ପୋଲାର୍ଡଙ୍କ ପାଣ୍ଡ୍ୟା ପ୍ରେମ

ଆବୁଧାବି: ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପାଣ୍ଡ୍ୟା ଭାଇ କ୍ରୁନାଲ ଓ ହାର୍ଦିକଙ୍କ ସହ ଉପଅଧିନାୟକ କିରଣ ପୋଲାର୍ଡଙ୍କର ସ୍ବତନ୍ତ୍ର ସଂପର୍କ ରହିଛି। ଏହି ତିନି ଜଣ ପଡ଼ିଆ ବାହାରେ ପରସ୍ପରର ବହୁତ ଭଲ ବନ୍ଧୁ। ଯାହାର ପ୍ରତିଫଳନ ପଡ଼ିଆ ଭିତରେ ମଧ୍ୟ ଦେଖିବାକୁ ମିଳେ। ପୋଲାର୍ଡ-କ୍ରୁନାଲ ଓ ହାର୍ଦିକଙ୍କ ତାଳମେଳ ପ୍ରତିପକ୍ଷ ଦଳ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ହୋଇଥାଏ। ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ପାଇଁ ଆଇପିଏଲ୍‌ର ଫାଇନାଲ୍‌ରେ ପ୍ରବେଶ କରିବା ପରେ ଦୁଇ ପାଣ୍ଡ୍ୟାଙ୍କ ସହ ଥିବା ନିଜ ନିଆରା ସଂପର୍କ ବିଷୟରେ ଖୋଲି କହିଛନ୍ତି ପୋଲାର୍ଡ। ତା’ ସହ ବଡ଼ ଭାଇ କ୍ରୁନାଲ ହାର୍ଦିକଙ୍କଠାରୁ ଅଧିକ ଚତୁର ବୋଲି ସେ ଖୋଲାଖୋଲି ଭାବେ କହିଛନ୍ତି। ‘‘ମୁଁ ସବୁବେଳେ କୁହେ ଜଣେ ହାର୍ଦିକ ପାଣ୍ଡ୍ୟା ଏବଂ ଆଉ ଜଣେ ଚତୁର ପାଣ୍ଡ୍ୟା (କ୍ରୁନାଲ)।

ଆମେ ସବୁବେଳେ ପଡ଼ିଆ ବାହାର ସଂପର୍କକୁ ପଡ଼ିଆ ଭିତରେ ମଧ୍ୟ ନିଭାଇବାକୁ ଚେଷ୍ଟା କରୁ। ଆମ ଭିତରେ କିଛି ଗୋଟାଏ ଆବେଗପୂର୍ଣ୍ଣ ସଂପର୍କ ରହିଛି। ପରସ୍ପରକୁ ସାହାଯ୍ୟ କରିବା ସହ ପ୍ରତିଟି ମୁହୂର୍ତକୁ ଆମେ ଉପଯୋଗ କରିବାକୁ ଚେଷ୍ଟା କରୁ। ଆମକୁ ଯାହା ବି ସୁଯୋଗ ଓ ସୁବିଧା ମିଳୁଛି, ସେଥିନେଇ ଦଳ ନିକଟରେ ଆମେ କୃତଜ୍ଞ। ଆମ ସ୍ବଭାବ ମଧ୍ୟ ପ୍ରାୟତଃ ସମାନ। ଉଭୟ କ୍ରୁନାଲ ଓ ହାର୍ଦିକ ଖୋଲା ହୃଦୟର ବ୍ୟକ୍ତି। ସେମାନେ ନିଜ ଭବନାକୁ ଖୋଲାଖୋଲି ପ୍ରକାଶ କରିବାକୁ ପସନ୍ଦ କରନ୍ତି। ମୁଁ ମଧ୍ୟ ଏହି ଭଳି ବ୍ୟବହାର କରେ’’। ‘‘ହାର୍ଦିକ ସବୁବେଳେ ଆତ୍ମବିଶ୍ବାସରେ ଭରପୁର ରହିଥା’ନ୍ତି। ସେ ସବୁବେଳେ ଖୁସୀ ରହିବାକୁ ଚେଷ୍ଟା କରନ୍ତି। କ୍ରୁନାଲ ମଧ୍ୟ କିଛି କମ୍ ନୁହନ୍ତି’’ ବୋଲି ପୋଲାର୍ଡ ଏହି ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି। ସୂଚନାଯୋଗ୍ୟ ଯେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସର ଚାରିଟି ଲିଗ୍ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ପୋଲାର୍ଡ ଚଳିତ ଆଇପିଏଲ୍‌ରେ ଏ ପର୍ଯ୍ୟନ୍ତ ୨୫୯ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର