ପର୍ତ୍ତୁଗାଲ୍‌ ସବୁଠୁ ଶ୍ରେଷ୍ଠ ଦଳ, ପଡ଼ିଆରେ ପ୍ରମାଣିତ କରିବୁ: ରୋନାଲ୍ଡୋ

ମାଞ୍ଚେଷ୍ଟର ୟୁନାଇଟେଡ୍‌ ଛାଡ଼ିବେ

ଦୋହା: ଗତ କିଛି ଦିନ ହେବ ପର୍ତ୍ତୁଗାଲ୍‌ ଫରୱାର୍ଡ କ୍ରିଷ୍ଟିଆନୋ ରୋ‌ନାଲ୍ଡୋ ଏକ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ ରହିଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍‌ ତାଙ୍କ ସହ ବିଶ୍ବାସଘାତ କରିଛି ଓ କ୍ଲବ୍‌ରୁ ବାହାରି ଯିବାକୁ ବାଧ୍ୟ କରାଯାଇଥିବା ଉକ୍ତ ସାକ୍ଷାତକାରରେ କହିଥିଲେ। କିନ୍ତୁ ଏହି ଘଟଣା ବିଶ୍ବକପ୍‌ରେ ତାଙ୍କ ଉପରେ କିମ୍ବା ଦଳର ପ୍ରଦର୍ଶନ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ରୋନାଲ୍ଡୋ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ତାଙ୍କର ଏଭଳି ଆଚରଣ ଦଳ ଉପରେ କ’ଣ ପ୍ରଭାବ ପକାଇବ ତାହାକୁ ସେ ଖାତିର କରନ୍ତିନି। ବରଂ ଦଳକୁ କିପରି ବିଶ୍ବକପ୍‌ରେ ବିଜେତା କରାଯାଇପାରିବ ତାହା ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ତାଙ୍କ ମତରେ, ଜୀବନରେ ସବୁଠୁ ଶ୍ରେଷ୍ଠ ସମୟ ହେଉଛି ମୋ ସମୟ। ଲୋକମାନେ କ’ଣ ଭାବୁଛନ୍ତି ତାହା ସେ ଜାଣିବାକୁ ଚାହାଁନ୍ତି ନାହିଁ। କିନ୍ତୁ ମୁଁ କେଉଁ ପ୍ରକାରର ମଣିଷ ତାହା ଦଳର ଖେଳାଳିମାନେ ବର୍ଷବର୍ଷ ଧରି ବେଶ୍‌ ଭଲ ଭାବେ ଜାଣିଛନ୍ତି ବୋଲି ରୋନାଲ୍ଡୋ କହିଛନ୍ତି। ସେହିପରି ତାଙ୍କ ସହିତ ଜଡ଼ିତ ଥିବା କୌଣସି ବି କଥା ସବୁବେଳେ ବିବାଦ ଓ ସମାଲୋଚନା ଆଡ଼କୁ ଟାଣି ହୋଇଯାଇଥାଏ। କିଛି ଦିନ ତଳେ ରୋ‌ନାଲ୍ଡୋ ଓ ୟୁନାଇଟେଡ୍‌ ସାଥି ଖେଳାଳି ମିଡ୍‌ଫିଲ୍ଡର ବ୍ରୁନୋ ଫର୍ଣ୍ଣାଣ୍ଡିସ୍‌ ହାତ ମିଶାଇବା ଘଟଣା କ୍ୟାମେରାରେ କଏଦ ହୋଇଯାଇଥିଲା ଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା। କିନ୍ତୁ ଏହାକୁ ଗୁରୁତର ସହ ନନେବାକୁ ସେ କହିବା ସହ ଏକ ମଜାଳିଆ ପରିବେଶରେ ଉଭୟ ହାତ ମିଶାଇଥିବା ସେ ସୂଚନା ଦେଇଛନ୍ତି। ଫର୍ଣ୍ଣାଣ୍ଡିସ୍‌ଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ। ଆମେ ଦୁହେଁ ଥଟ୍ଟାମଜା କରୁଥିଲୁ। ତାଙ୍କର ପ୍ଲେନ୍‌ ବିଳମ୍ବରେ ଆସିଥିଲା। ହୁଏତ ସେମାନେ ‌‌ଡଙ୍ଗାରେ ଆସୁଥିଲେ କି ବୋଲି ମଜାରେ ପଚାରିଥିଲି। ଏହାକୁ ନେଇ ଅଧିକ ବିବାଦ କରିବା ଅପେକ୍ଷା ବିଶ୍ବକପ୍‌ ଦଳ ଉପରେ ପ୍ରଶ୍ନ ପଚରାଯାଉ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ବିଶ୍ବକପ୍‌ ଅଭିଯାନ ପୂର୍ବରୁ ନାଇଜେରିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ବେଳେ ପେଟରେ ଯନ୍ତ୍ରଣା ଯୋଗୁଁ ରୋନାଲ୍ଡୋ ଖେଳିପାରିନଥିଲେ। ତେବେ କାତାରରେ ପହଞ୍ଚିବା ପରଠୁ ଦଳ ସହିତ ସ୍ବାଭାବିକ୍‌ ଭାବେ ସେ ଅଭ୍ୟାସ ଜାରି ରଖିଛନ୍ତି। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଅଭ୍ୟାସ ମଧ୍ୟ ଠିକ୍‌ ଭାବେ ଚାଲିଛି। ତେଣୁ ନିଜର ଶ୍ରେଷ୍ଠତ୍ବ ଦେଇ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିବାକୁ ସେ ଦୃଢତା ଦେଖାଇଛନ୍ତି। ପର୍ତ୍ତୁଗାଲ୍‌ ଜିତିବା ପାଇଁ ଆସିଛି। ଖେଳାଳିମାନେ ମଧ୍ୟ ଜିତିବା ପାଇଁ ଭୋକିଲା ଅଛନ୍ତି। ତେଣୁ ଘାନା ସହିତ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଉପରେ ଏବେ ସବୁ ଧ୍ୟାନ ଦିଆଯାଉଛି। ଏହିଠାରୁ ଭଲ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି। ତେବେ ପ୍ରତିଯୋଗିତା ଶେଷ ବେଳକୁ କିଏ ବିଶ୍ବକପ୍‌ର ଶ୍ରେଷ୍ଠ ଦଳ ତାହା ଜଣାପଡ଼ିଯିବ। ତଥାପି ବର୍ତ୍ତମାନ ସୁଦ୍ଧା ପର୍ତ୍ତୁଗାଲ୍‌ ସବୁଠୁ ଶ୍ରେଷ୍ଠ ଦଳ ବୋଲି ସେ ଦାବି କରିଛନ୍ତି। ଏଥିସହ କେବଳ ନିଜକୁ ଶ୍ରେଷ୍ଠ କହିବା ଅପେକ୍ଷା ପଡ଼ିଆରେ ତାହାକୁ ପ୍ରମାଣିତ କରିବା ଆବଶ୍ୟକତା ରହିଥିବା ରୋନାଲ୍ଡୋ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର