ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍ ଜଗତକୁ ରବିବାର ମିଳିଛି ବହୁତ ବଡ଼ ଖୁସି ଖବର। ଓଡ଼ିଆ ପୁଅ ତଥା ପୂର୍ବତନ ଅନ୍ତର୍ଜାତୀୟ ସ୍ପିନର୍ ପ୍ରଜ୍ଞାନ ଓଝା ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ବିସିସିଆଇ ବରିଷ୍ଠ ଚୟନ ସମିତିର ସଦସ୍ୟ ହେବାରେ ୩୯ବର୍ଷୀୟ ପ୍ରଜ୍ଞାନ ତୃତୀୟ ଓଡ଼ିଆ ହୋଇଛନ୍ତି। ପୂର୍ବରୁ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି ଏବଂ ସୁପରିଚିତ ଟେଷ୍ଟ୍ କ୍ରିକେଟର୍ ଶିବସୁନ୍ଦର ଦାସ ଏହି ସମ୍ମାନଜନକ ତଥା ଗୁରୁତ୍ବପୂର୍ଣ୍ଣ ସମିତିର ସଦସ୍ୟ ରହି ସାରିଛନ୍ତି। ଶିବ ସୁନ୍ଦର ଏବେ ବି ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସମିତିର ସଦସ୍ୟ ଅଛନ୍ତି। ଏଣୁ ପ୍ରଥମ ଥର ଲାଗି ଜାତୀୟ ବରିଷ୍ଠ କ୍ରିକେଟ୍ ଚୟନ ସମିତିରେ ଦୁଇ ଜଣ ଓଡ଼ିଆ ସଦସ୍ୟ ହେବାରେ ଗୌରବ ରାଜ୍ୟ କ୍ରିକେଟ୍ ଇତିହାସରେ ଯୋଡ଼ି ହୋଇଛି। ପ୍ରଜ୍ଞାନ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ଏହି ସମିତିରେ ରହି ଭାରତୀୟ କ୍ରିକେଟ୍ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ।
ଭୁବନେଶ୍ବରର ସହିଦ ସ୍ପୋର୍ଟିଂ କ୍ଲବ୍ରୁ ନିଜ କ୍ରିକେଟ୍ କ୍ୟାରିୟରର ଆଦ୍ୟ ଜୀବନ ଆରମ୍ଭ କରିଥିବା ପ୍ରଜ୍ଞାନ ନିଜ ସମୟର ଜଣେ ଶ୍ରେଷ୍ଠ ସ୍ପିନର୍ ଥିଲେ। ଘରୋଇ କ୍ରିକେଟ୍ରେ ହାଇଦ୍ରାବଦ, ବେଙ୍ଗଲ ଓ ବିହାର ଭଳି ଦଳର ପ୍ରତିନିଧିତ୍ବ କରିଥିବା ଏହି ବାମହାତୀ ସ୍ପିନର ପ୍ରଜ୍ଞାନ ୨୪ ଟେଷ୍ଟ୍, ୧୮ ଦିନିକିଆ ଓ ୬ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳି ମୋଟ ୧୪୪ ୱିକେଟ୍ କରାୟତ୍ତ କରିଛନ୍ତି। ସେ ମଧ୍ୟ ଆଇପିଏଲ୍ ପରିଚାଳନା ପରିଷଦରେ ସେବା କରିବାର ଗୌରବ ଅର୍ଜନ କରିସାରିଛନ୍ତି। କ୍ରିକେଟ୍ ଛାଡ଼ିବା ପରେ ପ୍ରଜ୍ଞାନ ନିଜକୁ ଜଣେ ପ୍ରତିଷ୍ଠିତ ଭାଷ୍ୟକାର ଭାବେ ସ୍ଥାପିତ କରିସାରିଛନ୍ତି। ମହତ୍ତ୍ବପୂର୍ଣ୍ଣ କଥା ହେଲା ପୂର୍ବତନ କ୍ରିକେଟର୍ ପ୍ରବୀଣ ଆମ୍ରେ, ଅମୟ ଖୁରାସିଆ, ଆଶିଷ ୱିନଷ୍ଟନ୍ ଜୈଦି ଓ ଶକ୍ତି ସିଂହ ଭଳି ଆବେଦକଙ୍କୁ ପଛରେ ପକାଇ ପ୍ରଜ୍ଞାନ ଏହି ପଦ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଅଗରକରଙ୍କ ପରେ ଏବେ ସେ ଜାତୀୟ ଚୟନ ସମିତିର ସବୁଠାରୁ ଅଭିଜ୍ଞ କ୍ରିକେଟର୍ ପାଲଟି ଯାଇଛନ୍ତି। ଏହି ଖବର ପଦାକୁ ଆସିବା ପରେ ପ୍ରଜ୍ଞାନଙ୍କୁ ଚାରିଆଡ଼କୁ ଶୁଭେଚ୍ଛାର ସୁଅ ଛୁଟିଛି। ସେହିଭଳି ଉତ୍ତରପ୍ରଦେଶର ପୂର୍ବତନ ଦ୍ରୁତ ବୋଲର ଆର୍ପି ସିଂହ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପାଞ୍ଚ ଜଣିଆ ଚୟନ ସମିତିର ଅନ୍ୟତମ ସଦସ୍ୟ ନିଯୁକ୍ତ ହୋଇଛନ୍ତି।
ପ୍ରଜ୍ଞାନ ଏବଂ ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଆର୍ପି ଯଥାକ୍ରମେ ଏସ୍ ଶରତ ଏବଂ ସୁବ୍ରତ ବାନାର୍ଜୀଙ୍କ ସ୍ଥାନ ନେବେ। ବାନାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲା ବେଳେ ଶରତଙ୍କୁ କନିଷ୍ଠ ଚୟନ ସମିତିର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ଦିଲ୍ଲୀ ରଣଜୀ ଦଳର ପୂର୍ବତନ ଅଧିନାୟକ ତଥା ଘରୋଇ କ୍ରିକେଟ୍ର ସୁପରିଚିତ ନାମ ମିଥୁନ ମନ୍ହାସ ଆନୁଷ୍ଠାନିକ ଭାବେ ବିସିସିଆଇର ନୂଆ ସଭାପତି ଦାୟିତ୍ବ ଗ୍ରହଣ କରିଛନ୍ତି। ରବିବାର ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ତାଙ୍କ ନାମ ଉପରେ ସର୍ବସମ୍ମତିକ୍ରମେ ମୋହର ଲାଗିଥିଲା। ତା’ ସହିତ ସୌରଭ ଗାଙ୍ଗୁଲି, ରୋଜର ବିନ୍ନିଙ୍କ ପରେ ତୃତୀୟ ପେସାଦାର କ୍ରିକେଟର୍ ଭାବେ ସେ ବିସିସିଆଇର ସର୍ବୋଚ୍ଚ ପଦ ଅଳଙ୍କୃତ କରିଛନ୍ତି। ଏହା ପୂର୍ବରୁ ୪୫ବର୍ଷୀୟ ମନ୍ହାସ ଜମ୍ମୁ କାଶ୍ମୀର କ୍ରିକେଟ୍ ସଂଘର ନିର୍ଦ୍ଦେଶକ ଥିଲେ। ତାଙ୍କ ଛଡ଼ା ରାଜୀବ ଶୁକ୍ଳା ଉପସଭାପତି, ଦେବଜିତ ସାଇକିଆ ସଂପାଦକ, ପ୍ରଭତେଜ ସିଂହ ଭାଟିଆ ଯୁଗ୍ମ ସଂପାଦକ ଏବଂ ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଘୋଷିତ ହୋଇଛନ୍ତି। ଜମ୍ମୁ କାଶ୍ମୀରରେ ଜନ୍ମିତ ମନ୍ହାସ ନିଜ ୧୮ବର୍ଷର ପ୍ରଥମଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ଦିଲ୍ଲୀ ପକ୍ଷରୁ ୧୫୭ ମ୍ୟାଚ୍ ଖେଳି ୯,୭୧୪ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୭ ଶତକ ଓ ୪୯ ଅର୍ଦ୍ଧଶତକ। ତାଙ୍କ ନେତୃତ୍ବରେ ଦିଲ୍ଲୀ ମଧ୍ୟ ରଣଜୀ ବିଜେତା ହୋଇଥିଲା।