ଓଡ଼ିଶାରୁ ଡାକରା ପାଇଲେ ସୌଭାଗ୍ୟ ମଣିବି: ପ୍ରଜ୍ଞାନ

‘‘ପ୍ରତିଟି ଟେଷ୍ଟ୍ ୱିକେଟ୍ ସ୍ମରଣୀୟ’’

ଭୁବନେଶ୍ବର: ଟେଷ୍ଟ୍ କ୍ରିକେଟ୍‌ ଖେଳିବା ସବୁଠୁ ଗୁରୁତ୍ବପୂର୍ଣ୍ଣ। କ୍ରିକେଟ୍ ଜଗତରେ ସମସ୍ତେ ଏହାକୁ ମହତ୍ବ ଦିଅନ୍ତି। ସେହି ଦୃଷ୍ଟିରୁ ଟେଷ୍ଟ୍‌ କ୍ରିକେଟ୍‌ ଖେଳିବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ ଥିଲା। ଟେଷ୍ଟ୍ କ୍ରିକେଟ୍‌ ପଦାର୍ପଣ କରିବା ଦିନ ସଚିନ ତେନ୍ଦୁଲକରଙ୍କଠାରୁ କ୍ୟାପ୍‌ ଗ୍ରହଣ କରିବା ଏବଂ ଖେଳିବା ଭିତରେ ନେଇଥିବା ପ୍ରତିଟି ଟେଷ୍ଟ୍ ୱିକେଟ୍ ମୋ ପାଇଁ ସ୍ମରଣୀୟ ରହିବ ବୋଲି କହିଛନ୍ତି ପ୍ରଜ୍ଞାନ ଓଝା। ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର‌‌ ନେଇଥିବା ପ୍ରଜ୍ଞାନ କହିଛନ୍ତି, ଟେଷ୍ଟ୍ ମ୍ୟାଚ୍‌ ଖେଳିବାର ସ୍ବପ୍ନକୁ ସାକାର କରିପାରିଥିବାରୁ ମୁଁ ଖୁସୀ। ସଚିନ‌ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ୍‌ରେ ୧୦ ୱିକେଟ୍ ନେବା ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ନିଶ୍ଚିତ ଅଭୂଲା ରହିବ। ଏହା ପରେ ଦଳରେ ସୁଯୋଗ ପାଇବା ନ ପାଇବା ବଡ଼ କଥା ନୁହେଁ। ମୋତେ ମିଳିଥିବା ସୁଯୋଗକୁ ନେଇ ମୁଁ ଗର୍ବିତ। ଦଳର ବିଜୟ ପାଇଁ ୧୦୦ ପ୍ରତିଶତ ଦେଇଥିଲି। ଏତେ ଦିନ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ପରେ ଭାରତୀୟ କ୍ରିକେଟ୍ ଢେର ଆଗକୁ ବଢ଼ିଯାଇଛି ବୋଲି ଅନୁଭବ କଲି। ଯୁବ ଖେଳାଳିଙ୍କ ଯାଗା ବ୍ଲକ୍ ନ କରି ଠିକଣା ସମୟରେ ଅବସର ନିଷ୍ପତ୍ତି ନେଇଛି ବୋଲି ଭାବୁଛି। ଯୁବ ଖେଳାଳିମାନେ ରାଜ୍ୟ ଓ ଦେଶ ପାଇଁ ଖେଳିବାର ସୁଯୋଗକୁ ବାଟ ଛାଡ଼ିଦେବା ଲାଗି ଏଭଳି ନିଷ୍ପତ୍ତି‌ ନେଲି ବୋଲି ପ୍ରଜ୍ଞାନ ଶନିବାର ସକାଳେ ‘କନକ୍‌ ନିଉଜ’ ସହିତ କଥା ହେବାବେଳେ ପ୍ରକାଶ କରିଥିଲେ।

ଏବେ ମୁଁ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ‌ହେଉଛି। ବିସିସିଆଇ ଅନୁମତି ଦେଲେ ମୁଁ ଅନ୍ୟ ପ୍ରମୁଖ ଲିଗ୍‌ରେ ଖେଳିବାକୁ ଯୋଜନା କରିବି। କ୍ରିକେଟ୍‌ର ସେବା ପାଇଁ ବହୁ ସ‌ୁଯୋଗ ରହିଛି। ଓଡ଼ିଶା କ୍ରିକେଟ୍‌ ପାଇଁ ଡାକରା ଆସିଲେ ନିଶ୍ଚିତ ନିଜକୁ ସୌଭାଗ୍ୟ ମଣିବି। ଏବେ କିନ୍ତୁ ସେ ବିଷୟରେ କିଛି ଭାବିନାହିଁ। ଓଡ଼ିଶାର ପାଣି ପବନରେ ବଢ଼ିଛି। ଭୁବନେଶ୍ବରରେ ବାପା ଜେଜେବାପା ରହୁଥିଲେ। କଟକ ମଙ୍ଗଳବାଗରେ ମୋ ମାମୁଁଘର। ମାମୁଁ ନୃସିଂହ ଚୌଧୁରୀ କନିଷ୍ଠ ବର୍ଗରେ ଖେଳିଥି‌ଲେ ଏବଂ ଏବେ ଓସିଏ ସହିତ ଜଡ଼ିତ ଅଛନ୍ତି। କନିଷ୍ଠ ଖେଳାଳିମାନଙ୍କୁ ଗଢ଼ି ତୋଳିବାର ସ‌ୁଯୋଗ ପାଇଲେ ନିଶ୍ଚିତ ସେମାନଙ୍କ ପାଇଁ ନିଜକୁ ୧୦୦ ପ୍ରତିଶତ‌ ଦେବା ଏବଂ ସେମାନଙ୍କଠାରୁ ୧୦୦ ପ୍ରତିଶତ ଆଶା ରଖିବି। ଓଡ଼ିଶା ମୋ ଜନ୍ମଭୂମି, ହାଇଦ୍ରାବାଦ କର୍ମଭୂମି। ଏହି ଦୁଇଟି ସ୍ଥାନର ଖେଳାଳିମାନେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଲେ ମୁଁ ନିଶ୍ଚିତ ଖୁସୀ ହେବି। କଠିନ ପରିଶ୍ରମ, ତ୍ୟାଗ ଏବଂ ସଙ୍କଳ୍ପ ଜରିଆରେ ଯୁବ ଖେଳାଳିମାନେ ଉଚ୍ଚସ୍ତରରେ ପହଞ୍ଚିପାରିବେ ବୋଲି ପ୍ରଜ୍ଞାନ ନିଜ ପରାମର୍ଶରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର