ଦୁବାଇ: ରାଜସ୍ଥାନ ରୟାଲ୍ସ-କିଙ୍ଗ୍ସ ଏକାଦଶ ପଞ୍ଜାବ ମ୍ୟାଚ୍‌ରେ ସୀମାରେଖା ପାଖରେ ଉଡ଼ନ୍ତା ଡାଇଭ୍ ମାରି ଅବିଶ୍ବସନୀୟ ଢଙ୍ଗରେ ନିକୋଲାସ ପୂରନ ଏକ ଛକାକୁ ରୋକି ଦେଇଥିଲେ। ଶୂନ୍ୟରେ ସଂପୂର୍ଣ୍ଣ ଶରୀରକୁ ଲମ୍ବା କରି ସେ ଯେଭଳି ଢଙ୍ଗରେ ଏହି ଛକାକୁ ରୋକିଥିଲେ, ତାକୁ ଦେଖି ବିଶ୍ବ କ୍ରିକେଟ୍‌ର ସର୍ବଶ୍ରେଷ୍ଠ କ୍ଷେତ୍ରରକ୍ଷକ ମାନ୍ୟତା ଲାଭ କରିଥିବା ଜଣ୍ଟି ରୋଡ୍ସ ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଚକିତ ହୋଇଯାଇଥିଲେ। ଏଭଳି ପରାକ୍ରମ ଦେଖାଇବା ଛାଡ଼ନ୍ତୁ, ପୂରନ ଏକଦା ଜୀବନରେ ଆଉ ଛିଡ଼ା ହୋଇ ଚାଲିପାରିବେ କି ନାହିଁ, ସେ ଆଶଙ୍କାରେ ଥିଲେ। କିନ୍ତୁ ନିଜ ଅଦମ୍ୟ ସାହସ ଓ ଗଭୀର ଆତ୍ମବିଶ୍ବାସ ପାଇଁ ସେ କେବଳ ଚାଲି ନଥିଲେ, ବରଂ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିବା ସହ ଆଇପିଏଲ୍‌ରେ ଯାଦୁ ଦେଖାଇ ସମସ୍ତଙ୍କୁ ହତବାକ୍ କରି ଦେଇଥିଲେ। ୨୪ ବର୍ଷୀୟ ପୂରନ ୨୦୧୫ ମସିହାରେ ଏକ ମର୍ମନ୍ତୁଦ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Advertisment

publive-image

ତ୍ରିନିଦାଦରେ ଅଭ୍ୟାସ କରି ଘରକୁ ଫେରିଲା ବେଳେ ଏହି ଅଘଟଣ ଘଟିଥିଲା। ଏଥିରେ ତାଙ୍କ ଡାହାଣ ଗୋଇଠି ଚୁରମାର ହୋଇ ଯାଇଥିଲା ଏବଂ ଆଣ୍ଠୁ କୋଲପି ଓ ନଳୀ ଗୋଡ଼କୁ ସଂଯୋଗ କରୁଥିବା ସିରା ଛିଣ୍ଡି ଯାଇଥିଲା। ସେଥିପାଇଁ ତାଙ୍କର ଦୁଇଟି ଅସ୍ତ୍ରୋପଚାର ହୋଇଥିଲା ଏବଂ ସେ ବିନା ସହାୟତାରେ ଆଦୌ ଚାଲିବୁଲି ପାରୁ ନଥିଲେ। ହ୍ବିଲ ଚେୟାରରେ ବସି ରହିବା ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ଫିଜିଓ ଥେରାପି କରିବାକୁ ସେ ବାଧ୍ୟ ହୋଇଥିଲେ। ଦୃଢ଼ ଏକାଗ୍ରତା ଓ ଅଧ୍ୟବସାୟ ପାଇଁ ଧୀରେ ଧୀରେ ସୁସ୍ଥ ହେବା ସହ ପୁଣି ଥରେ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ସେ ସକ୍ଷମ ହୋଇଥିଲେ। ଏପରିକି ନିଜ ବଳିଷ୍ଠ ଫିଟନେସ୍‌ରେ ବହୁ ସାଥୀ ଖେଳାଳିଙ୍କୁ ପଛରେ ପକାଇ ଦେଇଥିଲେ। ୨୦୧୫ ଅଗଷ୍ଟରେ ଜଗିଂ କରିବା ଆରମ୍ଭ କରିବା ପରେ ୨୦୧୬ ଜୁଲାଇରେ କାରବିଆନ୍ ପ୍ରିମିୟର ଲିଗ୍ ଖେଳିଥିଲେ। ରବିବାରର ସେହି ଚମତ୍କାର ଛକା ଅଟକାଇବା କ୍ଷେତ୍ରରକ୍ଷଣକୁ କଥା ମନେ ପକାଇ ପୂରନ କହିଛନ୍ତି ଯେ ମୁଁ ବେଳ ବଲ୍‌କୁ ଧରିବା କଥା ଭାବୁଥିଲି। କେଉଁଠି ଅବତରଣ କରୁଛି, ତାକୁ ସଂପୂର୍ଣ୍ଣ ଭୁଲି ଯାଇଥିଲି। ସୀମା ରେଖା କେଉଁଠି ଅଛି, ସେକଥା କିନ୍ତୁ ମୁଁ ଭଲ ଭାବରେ ଠଉରାଇ ନେଇଥିଲି। ହଠାତ୍ ହୃଦୟଙ୍ଗମ କରିଥିଲି ମୁଁ ସୀମା ରେଖା ବାହାରେ ଅଛି, ଏଣୁ ବଲ୍‌କୁ ପୁନର୍ବାର ପଡ଼ିଆ ଭିତରକୁ ଫିଙ୍ଗି ଦେଇଥିଲି। ଫଳରେ ଛକା ପରିବର୍ତ୍ତେ ପ୍ରତିପକ୍ଷ ଦଳ ଏଥିରୁ ମାତ୍ର ୨ ରନ୍ ପାଇଥିଲା।