ପୁରୁଣା ମ୍ୟାଚ୍‌ର ବିଶ୍ଲେଷଣ କରୁଛନ୍ତି ଶ୍ରୀଜେସ୍‌, ପରିବାରଠୁ ଦୂରେଇ ରହିବା କଷ୍ଟକର: ସୁନିଲ୍‌

ବେଙ୍ଗାଲୁରୁ: ଭେଟେରାନ ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ଟୋକିଓ ଅଲିମ୍ପିକ୍ସ ସ୍ଥଗିତାଦେଶ ନେଇ ନିରାଶ ହୋଇଛନ୍ତି। ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଭାରତ ହକିରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହାପରେ ଭାରତ ୮ ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ପଦକ ଜିତିବାରେ ବିଫଳ ହୋଇଛି। ଟୋକିଓ ଅଲିମ୍ପିକ୍ସ ଲାଗି ଭାରତ ଯୋଗ୍ୟତା ଅର୍ଜନ କରିବା ସହ ପଦକ ମରୁଡ଼ି ଶେଷ କରିବା ଅପେକ୍ଷାରେ ଥିଲା।

ଅଲିମ୍ପିକ୍ସ ସ୍ଥଗିତ ହେବା ନିଶ୍ଚିତ ନିରାଶର କଥା। ଗତ ବର୍ଷେ ହେଲା ଆମେ କେବଳ ଅଲିମ୍ପିକ୍ସ ଉପରେ ଧ୍ୟାନ ଦେଇ ଆସିଛୁ। ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବା ସହ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ବହୁତ ଭଲ ଆରମ୍ଭ କରିଥିଲୁ। କିନ୍ତୁ କରୋନା ଭୂତାଣୁ ସଙ୍କଟ ପାଇଁ ଏବେ ସବୁକିଛି ବଦଳି ଯାଇଛି ବୋଲି ଶ୍ରୀଜେଶ କହିଛନ୍ତି। ଖେଳାଳିଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସ ବାତିଲ ପରିବର୍ତ୍ତେ ସ୍ଥଗିତ ରହିବା ଭଲ ପଦକ୍ଷେପ ନିଶ୍ଚିତ। ଏହି ଗୋଟିଏ ବର୍ଷ ମଧ୍ୟରେ ଦଳ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣି ପୋଡ଼ିୟମ ଶେ‌ଷ କରିବା ଲକ୍ଷ୍ୟ ରହିବା ଦରକାର ବୋଲି ଶ୍ରୀଜେସ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ସମସ୍ତେ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ପ୍ରଥମ ଦିନରୁ କଠିନ ପରିଶ୍ରମ କରିବା ଏବଂ କିଛି ହାସଲ କରିବା ପାଇଁ ଆମକୁ ୩୬୫ରୁ ୪୦୦ ଦିନ ଧ୍ୟାନ ଦେବା ଆବଶ୍ୟକ। ପରବର୍ତ୍ତୀ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏବେ ନିଜକୁ ଫିଟ୍ ରଖିବା ଆବଶ୍ୟକ ଏବଂ ଗୋଟିଏ ବର୍ଷରେ କ’ଣ ଘଟିବ ସେ ବିଷୟରେ ଚିନ୍ତା କରିବା ନାହିଁ। ତେଣୁ ବର୍ତ୍ତମାନ ଆମକୁ ସାଧାରଣ ଫିଟନେସ୍ ଡ୍ରିଲ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯାହା ନିୟନ୍ତ୍ରଣରେ ନାହିଁ ତାହା ପରିବର୍ତ୍ତନ କରିପାରିବା ନାହିଁ ବୋଲି ସେ କହିଛନ୍ତି। ଅଲିମ୍ପିକ୍ସ ସ୍ଥଗିତ ଖବର ମିଳିବା ପରେ ପ୍ରଶିକ୍ଷକ ଓ ଦଳର ଅଧିକାରୀମାନେ ଆମର ଅଭ୍ୟାସ କିଛି ମାତ୍ରାରେ ଢିଲା କରିଥିଲେ। ଏହି ଲକଡାଉନ୍ ମଧ୍ୟରେ ଆମ ଦଳ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ଅଛି। ଆମେ ବାହାରକୁ ନଯାଇ କେନ୍ଦ୍ରରେ ଫିଟ୍‌ନେସ୍‌ ଡ୍ରିଲ୍‌ ସାଙ୍ଗକୁ ଓଜନ ବ୍ୟାୟାମ କରୁୁଛୁ ବୋଲି ଶ୍ରୀଜେସ କହିଛନ୍ତି।

ଆମର ପୂର୍ବ ମ୍ୟାଚ୍ ଗୁଡ଼ିକର ବିଶ୍ଲେଷଣ କରୁଛୁ। ମୋର ପିଟିଏ ନାମକ ଏକ ସଫ୍ଟୱେର୍ ଅଛି, ଯେଉଁଥିରେ ଆମେ ଏହି କାମ ସହଜରେ କରିପାରୁଛୁ। ରୁମରେ ଭିଡିଓ ଦେଖିବା ସହ ଏହା ଉପରେ ଆମର ମତାମତ ରଖୁଛୁ ଏବଂ ଅନ୍‌ଲାଇନରେ ଆମକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛୁ। ହକି ସହ ସମ୍ପର୍କରେ ରହିବା ପାଇଁ ଆମେ ଏହା କରୁଛୁ ବୋଲି ଏହି ଭେଟେରାନ ତାରକା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିକୁ ସମସ୍ତେ ଜାଣନ୍ତି ଏବଂ ଏହାକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ଖେଳାଳିମାନେ ପ୍ରକୃତରେ ପରିପକ୍ୱ ହୋଇପଡ଼ିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ, ପ୍ରଶିକ୍ଷଣ ଅଧିକାରୀ ଓ ସାଇ କର୍ତ୍ତୃପକ୍ଷଙ୍କ ସମସ୍ତ ନିର୍ଦ୍ଦେଶକୁ ଅନୁସରଣ କରୁଛନ୍ତି। ଏହା ହେଉଛି ସକାରାତ୍ମକ ସଙ୍କେତ। ସମସ୍ତେ ପରସ୍ପରଠାରୁ ଦୂରରେ ଅଛନ୍ତି। ଆମେ କ୍ୟାଣ୍ଟିନ୍‌ରେ ଗୋଟିଏ ଟେବୁଲ୍‌ରେ ଦୁଇ ଜଣ ବସି ଦୂରତା ରଖୁଛୁ। କେହି ଯେମିତି କରୋନାରେ ସଂକ୍ରମିତ ହେବେନି ସେଥିପାଇଁ ସ୍ବଚ୍ଛତାକୁ ଅଧିକ ଧ୍ୟାନ ଦେଉଛୁ ବୋଲି ଏହି ୩୧ ବର୍ଷୀୟ ଭାରତୀୟ ଗୋଲ୍‌ ରକ୍ଷକ କହିଛନ୍ତି।

ଦଳ କିନ୍ତୁ ଅଧିକ ଦୃଢ଼ ଭାବେ ଉଭା ହେବ
ବେଙ୍ଗାଲୁରୁ,: ଦେଶରେ ଗୃହାବଦ୍ଧ ସମୟ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ିବା ସତ୍ତ୍ବେ ଭାରତୀୟ କହି ଦଳର ଅଭିଜ୍ଞ ଫରୱାର୍ଡ ଏସ୍‌ଭି ସୁନିଲ କହିଛନ୍ତି ଏହା ଆମକୁ ଗୋଟିଏ ଦଳ ଭାବେ ଅଧିକ ଦୃଢ଼ କରିବ ଏବଂ ପ୍ରଦର୍ଶନରେ ନିଶ୍ଚିତ ଉନ୍ନତି ଆଣିବ। ଗୃହାବଦ୍ଧ ସମୟ ବଢ଼ିବ ବୋଲି ସମସ୍ତେ ଆଶା କରିଥିଲେ, କାରଣ କରୋନା ମହାମାରୀ କେବଳ ଆମ ଦେଶ ନୁହେଁ ସମଗ୍ର ବିଶ୍ବକୁ ଗ୍ରାସିଛି। ପରିବାରଠାରୁ ଦୂରେଇ ରହିବା ନିଶ୍ଚିତ କଷ୍ଟକର ବୋଲି ମଧ୍ୟ ଏହି ୩୦ ବର୍ଷୀୟ ଫରୱାର୍ଡ ପ୍ରକାଶ କରିଥିଲେ।

ଆମେ ବାଙ୍ଗାଲୋର୍ ସାଇ କେନ୍ଦ୍ରଠାରେ ଦେଢ଼ ମାସ ହେବ ଅଟକି ରହିଛୁ। ସାଥୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କ ସହ ସମୟ ବିତୁଛି। ବିଗତ କିଛି ଋତୁରେ କରିଥିବା ପ୍ରଦର୍ଶନର ବି ସମୀକ୍ଷା କରୁଛୁ। ଆତ୍ମ ସମୀକ୍ଷା ବି କରୁଛୁ। ମୁଁ ଦୃଢ଼ ନିଶ୍ଚିତ ଆମେ ଯେବେ ପଡିଆକୁ ଫେରିବୁ ନିଶ୍ଚିତ ଗୋଟିଏ ୟୁନିଟ୍‌ ଭାବେ ଉନ୍ନତ ପ୍ରଦର୍ଶନ ଦେବୁ ଏବଂ ଦୃଢ଼ ଭାବେ ଉଭା ହେବୁ ବୋଲି ସୁନିଲ କହିଛନ୍ତି। ନିଜର ସହର ବେଙ୍ଗାଲୁରୁରେ ହିଁ ବନ୍ଦି ରହିଛନ୍ତି ସୁନିଲ। ପତ୍ନୀ ନିଶା ଏବଂ ଏକ ବର୍ଷର କନ୍ୟା ଶଂବିତା ସାଇ କେନ୍ଦ୍ରଠାରୁ ମାତ୍ର ୨୦ କିଲୋମିଟର୍ ଦୂରରେ ରହିଛନ୍ତି। କିନ୍ତୁ ପରସ୍ପରର ସ୍ବାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏକତ୍ର ହୋଇନାହାନ୍ତି। ଅଧିକାଂଶ ଖେଳାଳି ଏବେ ପରିବାର ସହ କାଟିବାକୁ ଭଲ ପାଉଛନ୍ତି, ମୋ ପରିବାର ବି ବେଶି ଦୂରରେ ରହିନାହିଁ। ପତ୍ନୀ ଓ କନ୍ୟାକୁ ମିସ୍‌ କରୁଛି। କିନ୍ତୁ ଏବେ ତ ସରକାରୀ ନିୟମ ମାନିବାର ବେଳ। ଘଡିସନ୍ଧି ମୁହୂର୍ତରେ ଆମକୁ ସରକାରତ୍ମକ କଥାକୁ ଗ୍ରହଣ କରିବାକୁ ହେବ ଏବଂ ପରିସ୍ଥିତି ସହିତ ସାଲିସ୍ କରି ନେବାକୁ ପଡିବ ବୋଲି ସୁନିଲ କହିଥିଲେ। ମହାମାରୀ ପରିସ୍ଥିତି ପୂର୍ବରୁ ମୁଁ ୨୦୧୦ ଏବଂ ୨୦୧୮ରେ ବ୍ୟକ୍ତିଗତ କାରଣରୁ ବି କଠୋର ସମୟ ଦେଇ ଗତି କରିଥିଲି। ଉଭୟ ଥର ଆହତ କାରଣରୁ ବିଶ୍ବକପ୍‌ ଖେଳିପାରିନଥିଲି। ବର୍ତମାନର ପରିସ୍ଥିତି କିନ୍ତୁ ଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସହିତ ଏକାଠି ହୋଇ ଲଢ଼ିବାର ଅଛି। ଆମେ ନିଶ୍ଚିତ ଏହି କଠୋର ପରୀକ୍ଷାରୁ ବିଜୟୀ ହୋଇ ବାହାରିବୁ ବୋଲି ସୁନିଲ ପ୍ରକାଶ କରିଥିଲେ। ଅଲିମ୍ପିକ୍ସ ପାଇଁ ଆମେ ପ୍ରସ୍ତୁତ ଥିଲୁ, କିନ୍ତୁ ଏବେ ଆସନ୍ତା ବର୍ଷକୁ ଘୁଞ୍ଚିଯିବା ନିଶ୍ଚିତ ଆହ୍ବାନ ଆଣିବ ବୋଲି ଆସନ୍ତା ମାସରେ ୩୧ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ସୁନିଲ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର