ସଚିନଙ୍କୁ ଆଉଟ୍‌ କରି ସ୍ବତନ୍ତ୍ର ଉପହାର ପାଇଥିଲେ ପ୍ରଜ୍ଞାନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବାମହାତୀ ସ୍ପିନର ତଥା ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ୨୦୦୯ ଆଇପିଏଲ୍‌ରେ ଡେକାନ୍ ଚାର୍ଜର୍ସ ପକ୍ଷରୁ ଖେଳୁଥିଲେ। ଡର୍ବାନ୍‌ର କିଙ୍ଗ୍ସମେଡ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ସେ କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର,‌ ଜେପି ଡୁମିନି, ଶିଖର ଧାୱନଙ୍କ ୱ‌ିକେଟ୍‌‌ ନେଇ ୩/୨୧ ସଫଳତା ପାଇବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସଚିନଙ୍କୁ ଆଉଟ୍‌ କରିବା ପାଇଁ ତାଙ୍କୁ ଡେକାନ ଚାର୍ଜର୍ସର ମ‌ାଲିକ ସ୍ବତନ୍ତ୍ର ଉପହାର ଦେଇଥିଲେ ବୋଲି ପୁରୁଣା ସ୍ମୃତିୁକୁ ମନେ ପକାଇ ପ୍ରଜ୍ଞାନ କହିଛନ୍ତି।

ଡର୍ବାନ୍‌ରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆମ ମାଲିକ ମୋ ପାଖକୁ ଆସି କହିଲେ ପ୍ରଜ୍ଞାନ୍‌, ଯଦି ତୁମେ ସଚିନଙ୍କ ୱିକେଟ୍‌‌ ନେବ ତେବେ ମୁଁ ତୁମକୁ ନିଶ୍ଚିତ ଏକ ସ୍ବତନ୍ତ୍ର ଉପହାର ଦେବି। ‌ସେ ହାଇଦ୍ରାବାଦର ହୋଇଥିବାରୁ ମୋ ସହିତ ତାଙ୍କର ଭଲ ସଂପର୍କ। ହାତ ଘଣ୍ଟା ପ୍ରତି ମୋର ଦୁର୍ବଳତା ଥିବା ସେ ଜାଣନ୍ତି। ତେଣୁ ମୁଁ ତାଙ୍କୁ କହିଥିଲି, ସାର୍‌ ଯଦି ସଚିନଙ୍କ ୱିକେଟ୍‌ ନିଏ ତେବେ ଉପହାର ସ୍ବରୂପ ମୋତେ ହାତଘଣ୍ଟା ଦେଇପାରିବେ। ଏହାର ପରଦିନ ମୁଁ ସଚିନ ପାଜୀଙ୍କ ୱିକେଟ୍‌ ନେଲି ଏବଂ ସେ ମୋତେ ହାତଘଣ୍ଟା ଉପହାର ଦେ‌ଇଥିଲେ ବୋଲି ପ୍ରଜ୍ଞାନ କହିଛନ୍ତି। ସମସ୍ତ ବୋଲରଙ୍କ ସ୍ବପ୍ନ ଥାଏ ସଚିନ ପାଜୀଙ୍କ ୱିକେଟ୍‌ ନେବା। ତାଙ୍କ ୱିକେଟ୍‌ ପାଇଁ ମୁଁ ଏଭଳି ସୁନ୍ଦର ଅନୁଭବ ପାଇଥିଲି। ଏହା ମୋ ପାଇଁ ସ୍ବତନ୍ତ୍ର ୱିକେଟ୍‌‌ ଥିଲା ବୋଲି ପ୍ରଜ୍ଞାନ କହିଛନ୍ତି। ସେହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ବିଜୟ ଲକ୍ଷ୍ୟ ୧୬୯ ଥିଲା। ଏକଦା ଦଳ ୮୬/୧ରେ ଭଲ ସ୍ଥିତିରେ ଥିଲା। ସଚିନଙ୍କ ସହ ୩ ୱିକେଟ୍‌‌ ନେଇ ପ୍ରଜ୍ଞାନ ମୁମ୍ବାଇକୁ ୧୫୬ ରନ୍‌ରେ ଅଟକାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ବାମହାତୀ ସ୍ପିନର ସେହି ଋତୁରେ ୧୮ ୱକେଟ୍‌ ନେଇ ପଞ୍ଚମ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ।

ସମ୍ବନ୍ଧିତ ଖବର