ଭୁବନେଶ୍ବର : ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଚାଲିଥିବା ଡକ୍ଟର ପ୍ରାଚୀ ଭୂଷଣ ତ୍ରିପାଠୀ ସ୍ମାରକୀ ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ୍ କ୍ଲବ୍ ବିଜେତା ଆଖ୍ୟା ହାସଲ କରିଛି। ରବିବାର ଫାଇନାଲ୍ରେ ଏହି ଦଳ ୫୦ ରନ୍ରେ ପାରାମାଉଣ୍ଟ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବିଜୟୀ ଦଳ ନିର୍ଧାରିତ ୪୦ ଓଭରରେ ୮ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା। ଜବାବରେ ପାରାମାଉଣ୍ଟ ୩୨.୨ ଓଭରରେ ୧୪୫ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ବିଜେତା ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସୁଧୀର ଶର୍ମା ଫାଇନାଲ୍ର ଏବଂ ଅଜୟ ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପାରାମାଉଣ୍ଟ ଦଳର ସୟଦ୍ ତୁଫୈଲ ଅହମ୍ମଦ ଶ୍ରେଷ୍ଠ ବୋଲର, ସୁଦର୍ଶନ ସ୍ବାଇଁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ବିଦ୍ୟାଧର ବେହେରା ଶ୍ରେଷ୍ଠ ୱିକେଟ୍ରକ୍ଷକ ପୁରସ୍କାର ହାସଲ କରିଥିଲେ। ଫାଇନାଲ୍ ମ୍ୟାଚ୍କୁ ରଞ୍ଜିତ ମହାପାତ୍ର ଓ ସୁଶାନ୍ତ ଦାଶ ପରିଚାଳନା କରିଥିଲା ବେଳେ ପ୍ରିୟାଂଶୁ ଜେନା ସ୍କୋରର୍ ଓ ରାଜେନ୍ଦ୍ର ବେହେରା ଭାଷ୍ୟକାର ରହିଥିଲେ।
ରସୁଲଗଡ଼ ଦୁର୍ଗାପୂଜା କମିଟି ସଭାପତି ପ୍ରଦୀପ ବରିସଲ୍ ଫାଇନାଲ୍ ମ୍ୟାଚ୍କୁ ଉଦ୍ଘାଟନ କରିଥିଲା ବେଳେ ଉଦ୍ଯାପନୀ ଉତ୍ସବରେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏଏ ସଂପାଦକ ସୌର୍ଯ୍ୟରଞ୍ଜନ ପରିଜା, ଏସ୍ଟିସି ଅଧ୍ୟକ୍ଷ ପ୍ରଭୂଚରଣ ଗୋଛାୟତ, ୧୯ ବର୍ଷରୁ କମ୍ ମିସ୍ ଇଣ୍ଡିଆ ଲାବଣ୍ୟ ଦାଶ, ସାମାଜିକକର୍ମୀ ଅକ୍ଷୟ ଲେଙ୍କା ଓ ପ୍ରକାଶ ଜେନା ଅତିଥି ଭାବେ ଯୋଗ ଦେଇଥିଲେ।
ସଂକ୍ଷିପ୍ତ ସ୍କୋର: ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ୍ କ୍ଲବ୍ ୪୦ ଓଭରରେ ୧୯୫/୮ (ସୁଧୀର ଶର୍ମା-୮୯*, ଭକ୍ତିସାଗର ନାୟକ-୨୭, ଅଜୟ ରାଉତ-୨୬, ରିତେଶ ପ୍ରିୟରଞ୍ଜନ-୨/୨୩, ସାଇ ଶୁଭମ୍-୨/୩୬, ସୟଦ୍ ତୁଫୈଲ ଅହମ୍ମଦ-୨/୪୧)। ପାରାମାଉଣ୍ଟ ସ୍ପୋର୍ଟିଂ ୩୨.୨ ଓଭରରେ ୧୪୫/୧୦ (ସୁଦର୍ଶନ ସ୍ବାଇଁ-୩୭, ସିଦ୍ଧେଶ୍ବର ପରିଡ଼ା-୨୨, ସାଇ ଶୁଭମ-୨୧, ମିହିର ଦାସ-୩/୨୩, ମହମ୍ମଦ ଦାନିସ-୨/୨୩, ଭକ୍ତିସାଗର-୧/୮)।