ପଣ୍ଟିଂ ଅମ୍ପାୟାରଙ୍କ ଭଳି ଅଭିନୟ କରିଥିଲେ: ଭଜି

ନୂଆଦିଲ୍ଲୀ: ଭାରତୀୟ ପୁରୁଖା ସ୍ପିନର ହରଭଜନ ସିଂହ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ୨୦୦୮ ମସିହାର ଏକ ଟେଷ୍ଟ୍‌ ମ୍ୟାଚ୍‌ ବିଷୟରେ ବଖାଣିଛନ୍ତି। ସିଡ୍‌ନିରେ ଖେଳା ଯାଇଥିବା ସେହି ‌ଟେଷ୍ଟ୍‌ରେ ଭଜି ଓ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ମଧ୍ୟରେ ପଡ଼ିଆ ଭିତରେ ବଚସା ହୋଇଥିଲା। ଆକାଶ ଚୋପ୍ରାଙ୍କ ସହ ୟୁଟ୍ୟୁବ୍‌ ଚ୍ୟା‌ନେଲ୍‌ରେ କଥା ହେଲା ବେଳେ ଭଜି ଏହି ଟେଷ୍ଟ୍‌ ମ୍ୟାଚ୍‌ର କିଛି ଘଟଣାକୁ ମନେ ପକାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨୦୦୮ ସିଡ୍‌ନି ଟେଷ୍ଟ୍‌ର ଘଟଣା କହୁଛି। ମୋର ମନେ ଅଛି ଏହି ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଅମ୍ପାୟାରଙ୍କ ଭଳି ଅଭିନୟ କରିଥିଲେ। ସେ କ୍ୟାଚ୍‌ ଧରିବା ନେଇ ଦାବି କରିବା ସହ ନିଷ୍ପତ୍ତି ବି ନେଇ ଯାଉଥିଲେ। ଏପରିକି ଅମ୍ପାୟାରଙ୍କ ଭଳି ଆଉଟ୍‌ର ବି ସଂକେତ ଦେଉଥିଲେ। ଅଷ୍ଟ୍ରେଲୀୟମାନେ ପଡ଼ିଆରେ ଘଟିଥିବା ଘଟଣାକୁ ପଡ଼ିଆରେ ହିଁ ରଖିଥା’ନ୍ତି। ହେଲେ ସାଇମଣ୍ଡ୍‌ସ ଓ ମୋ ମଧ୍ୟରେ ହୋଇଥିବା ଘଟଣା ପଡ଼ିଆ ବାହାରକୁ ଚାଲି ଯାଇଥିଲା ବୋଲି ଭଜି କହିଛନ୍ତି। ସେହି ମ୍ୟାଚ୍‌ରେ ଆଉ ଏକ ଘଟଣା ଘଟିଥିଲା। ଦ୍ବିତୀୟ ପାଳିରେ ସୌରଭ ଗାଙ୍ଗୁଲିଙ୍କ କ୍ୟାଚ୍‌ ଧରିଥିବା ଦାବି କରିଥିଲେ ମାଇକେଲ୍‌ କ୍ଲାର୍କ। ଅମ୍ପାୟାର ଏହା ଠିକ୍‌ କ୍ୟାଚ୍‌ କି ନୁହେଁ ନିଶ୍ଚିତ ନଥିଲେ। କିନ୍ତୁ ପଣ୍ଟିଂ ଆଙ୍ଗୁଠି ଉଠାଇ ଆଉଟ୍‌ ସଙ୍କେତ ଦେଇଥିଲେ। ଗାଙ୍ଗୁଲି ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ ଏବଂ ପଣ୍ଟିଂଙ୍କ ଏଭଳି ଆଚରଣ ପାଇଁ ଭାଷ୍ୟକାର ଥିବା ସୁନିଲ ଗାଭାସ୍କର ସ‌ମାଲୋଚନ କରିଥିଲେ।

‘ମଙ୍କିଗେଟ୍‌’ ମାମଲା ଉପରେ ଭଜି କହିଥିଲେ ଯେ ସାଇମଣ୍ଡ୍‌ସ ‌ଓ ମୋ ମଧ୍ୟରେ ହୋଇଥିବା ବଚସା ବେଳେ ଆମେ ଦୁହେଁ ପୂରା ନିକଟତର ଥିଲୁ। ଆମ ପାଖରେ ସେମିତି କେହି ନଥିଲେ। କେବଳ ସଚିନ ତେନ୍ଦୁଲକର ହିଁ ଥିଲେ। କିନ୍ତୁ ମୁଁ ସାଇମଣ୍ଡ୍ସଙ୍କୁ କ’ଣ କହିଥିଲି ମ୍ୟାଥ୍ୟୁ ହେଡେନ୍‌, ଆଦାମ ଗିଲ୍‌କ୍ରିଷ୍ଟ୍‌, ମାଇକେଲ୍‌ କ୍ଲାକ୍‌ ଓ ରିକି ପଣ୍ଟିଂ ଶୁଣିଥି‌ଲେ ବୋଲି କହିଥିଲେ। କିନ୍ତୁ ‌ସେମାନେ ସେ ସମୟରେ ଉଠିଥିବା ଫଟୋରେ ମଧ୍ୟ ନଥିଲେ। ସଚିନ ମଧ୍ୟ ଜାଣି ନଥିଲେ ସାଇମଣ୍ଡ୍ସ ଓ ମୋ ମଧ୍ୟରେ କ’ଣ ଘଟିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ମୋତେ ମାଇକେଲ୍‌ ଜ୍ୟାକସନ ବନାଇ ଦେଇଥିଲେ। କିନ୍ତୁ ଏହି ଘଟଣାରେ ଅନୀଲ କୁମ୍ବଲେଙ୍କ ନେତୃତ୍ବାଧୀନ ପୂରା ଦଳ ମୋ‌ତେ ସହଯୋଗ କରିଥିଲା ବୋଲି ଭଜି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର