ଭୁବନେଶ୍ବର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଏବେ ନିଜ ଅଧା ପରିବାର ସହ ସମୟ କାଟୁଛନ୍ତି। ଭୁବନେଶ୍ବରରେ ରୋଷେଇ ଘରେ ବିତାଇବାକୁ ପଡୁଛି ପ୍ରବୋଧଙ୍କୁ, ସାଥୀରେ ଅବଶ୍ୟ ଅଛନ୍ତି ପିତାମାତା। କିନ୍ତୁ ତାଙ୍କ ପତ୍ନୀ ଓ ପିଲାମାନେ ରାଞ୍ଚିରେ ରହିଛନ୍ତି। ପତ୍ନୀ ଶ୍ବେତାଙ୍କ କର୍ମସ୍ଥଳ କାରଣରୁ ସେ ରାଞ୍ଚିରେ ଥିବାରୁ ଦୁଇ ଯାଆଁଳା କନ୍ୟା ସାମିକା ଓ ସିଓନାଙ୍କ ସହ ସେଠାରେ ଗୃହାବଦ୍ଧ ଅଛନ୍ତି। ଏଭଳି ଏକ ସାମାଜିକ ସଙ୍କଟ ସମୟରେ ପରସ୍ପରକୁ ସୁସ୍ଥ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ସାମାଜିକ ଦାୟିତ୍ବକୁ ନ ଭୁଲି ଓଡ଼ିଶାର ଜନସାଧାରଣ ଏବଂ କ୍ରୀଡ଼ାବିତ୍ଙ୍କୁ ବି ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ପ୍ରତିଟି ମୁହୂର୍ତ୍ତ ଆଦେଶକୁ ଅନୁପାଳନ କରିବାକୁ ମଧ୍ୟ ପ୍ରବୋଧ ଅନୁରୋଧ କରିଛନ୍ତି। ରାଞ୍ଚିରେ ପତ୍ନୀ ଶ୍ବେତା ଦୁଇ କନ୍ୟାଙ୍କ ସହ ଗୃହାବଦ୍ଧ ସମୟକୁ ଢେର ବିନିଯୋଗ କରୁଛନ୍ତି। ନୃତ୍ୟରେ ଦୁଇ ଝିଅଙ୍କ ପ୍ରତିଭା ଥିବାରୁ ସେମାନେ ଏକାଧିକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଛାଡ଼ି ଏହାକୁ ଉପଭୋଗ କରୁଛନ୍ତି। ସେହିଭଳି ସ୍କୁଲ୍ ଛୁଟି ଥିବାରୁ ବଗିଚା କାମରେ ବି ଦୁଇ ଝିଅଙ୍କୁ ବିନିଯୋଗ କରୁଛନ୍ତି। ପାଣି ଦେବା ଏବଂ ଘାସ ବାଛିବା ଠାରୁ ଆରମ୍ଭ କରି ଗଛପତ୍ର ବାଛିବାରେ ବି ମାଙ୍କୁ ସହାୟତା କରୁଛନ୍ତି ସାମିକା ଓ ସିଓନା। ସୂଚନାଯୋଗ୍ୟ, ପ୍ରବୋଧ ଭାରତୀୟ କନିଷ୍ଠ ଓ ବରିଷ୍ଠ ଦଳର ନେତୃତ୍ବ ନେବାର ବିରଳ କୃତିତ୍ବ ନିଜ ନାମରେ ରଖିଛନ୍ତି। ଜାତୀୟ ଦଳରୁ ୧୬୧ ମ୍ୟାଚ୍ ଖେଳିଥିବା ଏହି ହାଫ୍ବ୍ୟାକ୍ ମଧ୍ୟ ଏସିଆ କପ୍ ସ୍ବର୍ଣ୍ଣ (୨୦୦୭), ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ (୨୦୧୦) ପଦକ ସହିତ ୩ଟି କାଂସ୍ୟ ପଦକ (ଏସୀୟ କ୍ରୀଡ଼ା-୨୦୧୦, ଚାମ୍ପିଅନ୍ସ ଚାଲେଞ୍ଜ୍-୨୦୦୭, ସୁଲତାନ ଆଜଲାନ ସାହା କପ୍-୨୦୦୭) ହାସଲ କରିଥିଲେ। ୨୦୧୧ ମସିହାରେ ରାଞ୍ଚିର ଝିଅ ଶ୍ବେତାଙ୍କୁ ବିବାହ କରିଥିଲେ।
ଭୁବନେଶ୍ବରରେ ପ୍ରବୋଧ: ରାଞ୍ଚିରେ ପରିବାର
/sambad/media/post_attachments/wp-content/uploads/2020/04/sfhsfhsfhsf7h987sfh98sf74h98sf4hsf4hsfh456.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)