ଅଭ୍ୟାସ ମ୍ୟାଚ୍‌: ଇଣ୍ଡିଜ୍‌କୁ ହରାଇଲା ଅଷ୍ଟ୍ରେଲିଆ

ରସେଲ୍‌ଙ୍କ ବାଉନ୍ସରେ ଖୱାଜା ଆହତ

ସାଉଥହାମ୍ପଟନ୍‌: ବିଶ୍ବକପ୍‌ ପୂର୍ବରୁ ବୁଧବାର ସାଉଥହାମ୍ପଟନ୍‌ଠାରେ ‌ୱେଷ୍ଟ୍‌ଇଣ୍ଡିଜ୍‌ ଏବଂ ଅଷ୍ଟ୍ରେଲିଆ ଏକ ଅଣଆନୁ‌ଷ୍ଠାନିକ ଅଭ୍ୟାସ ମ୍ୟାଚ୍‌ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ଇଣ୍ଡିଜ୍‌କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟ୍‌ଇଣ୍ଡିଜ୍‌ ୪୬.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୨୯ ରନ୍‌ କରିଥିଲା। କାର୍ଲୋସ ବ୍ରାଥୱେଟ୍‌ (୬୦, ୬୪ ବଲ୍‌, ୫ ଚୌକା, ୩ ଛକା) ଏବଂ ଏଭିନ ଲୁଇସ (୫୦, ୫୬ ବଲ୍‌, ୬ ଚୌକା, ୧ ଛକା) ଅର୍ଧଶତକ ହାସଲ କରିଥିଲା ବେଳେ ସୁନୀଲ ଆମ୍ବ୍ରିସ ୩୭ ରନ୍‌ର ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟ୍ରାର୍କ, କୁଲଟର ନାଇଲ୍‌, ଗ୍ଲେନ୍‌ ମ୍ୟକ୍ସ‌ୱେଲ୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୮.୩ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଷ୍ଟିଭ୍‌ ସ୍ମିଥ୍‌ (୭୬, ୮୨ ବଲ୍‌, ୭ ଚୌକା, ୨ ଛକା) ଅର୍ଧଶତକ ହାସଲ କରିଥିଲା ବେଳେ ଆରୋନ ଫିଞ୍ଚ୍‌ ୪୨ ଓ ଡେଭିଡ୍‌ ୱାର୍ନର ୧୨ ରନ୍‌ କରି ଆ‌ଉଟ୍‌ ହୋଇଥିଲେ। ସନ୍‌ ମାର୍ସ ୫୫ (୫୯ ବଲ୍‌, ୭ ଚୌକା) ଏବଂ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୧୮ (୧୨ ବଲ୍‌, ୩ ଚୌକା) ଅପରାଜିତ ରହି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ଅଷ୍ଟ୍ରେଲିଆ ଜିତିଥିଲେ ମଧ୍ୟ ଏହି ମ୍ୟାଚ୍‌ ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଉସ୍‌ମାନ୍‌ ଖୱାଜା ଆହତ ହୋଇ ଅଧାରୁ ପଡ଼ିଆ ଛାଡ଼ିଥିଲେ। ବ୍ୟକ୍ତିଗତ ଭାବେ ୫ ରନ୍‌ କରିଥିଲା ବେଳେ ଆନ୍ଦ୍ରେ ରସେଲଙ୍କ ବାଉନ୍ସର ତାଙ୍କ ଡାହାଣ ପଟ ମୁହଁ ବାଜିଥିଲା। ଏହାପରେ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କ ମାଢ଼ିର ସ୍କାନ୍‌ ହେବା ପରେ ଫେରିଥିଲେ।

ସମ୍ବନ୍ଧିତ ଖବର