ମୁମ୍ବାଇ: ଆବୁଡ଼ାଖାବୁଡ଼ା ଧାନ ବିଲରେ ସାଙ୍ଗସାଥୀଙ୍କ ସହ କ୍ରିକେଟ୍ ଖେଳିବାଠାରୁ କେରଳ ରାଜ୍ୟ ଦଳରେ ସ୍ଥାନ ମିଳିବା। ସେଠାରୁ ପୁଣି ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) କ୍ରିକେଟ୍ ପ୍ରତିଯୋଗିତାରେ ତାରକା ଖେଳାଳି ମାନ୍ୟତା ପାଇବା, ଏହି ଅତୁଳନୀୟ ଯାତ୍ରାର ସଫଳ ନାୟିକା ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ମହିଳା ଅଲରାଉଣ୍ଡର୍ ସଜ୍ନା ସଂଜୀବନ। ବେଙ୍ଗାଲୁରୁରେ ଶୁକ୍ରବାର ଖେଳାଯାଇଥିବା ଡବ୍ଲ୍ୟୁପିଏଲ୍ର ଉଦ୍ଘାଟନୀ ମ୍ୟାଚ୍ରେ କମାଲ କରିଛନ୍ତି ସଜ୍ନା। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏହି ନାଟକୀୟ ମୁକାବିଲାର ଶେଷ ବଲ୍ରେ ଛକା ମାରି ମୁମ୍ବାଇ ଇଣ୍ଡିଆନ୍ସକୁ ରୋମାଞ୍ଚକ ବିଜୟ ଉପହାର ଦେବା ପରେ କେରଳର ୱାୟନାଡ଼ ଜିଲ୍ଲାର ମଫସଲ ଗାଁ ମନ୍ଥାଭଡ଼ୀର ଏହି ଲାଜକୁଳି ଝିଅଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବିସ୍ଫୋରକ ବ୍ୟାଟିଂ ଓ ପ୍ରଭାବୀ ଅଫ୍ ସ୍ପିନ୍ ବୋଲିଂ କରୁଥିବା ସଜ୍ନାଙ୍କ ଆକ୍ରାମକ ଖେଳରେ ମୁମ୍ବାଇ ଇଣ୍ଡିଆନ୍ସ (ପୁରୁଷ) ଦଳର ପରାକ୍ରମୀ ଖେଳାଳି କିରଣ ପୋଲାର୍ଡଙ୍କ ପ୍ରତିଛବି ଦେଖିବାକୁ ମିଳିଥାଏ। ଫଳରେ ତାଙ୍କୁ ‘ଲେଡି ପୋଲାର୍ଡ’ ବୋଲି କହୁଛନ୍ତି ସାଥୀ କ୍ରିକେଟର୍।
ସଜ୍ନାଙ୍କ କ୍ରୀଡ଼ା ଜୀବନ ଯାତ୍ରାର କାହାଣୀ ବେଶ୍ ରୋଚକ। ବାପା ସଂଜୀବନ ଜଣେ ଅଟୋଚାଳକ ଏବଂ ମା’ ଶାରଦା ହେଉଛନ୍ତି ପଞ୍ଚାୟତ ପରିଷଦ ସଦସ୍ୟ। ବାପାଙ୍କ ଧାନ ବିଲରେ ନଡ଼ିଆ ବରଡ଼ାକୁ ବ୍ୟାଟ୍ ଓ କାଗଜ ଗୁଳାକୁ ବଲ୍ କରି କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ ସେ। ସାଙ୍ଗସାଥୀଙ୍କ ସହ ସୌଖୀନ ଭାବେ କ୍ରିକେଟ୍ ଖେଳୁଥିବା ସଜ୍ନା ଦିନେ ପୂର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀରଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଗମ୍ଭୀରଙ୍କଠାରୁ ଅଟୋଗ୍ରାଫ୍ ମିଳିବା ପରେ କିନ୍ତୁ ତାଙ୍କ ଜୀବନର ଗତିପଥ ଓ ଲକ୍ଷ୍ୟ ବଦଳି ଯାଇଥିଲା। ଗମ୍ଭୀରଙ୍କ ଭଳି ସେ ମଧ୍ୟ ଜଣେ କ୍ରିକେଟର୍ ହେବେ ବୋଲି ସେହିଦିନ ଶପଥ ନେଇଥିଲେ ସଜନା। ସେଥିପାଇଁ ଦିନରାତି ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ। ଯାହାର ଫଳ ସ୍ବରୂପ ମାତ୍ର କିଛି ଦିନ ଭିତରେ ନିଜ ରାଜ୍ୟର ୧୯ ବର୍ଷରୁ କମ୍ ମହିଳା ଦଳରେ ସ୍ଥାନ ପାଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ‘ଏ’ ଦଳରେ ସ୍ଥାନ ପାଇ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଗତବର୍ଷ ଡବ୍ଲ୍ୟୁପିଏଲ୍ ନିଲାମ ତାଲିକାରେ ସ୍ଥାନ ପାଇବା ପରେ ତାଙ୍କ ପ୍ରତିଭାକୁ ବ୍ୟାପକ ସ୍ବୀକୃତି ମିଳିଥିଲା। ଦୁର୍ଭାଗ୍ୟଜନକ ଭାବେ କୌଣସି ଦଳ ତାଙ୍କ ପାଇଁ ବିଡ୍ କରି ନଥିଲେ। ଏଥିରେ ଭାଙ୍ଗି ନଯାଇ ନିଜ ପ୍ରତିଭାକୁ ଆହୁରି ଶାଣିତ କରିଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତବର୍ଷ ତାଙ୍କୁ ତାଙ୍କ ମୂଳଦରର ତିନିଗୁଣ ଅର୍ଥାତ୍ ୧୫ ଲକ୍ଷ ଟଙ୍କାରେ କିଣିଥିଲା। ରାତାରାତି ସେ ୱାୟାନାଡ଼ର କ୍ରିକେଟ୍ କୁଇନ୍ ପାଲଟି ଯାଇଥିଲେ। ଛକା ମାରି ମୁମ୍ବାଇ ଇଣ୍ଡିଆନ୍ସକୁ ଜିତାଇ ନିଜ ମୂଲ୍ୟର ସମ୍ମାନ ବି ରଖିଥିଲେ। ୱାୟନାଡ଼ ବାସିନ୍ଦା ଏବେ ତାଙ୍କୁ ନେଇ ବେଶ୍ ଗର୍ବିତ। ପରିବାରର ଆର୍ଥିକ ସ୍ଥିତି ମଧ୍ୟ କିଛିଟା ସୁଧୁରି ଯାଇଛି। କ୍ରିକେଟ୍ ସହ ଅଭିନୟରେ ରୁଚି ରଖିଥିବା ସଜ୍ନା ତାମିଲ ଚଳଚ୍ଚିତ୍ର ‘କାନା’ରେ ମଧ୍ୟ ନିଜ ଯାଦୁ ଦେଖାଇ ସାରିଛନ୍ତି।