ଦୋହା ପର୍ତୁଗାଲ ତା’ର ଫିଫା ବିଶ୍ବକପ୍ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର ଶେଷ ଅଭ୍ୟାସ ମ୍ୟାଚ୍ରେ ଏହିଦଳ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିନା ଖେଳିଥିଲା। ରୋନାଲ୍ଡୋଙ୍କ ଅନୁପସ୍ଥିତିରେ ମଧ୍ୟ ପର୍ତ୍ତୁଗାଲ ୪-୦ ଗୋଲ୍ରେ ନାଇଜେରିଆକୁ ପରାସ୍ତ କରିଛି। ଏହି ଗୋଲ୍ଗୁଡ଼ିକ ବ୍ରୁନୋ ଫର୍ଣ୍ଣାଡିଜ, ଗୋନସାଲୋ ରାମୋସ ଓ ଜୋଆଓ ମାରିଓ ଦେଇଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍ର ଫର୍ଣ୍ଣାଡିଜ୍ ନବମ ମିନିଟ୍ରେ ଗୋଲ୍ ଅଭିଯାନ ଆରମ୍ଭ କରିଥିଲେ। ୩୫ତମ ମିନିଟ୍ରେ ପେନାଲ୍ଟି ଜରିଆରେ ଗୋଲ୍ ଦେଇ ଫର୍ଣ୍ଣାଡିଜ୍ ଯୁଗଳ ସଫଳତା ପାଇବା ସହ ଦଳକୁ ୨-୦ରେ ଆଗୁଆ ରଖିଥିଲେ। ୮୧ତମ ମିନିଟ୍ରେ ନାଇଜେରିଆକୁ ମିଳିଥିବା ପନୋଲ୍ଟିକୁ ଏମାନୁଏଲ ଡେନିସ ଗାଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର ଗୋଟିଏ ମିନିଟ୍ ପରେ ରାମୋସଙ୍କ ଗୋଲ୍ରେ ପର୍ତ୍ତୁଗାଲ ୩-୦ରେ ଆଗୁଆ ରହିଥିଲା। ମାରିଓ (୮୪ ମିନିଟ୍) ଦଳ ପାଇଁ ଶେଷ ଗୋଲ୍ କରିଥିଲେ। ୨୪ ତାରିଖରେ ଘାନା ବିପକ୍ଷରେ ଖେଳି ପର୍ତ୍ତୁଗାଲ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍-ଜି’ରେ ସ୍ବିଜରଲାଣ୍ଡ ୨୪ରେ କାମେରୁନ ବିପକ୍ଷରେ ଖେଳିବ।
ସ୍ପେନ୍ ବିଜୟରେ ଅଂଶୁ ଫତିଙ୍କ ଚମକ
ଜୋର୍ଡାନ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ସ୍ପେନ୍ର ଅଂଶୁ ଫତିଙ୍କ ଚମକ ଦେଖିବାକୁ ମିଳିଛି। ଏହି ଯୁବ ଫୁଟ୍ବଲରଙ୍କ ଗୋଲ୍ରେ ସ୍ପେନ୍ ୩-୧ରେ ଜୋର୍ଡାନକୁ ମାତ୍ ଦେଇଥିଲା। ଫତି ୧୩ତମ ମନିଟ୍ରେ ଗୋଲ୍ ଦେଇ ଦଳକୁ ଆଗୁଆ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ୧-୦ରେ ଶେଷ ହୋଇଥିଲା। ୫୬ତମ ମିନିଟ୍ରେ ସ୍ପେନ୍ର ଗାଭି ପାଏଜ ଗୋଲ୍ ଦେଇ ସ୍ଥିତି ୨-୦ କରିଥିଲେ। ୮୪ତମ ମିନିଟ୍ରେ ନିକୋ ୱିଲିୟମ୍ସ ଦଳ ପାଇଁ ତୃତୀୟ ଗୋଲ୍ କରିଥିଲେ। ଏହା ୱିଲିୟମ୍ସଙ୍କ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ ଥିଲା। ତେବେ ଶେଷ ମିନିଟ୍ରେ ଜୋର୍ଡାନ୍ର ହାମ୍ଜା ଅଲ୍-ଦାର୍ଦୌର (୯୦+୨ ମିନିଟ୍) ଗୋଲ୍ ଦେଇ ପରାଜୟ ବ୍ୟବଧାନକୁ ସାମାନ୍ୟ କାମାଇଥିଲେ। ବିଶ୍ବକପ୍ ଗ୍ରୁପ୍-ଇ’ରେ କୋଷ୍ଟାରିକା ବିପକ୍ଷରେ ସ୍ପେନ୍ ୨୩ ତାରିଖରେ ପ୍ରଥମ ମ୍ୟାଚ୍ ଖେଳିବ। ଏହାପରେ ଜର୍ମାନି (ନଭେମ୍ବର ୨୭) ଓ ଜାପାନ (ଡିସେମ୍ବର ୧) ବିପକ୍ଷରେ ଖେଳିବ।
ଜାପାନ୍କୁ ହରାଇଲା କାନାଡ଼ା
୩୬ ବର୍ଷ ପରେ ବିଶ୍ବକପ୍ ଖେଳିବାକୁ ଆସିଥିବା କାନାଡ଼ା ଅଭ୍ୟାସ ମ୍ୟାଚ୍ରେ ବିଜୟୀ ହୋଇଛି। ଏହି ଦଳ ୨-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଅଷ୍ଟମ ମିନିଟ୍ରେ ୟୁକି ସୋମାଙ୍କ ଗୋଲ୍ରେ ଜାପାନ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ହେଲେ ୨୧ତମ ମିନିଟ୍ରେ କାନାଡ଼ାର ଷ୍ଟିଭେନ ଭିକ୍ଟୋରିଆ ଗୋଲ୍ ଦେଇ ସ୍ଥିତି ବରାବର କରିଥିଲେ। ୯୪ତମ ମିନିଟ୍ରେ କାନାଡ଼ାକୁ ମିଳିଥିବା ପେନାଲ୍ଟିକୁ ଲୁକାସ କାଭାଲିନି ଗୋଲ୍ରେ ପରିଣତ କରି ଦଳକୁ ବିଜୟ ଭେଟି ଦେଇଥିଲେ। କାନାଡ଼ା ନଭେମ୍ବର ୨୩ ତାରିଖରେ ବେଲ୍ଜିୟମକୁ ଏବଂ ଗ୍ରୁପ୍-ଇ’ରେ ଜାପାନ ସେହିଦିନ ଜର୍ମାନିକୁ ଭେଟିବ।