ଲୋକପ୍ରିୟ ମାସ୍କଟ୍‌ ‘ଓଲି’

ଭୁବନେଶ୍ବର: ଓଡ଼ିଶାର ଘରେ ଘରେ ଏବେ ପରିଚିତ ମୁହଁ ପାଲଟିଛି ‘ଓଲି’। ନଭେମ୍ବର ୨୮ରୁ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ଅଫିସିଅ‌ାଲ୍‌ ମାସ୍କଟ୍‌ ଭାବେ ‘ଓଲି’କୁ ବି ମିଳିଛି ସୁଯୋଗ। ଭୁବନେଶ୍ବରରେ ଗତବର୍ଷ ସଫଳତାର ସହ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ମାସ୍କଟ ଭାବେ ‘ଓଲି’ ନିଜ ଦାୟିତ୍ବ ବେଶ୍‌ ଭଲ ଭାବେ ତୁଲାଇବା ସହିତ ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିପାରିଥିଲା। ଏହି କ୍ରୀଡ଼ା ମହାକୁମ୍ଭର ଅବ୍ୟବହିତ ପୂର୍ବରୁ ୨୦୧୭ ମସିହା ମେ’ ୭ ତାରିଖ‌ରେ କଳିଙ୍ଗ ଷ୍ଟାଡିୟମରେ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାସ୍କଟ୍‌କୁ ଉନ୍ମୋଚିତ କରିଥିଲେ। ଓଡ଼ିଶାର ଗହୀରମଥା ମୁହାଣରେ ଦେଖିବାକୁ ମିଳୁଥିବା ବିରଳ ଅଲିଭ ରିଡଲେ କଇଁଛକୁ ଅନୁକରଣ କରି ଏହି ମାସ୍କଟ ସ୍ଥିର କରାଯାଇଛି। ଏହି ବିରଳ ଉଭୟଚର ପ୍ରାଣୀର ସୁରକ୍ଷା ଓ ସଂରକ୍ଷଣ ଦିଗରେ ବିଶ୍ବର ବିଭିନ୍ନ ପରିବେଶ ସଂସ୍ଥା ଚେଷ୍ଠିତ ‌ଅଛନ୍ତି। ସମଗ୍ର ବିଶ୍ବର ଅନ୍ୟତମ ସ୍ଥାନ ଭାବେ ଓଡ଼ିଶାର ଗହୀରମଥା ଉପକୂଳକୁ ଏହି କଇଁଛମାନେ ଅଣ୍ଡା ଦେବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଥାନ୍ତି। ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ସେହି ମୁହାଣରେ ହଜାର ହଜାର ସଂଖ୍ୟକ ଏହି ଅଲିଭ ରିଡଲେ କଇଁଛ ଅଣ୍ଡା ଦାନ କରିଥାନ୍ତି। ଏହାପରେ ଅଣ୍ଡାରୁ ଛୁଆ ଫୁଟି ବାହାରିବା ପରେ ପୁନଶ୍ଚ ଗଭୀର ସମୁଦ୍ର ମଧ୍ୟକୁ ଚାଲିଯାଆନ୍ତି। ବିରଳ କଇଁଛଗୁଡ଼ିକର ଏଭଳି ପ୍ରାକୃତିକ ପର୍ଯ୍ୟାବରଣ କ୍ଷେତ୍ର ଭାବରେ ‘ଗହୀରମଥା’ ଓଡ଼ିଶାକୁ ସମଗ୍ର ବିଶ୍ବରେ ପ୍ରସିଦ୍ଧି ପ୍ରଦାନ କରିଛି। ଏହି ସବୁ ଦୃଷ୍ଟିରୁ ସମଗ୍ର ବିଶ୍ବରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବା ପାଇଁ ସାଙ୍କେତିକ ଭାବେ ‘ଓଲି’କୁ ମାସ୍କଟ ଭାବେ ବିବେଚିତ କରାଯାଇଛି। ବିଗତ କ୍ରୀଡ଼ା ମହାକୁମ୍ଭଗୁଡ଼ିକରେ ‘ଓଲି’ ବେଶ ଲୋକପ୍ରିୟତା ହାସଲ କରିବା ସହିତ ଓଡ଼ିଶାର ପର୍ଯ୍ୟାବରଣ ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥିଲା। ଓଲିର ପ୍ରସିଦ୍ଧିକୁ ଦୃ‌‌‌‌ଷ୍ଟିରେ ରଖି ଓଡ଼ିଶା ସରକାର ଏହାକୁ ଓଡ଼ିଶାରେ ଆଗାମୀ ଦିନରେ ଆୟୋଜିତ ହୋବାକୁଥିବା ଜାତୀୟ ଓ ଅନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାର ସ୍ଥାୟୀ ମାସ୍କଟ ଭାବେ ମଧ୍ୟ ଘୋଷିତ କରିଛନ୍ତି। ସେହି କ୍ରମରେ ‘ଓଲି’ ଆଗାମୀ ହକି ବିଶ୍ବକପ୍‌ ପାଇଁ ମଧ୍ୟ ମାସ୍କଟ୍‌ ଭାବେ ଦାୟିତ୍ବ ତୁଲାଇବ। ଓଲିକୁ ମାସ୍କଟ ଭାବେ ଗ୍ରହଣ କରି ରାଜ୍ୟ ସରକାର ଓଡ଼ିଶାର ପ୍ରାକୃତିକ ପରିବେଶ ତଥା ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କର ସୁରକ୍ଷା, ବଂଶବୃଦ୍ଧି ସମ୍ପର୍କରେ ସମଗ୍ର ବିଶ୍ବରେ ବାର୍ତା ପ୍ରସାର କରିବାରେ ସଫଳ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଖେଳାଳିମାନଙ୍କ ମନରେ ଏକ ଖେଲୁଆଡ଼ ମନୋଭାବ, ରାଜ୍ୟର ଏକ କ୍ରୀଡ଼ା କୈନ୍ଦ୍ରିକ ବାତାବରଣ ଏବଂ ‌େଲାକଙ୍କ ମଧ୍ୟରେ ଏକ କୌତୁକ ପୂର୍ଣ୍ଣ ଉତ୍ସାହ ସୃଷ୍ଟି କରିବା ଦିଗରେ ମଧ୍ୟ ‘ଓଲି’ ଗୁରୁତ୍ବ ପୂର୍ଣ୍ଣ ଭୂମିକା ନିର୍ବାହ କରିଛି।

ଚଳିତ ଥର ଗତ ଅକ୍ଟୋବର ୯ ତାରିଖରେ ପୁରୀ ବେଳାଭୂମିରେ ସାସ୍କଟ୍‌ ‘ଓଲି’ ଆନୁଷ୍ଠାନିକ ଭାବେ ଉଦ୍‌ଘ‌ାଟିତ ହୋଇଛି। ଉନ୍ମୋଚନ ଅବସରରୁ ହିଁ ଓଲି ସମୁଦ୍ରରେ ଜେଟ୍‌ ଚାଳନା କରି ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ କରିଥିଲା। ପରବର୍ତୀ ଷ୍ଟାଡିୟମ ଉଦ୍‌ଘାଟନୀ ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀ ମ୍ୟାଚ୍‌ରେ ମଧ୍ୟ ‘ଓଲି’ ଦର୍ଶକଙ୍କ ପ୍ରଶଂସା ସାଉଁଟି ଥିଲା। ଆଗାମୀ ଦିନରେ ହେବାକୁଥିବା ବିଶ୍ବକପ୍‌ରେ ‘ଓଲି’ ଦର୍ଶକଙ୍କ ଭରପୁର ମନୋରଂଜନ କରିବା ସହ ବେଶ୍‌ ଲୋକପ୍ରିୟତା ସଂଗ୍ରହ କରିବା ଲକ୍ଷ୍ୟରେ ରହିଛି। ଓଡ଼ିଶା କ୍ରୀଡ଼ା ଇତିହାସରେ ‘ଓଲି’ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ସ୍ମରଣୀୟ ଅଙ୍ଗ। ‌
(ପ୍ରସ୍ତୁତି: ସାର୍ଥକ ପ୍ରଧାନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର)

ଭାରତରେ ହକି ବିଶ୍ବକପ୍ ପଦାର୍ପଣ
ଭୁବନେଶ୍ବର: ୧୯୮୧ ମସିହାର ପଞ୍ଚମ ସଂସ୍କରଣ ହକି ବିଶ୍ବକପ୍ ପ୍ରଥମ ଥର ଆସିଥିଲା ଭାରତ। ଦେଶର ବ୍ୟବସାୟିକ ରାଜଧାନୀ ବମ୍ବେ (ବର୍ତମାନର ମୁମ୍ବାଇ)ରେ ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତା ୧୯୮୧ ମସିହା ଡିସେମ୍ବର ୨୯ରୁ ୧୯୮୨ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ୧୨ ଦେଶୀୟ ଏହି ବିଶ୍ବକପ୍‌ରେ ପାକିସ୍ତାନ ପୁଣି ଥର ବିଜେତା ହୋଇଥିଲା। ପ୍ରଥମ ୫ ସଂସ୍କରଣରୁ ୩ ଥର ବିଜେତା‌ ହୋଇ ନୂଆ କୀର୍ତିମାନ କରି ନେଇଥିଲା। ଫାଇନାଲରେ ପାକିସ୍ତାନ ୩-୧ରେ ପଶ୍ଚିମ ଜର୍ମାନିକୁ ପରାସ୍ତ କରିଥିଲା। ନେଦରଲାଣ୍ଡକୁ ୪-୨ରେ ହରାଇ ଅଷ୍ଟ୍ରେଲିଆ କାଂସ୍ୟ ପଦକ ଜିତିଥିଲା। ଏହା ପୂର୍ବରୁ ସେମିଫାଇନାଲରେ ପାକିସ୍ତାନ ୪-୨ରେ ନେଦରଲାଣ୍ଡକୁ ଏବଂ ପଶ୍ଚିମ ଜର୍ମାନି ପେନାଲଟି ସୁଟ ଆଉଟ୍‌ରେ ୮-୫ (୩-୩)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆ‌ୟୋଜକ ତଥା ୧୯୭୫ ମସିହା ବିଜେତା ଭାରତକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ପ୍ଳେ ଅଫରେ ଭାରତ ୫-୧ ଗୋଲ‌େର ସୋଭିଏତ ସଂଘକୁ ହରାଇଥିଲା। ପୁଲ ପର୍ଯ୍ୟାୟରେ ଭାରତ ୫ ମ୍ୟାଚରୁ ୩ ବିଜୟ ୨ ପରାଜୟ ସହ ତୃତୀୟରେ ରହି ସେମିଫାଇନାଲରୁ ବଞ୍ଚିତ ହୋଇଥିଲା। ମାଲେସିଆକୁ ୬-୨,‌ ସୋଭିଏତ ସଂଘକୁ ୭-୨ରେ, ଇଂଲଣ୍ଡକୁ ୪-୨ରେ ହରାଇଥିଲେ ମଧ୍ୟ ନେଦରଲାଣ୍ଡଠୁ ୩-୪ରେ ଏବଂ ଅ‌େଷ୍ଟ୍ରଲିଆଠୁ ୧-୨ରେ ହାରିଯାଇଥିଲା। ସମଗ୍ର ପ୍ରତିଯୋଗିତାରେ ୪୨ ମ୍ୟାଚ୍ ଖେଳାଯାଇଥିବାବେଳେ ୫.୧୪ ହାରରେ ମୋଟ ୨୧୬ ଗୋଲ ହୋଇଥିଲା। ପାକିସ୍ତାନର କଲିମଉଲ୍ଲା ଖାନ୍ ମୋଟ ୧୨ ଗୋଲ୍ ଦେଇ ସର୍ବାଧିକ ସ୍କୋରର ସମ୍ମାନ ପାଇଥିଲେ।

ସମ୍ବନ୍ଧିତ ଖବର