିଜ୍‌ର ଗ୍ୟାରିଫିଲ୍‌ଡ ସୋବର୍ସ ପ୍ରଥମ। ସୋବର୍ସ ୧୯୬୮ରେ ଇଂଲିସ୍‌ କାଉଣ୍ଟି ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ରଚିଥିଲେ। ତାଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ରବି ଶାସ୍ତ୍ରୀ (୧୯୮୫, ପ୍ରଥମ ଶ୍ରେଣୀ ମ୍ୟାଚ୍‌), ରସ୍‌ ହ୍ବିଟେଲେ ଏବଂ ହଜ୍‌ରତୁଲ୍ଲା ଜଜାଇ (୨୦୧୮, ଘରୋଇ ଟି-୨୦ ମ୍ୟାଚ୍‌) ଗୋଟିଏ ଓଭରରେ ୬ ଛକା ମାରିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।
ଗୁରୁବାର ପୋଲାର୍ଡ ସିଂହଳୀ ଅଫ୍‌ ସ୍ପିନର ଅକିଲ ଧନଞ୍ଜୟଙ୍କୁ ଏଭଳି ପ୍ରହାର କରିଥିଲେ। ଧନଞ୍ଜୟ ନିଜର ଦ୍ବିତୀୟ ତଥା ଶ୍ରୀଲଙ୍କାର ଚତୁର୍ଥ ଓଭରରେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ବଲ୍‌ରେ ଯଥାକ୍ରମେ ଇଭିନ୍‌ ଲୁଇସ୍‌ (୨୮), କ୍ରିସ୍‌ ଗେଲ୍‌ (୦) ଓ ନିକୋଲାସ୍‌ ପୂରନ୍‌ (୦)ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ସଫଳତା ହାତେଇଥିଲେ। ହେଲେ ତାଙ୍କର ପରବର୍ତୀ ଓଭରରେ କିନ୍ତୁ ପୋଲାର୍ଡ ଧନଞ୍ଜୟଙ୍କ ନିଦ ହଜାଇ ଦେଇଥିଲେ। ଧନଞ୍ଜୟ ବୋଲିଂ କରିଥିବା ନିଜର ତୃତୀୟ ତଥା ପାଳିର ଷଷ୍ଠ ଓଭରରେ ହିଁ ପୋଲାର୍ଡ ଉଗ୍ର ରୂପ ଧାରଣ କରିଥିଲେ। ଧନଞ୍ଜୟଙ୍କ ଏହି ଓଭରର ପ୍ରତ୍ୟେକ ବଲ୍‌କୁ ପୋଲାର୍ଡ ଛକା ମାରିଥିଲେ। ତେବେ ମୋଟ ୧୧ ବଲ୍‌ ଖେଳି ୩୮ ରନ୍‌ରେ ହାତୁରାସିଂଘେଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ।

ପୋଲାର୍ଡଙ୍କ ବିସ୍ଫୋରକ ପାଳି ସାଙ୍ଗକୁ ଜାସନ୍‌ ହୋଲ୍‌ଡର (୨୯*), ଇଭିନ୍‌ ଲୁଇସ୍‌ (୨୮) ଓ ଲେଣ୍ଡଲ ସିମନ୍ସ (୨୬)ଙ୍କ ମୂଲ୍ୟବାନ ଅବଦାନ ବଳରେ ୱେଷ୍ଟଇଣ୍ଡିଜ୍‌ ଗୁରୁବାର ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କାକୁ ୪୧ ବଲ୍‌ ବାକି ଥାଇ ୪ ୱିକେଟ୍‌ରେ ପରାସ୍ତ କରିଦେଇଛି। ଟସ୍‌ ଜିତି ଇଣ୍ଡିଜ୍‌ ଦଳ ପ୍ରଥମେ ବ୍ୟାଟିଂ ପାଇଁ ଶ୍ରୀଲଙ୍କାକୁ ଆମନ୍ତ୍ରଣ କରିଥିଲା। ପାଥୁମ ନିଶାଙ୍କ (୩୯), ନିରୋସାନ୍‌ ଡିକ୍‌ୱେଲା (୩୩), ଆସେନ୍‌ ବନ୍ଦରା (୧୦) ଓ ୱାନିନ୍ଦୁ ହାସରଙ୍ଗା (୧୨)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ବଳରେ ଶ୍ରୀଲଙ୍କା ୯ ୱିକେଟ୍‌ ବିନିମୟରେ ୧୩୧ ରନ୍‌ କରିଥିଲା। ଓଡି ମ୍ୟାକୟ ସଫଳ ବୋଲର ଭାବେ ୨୫ ରନ୍‌ରେ ୨ ୱିକେଟ୍‌ ନେଇଥିଲେ। ଜବାବରେ ଧନଞ୍ଜୟଙ୍କ ହ୍ୟା‌ଟ୍ରିକ୍‌ ସଫଳତା ବଳରେ ଶ୍ରୀଲଙ୍କା ଫାଇଦାରେ ରହିଥିଲା। ୱାନିନ୍ଦୁ ହାସରଙ୍ଗା ମଧ୍ୟ ଚମତ୍କାର ବୋଲିଂ କରି ୧୨ ରନ୍‌ରେ ୩ ୱିକେଟ୍‌ ଦଖଲ କରିଥିଲେ। ହେଲେ ଧନଞ୍ଜୟଙ୍କ ଗୋଟିଏ ଓଭରରେ ୩୬ ରନ୍‌ ବ୍ୟୟ ଶ୍ରୀଲଙ୍କାକୁ ପଛକୁ ଠେଲି ଦେଇଥିଲା। ସେ ତାଙ୍କ ୪ ଓଭରରେ ୩ ୱିକେଟ୍‌ ନେଇଥିଲେ ମଧ୍ୟ ୬୨ ରନ୍‌ ବ୍ୟୟ କରିଥିଲେ। ଯାହା ଫଳରେ ୧୩.୧ ଓଭରରେ ଇଣ୍ଡିଜ୍‌ ୬ ୱିକେଟ୍‌ ବିନିମୟରେ ୧୩୪ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ପୋଲାର୍ଡ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଇଣ୍ଡିଜ୍‌ ୧-୦ର ଅଗ୍ରଣୀ ହାସଲ କରିଛି।

ସମ୍ବନ୍ଧିତ ଖବର