ଦିଲ୍ଲୀ ପ୍ରଦୂଷଣ ଆଗରେ ମ୍ୟାଚ୍‌ ନ୍ୟୂନ: ଗମ୍ଭୀର

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଏବେ ବିପଦ ସୃଷ୍ଟି କରୁଛି। ଏହା ଏକ ସଂକଟଜନକ ପ୍ରସଙ୍ଗ ପାଲଟିଛି। ହେଲେ ଏଥିପ୍ରତି କୌଣସି ପରିବେଶବିତ୍‌ଙ୍କ ଚିନ୍ତା ନାହିଁ। ବରଂ ଭାରତ ଓ ବାଂଲାଦେଶ ମଧ୍ୟରେ ଆସନ୍ତା ୩ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ପ୍ରଦୂଷଣ ଯୋଗୁ ଏହି ମ୍ୟାଚ୍‌କୁ ସ୍ଥାନାନ୍ତର କରିବାକୁ ‘କେୟାର ଫର୍‌ ଏୟାର’ ଏବଂ ‘ମାଇ ରାଇଟ୍‌ ଟୁ ବ୍ରିଦ୍‌’ ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ପତ୍ର ଲେଖାଯାଇଛି। ଏଥିରେ କ୍ରିକେଟର୍‌ଙ୍କ ସ୍ବାସ୍ଥ୍ୟ ପ୍ରତି ଉଭୟ ସଂସ୍ଥା ବେଶ୍‌ ଯତ୍ନବାନ ଥିବା ମନେ ହେଉଛି। ହେଲେ ଦିଲ୍ଲୀବାସୀ ପ୍ରଦୂଷଣରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିଲା ବେଳେ ଏହାକୁ କିପରି ରୋକା ଯାଇପାରିବ ସେ ନେଇ ପରିବେଶବିତ୍‌ମାନଙ୍କ ନିକଟରେ କୌଣସି ଯୋଜନା ନାହିଁ ବୋଲି କ୍ରିକେଟର୍‌ରୁ ରାଜନେତା ବନିଥିବା ଗୌତମ ଗମ୍ଭୀର କହିଛନ୍ତି। ଦିଲ୍ଲୀରେ ମ୍ୟାଚ୍‌ ଆୟୋଜନ ହେଉ ବା ନହେଉ ସେଥିରେ ଆମର କିଛି କହିବାର ନାହିଁ। ମାତ୍ର ଯେଉଁ ପ୍ରସଙ୍ଗକୁ ନେଇ ମ୍ୟାଚ୍ ସ୍ଥାନାନ୍ତର ପାଇଁ ଦାବି ହେଉଛି, ତାହା କବଳରୁ ଦିଲ୍ଲୀବାସୀଙ୍କୁ କିପରି ରକ୍ଷା କରିଯାଇପାରିବ ସେ ନେଇ ଚିନ୍ତା ହେବା ଅଧିକ ପ୍ରଜୁର୍ଯ୍ୟ ବୋଲି ଗମ୍ଭୀର କହିଛନ୍ତି। ମୋ ମତରେ ପ୍ରଦୂଷଣ ଆଗରେ ମ୍ୟାଚ୍‌ ନ୍ୟୂନ ବୋଲି ଗମ୍ଭୀର ମତ ଦେଇଛନ୍ତି। ପ୍ରଦୂଷଣ ଯୋଗୁଁ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦିଲ୍ଲୀରେ ନାକେଦମ ହେଲେଣି। ‌ଅବଶ୍ୟ ଏବେ କିଛିଟା ଉନ୍ନତି ଘଟିଛି। ହେଲେ ଏଥିପାଇଁ ଦୀର୍ଘମିଆଦି ଯୋଜନା କରିବାର ଦାବି ଉପସ୍ଥାପନ ଆମମାନଙ୍କର ଦାୟିତ୍ବ। ତାହା ନକରି କ୍ରିକେଟ ମ୍ୟାଚ୍‌ ପାଇଁ ଅଧିକ ଚିନ୍ତା କରିବାକୁ ନାପସନ୍ଦ କରିଛନ୍ତି ଗମ୍ଭୀର।

ସମ୍ବନ୍ଧିତ ଖବର