ଆଇପିଏଲ୍‌ ବିଜେତା ହେବାର ସ୍ମୃତିକୁ ମନେ ପକାଇଲେ ପ୍ରଜ୍ଞାନ, ଅନେକ ପ୍ରତିବନ୍ଧକ ଦୂର କରି ଡେକାନ୍ ଜିତିଥିଲା ମୁକୁଟ’

ହାଇଦ୍ରାବାଦ: ୨୦୦୮ ମସିହାର ପ୍ରଥମ ସଂସ୍କରଣ ଆଇପିଏଲ୍‌ରେ ଡେକାନ୍ ଚାର୍ଜର୍ସ (ବର୍ତମାନର ସନ୍‌ରାଇଜର୍ସ ହଇଦ୍ରାବାଦ) ପଏଣ୍ଟ୍‌ ଟେବୁଲ୍‌ର ନିମ୍ନରେ ରହିଥିଲା। କିନ୍ତୁ ଗୋଟିଏ ବର୍ଷ ପରେ ବହୁ ପଡିଆ ବାହାର ପ୍ରତିବଂଧକକୁ କାଟି ବିଜେତା ମୁକୁଟ ହାସଲ କରିଥିଲା। ଏଭଳି କଥା କହିଛନ୍ତି ୨୦୦୯ ବିଜେତା ଡେକାନ୍ ଚାର୍ଜର୍ସ ଦଳର ପ୍ରମୁଖ ସଦସ୍ୟ ବାମହାତୀ ଓଡ଼ିଆ ସ୍ପିନର୍‌ ପ୍ରଜ୍ଞାନ ଓଝା। ୨୦୦୯ ଋତୁରେ ଦଳ ବହୁଭାବେ ଭାଗ୍ୟରେ ଓଲଟପାଲଟ୍ କରିଥିଲା। ସାଧାରଣ ନିର୍ବାଚନ କାରଣରୁ ପ୍ରତିଯୋଗିତା ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର ହୋଇଥିଲା। କିନ୍ତୁ ପ୍ରଜ୍ଞାନଙ୍କ ଅବଦାନ ବଳରେ ଡେକାନ୍‌ ଟ୍ରଫି ହାତେଇ ନେଇଥିଲା। ସର୍ବାଧିକ ୱିକେଟ୍ ଦଖଲ କରି ପ୍ରଜ୍ଞାନ ମଧ୍ୟ ବାଇଗଣୀ ଟୋପି ପିନ୍ଧିବାର ଗୌରବ ପାଇଥିଲେ। ସମ୍ପ୍ରତି ସମସ୍ତ ଶ୍ରେଣୀ କ୍ରିକେଟ୍‌ରୁ ଅବସର ନେଇଥିବା ପ୍ରଜ୍ଞାନ କହିଛନ୍ତି ‘୨୦୦୮ରେ ଆମେ ଶେଷରେ ରହିଥିଲୁ, ଆମ ନିକଟରେ ପ୍ରାୟୋଜକ ବି ନଥିଲେ। ଏହି କାରଣରୁ ଆମେ ୨୦୦୯ରେ ଦକ୍ଷିଣ ଆଫ୍ରିକା ପହଞ୍ଚିଲା ବେଳକୁ ଆମ ନିକଟରେ ସୀମିତ ପୋଷାକ ଓ ଟ୍ରେନିଂ ସାମଗ୍ରୀ ଥିଲା। ଅଧିନାୟକ ଆଦାମ ଗିଲକ୍ରିଷ୍ଟ୍ କିନ୍ତୁ କହିଥିଲେ ‘ଏସବୁର କିଛି ମାନେ ନାହିଁ’। ଥରେ ଯଦି ଆମେ ପ୍ରତିଯୋଗିତା ଜିତିଯିବା ସବୁ କିଛି ବଦଳଯିବ। ଆଉ ସତ କଥା ଆମେ ଜିତିବା ପରେ ହିଁ ସବୁକିଛି ବଦଳିଯାଇଥିଲା’।

ଜୋହାନ୍ସବର୍ଗରେ ଖେଳାଯାଇଥିବା ଫାଇନାଲରେ ଡେକାନ୍ ଚାର୍ଜର୍ସ ପ୍ରଥମେ ବ୍ୟାଟିଂ କରି ୧୪୩/୬ରେ ସୀମିତ ରହିଥିଲା। ଜବାବରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧୩୭/୯ରେ ଅଟକିଯିବାରୁ ଡେକାନ୍‌ ୬ ରନ୍ ବିଜୟ ସହିତ ପ୍ରଥମ ଥର ବିଜେତା ହୋଇଥିଲା। ପ୍ରଜ୍ଞାନ ଓଝା (୩/୨୮) ଏବଂ ହରମିତ୍ ସିଂହ (୨/୨୩) ସଫଳ ବୋଲର ଥିଲେ। ଏହା ପରେ ଡେକାନ୍ ଚାର୍ଜର୍ସ ଏକ ଭିନ୍ନ ବ୍ରାଣ୍ଡ୍ ପାଲଟିଯାଇଥିଲା। ”ଆମକୁ ସମସ୍ତେ ଭିନ୍ନ ଭାବେ ଦେଖିବା ଆରମ୍ଭ କରିଥିଲେ। ବିଦେଶ ପରିବେଶରେ ଖେଳିବାରୁ କୌଣସ ଦଳ ହାତରେ ଘରୋଇ ଫାଇଦା ବି ନ ଥିଲା। ପ୍ରଥମ ଋତୁ ଖରାପ ଖେଳିଥିବାରୁ ଆମଠାରୁ ବି ସେଥର କେହି ବିଜୟ ଆଶା ରଖିନଥିଲେ। ଆମେ କିନ୍ତୁ ଦ୍ବିତୀୟ ଋତୁରେ ଭିନ୍ନ ଦଳ ଭାବେ ଉଭା ହୋଇଥିଲୁ” ବୋଲି ଭାରତ ପାଇଁ ୨୪ ଟେଷ୍ଟ୍‌, ୧୮ ଦିନିକିଆ, ୬ ଟି-୨୦ ଖେଳିଥିବା ପ୍ରଜ୍ଞାନ ପ୍ରକାଶ କରିଥିଲେ। ସେଥର ଡେକାନ୍ ଚାର୍ଜର୍ସ ଦଳରେ ପ୍ରଜ୍ଞାନଙ୍କ ସହିତ ଥିଲେ ଅଭିଜ୍ଞ ଆଦାମ ଗିଲ୍‌କ୍ରିଷ୍ଟ, ହରଶ୍ଚେଲ ଗିବ୍ସ, ଆଣ୍ଡ୍ରିଉ ସାଇମଣ୍ଡ୍‌ସ ଏବଂ ଯୁବ ତାରକା ରୋହିତ ଶର୍ମା। ଗିଲକ୍ରିଷ୍ଟଙ୍କ ନେତୃତ୍ବରେ ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ବୋଲି ପ୍ରଜ୍ଞାନ ପ୍ରକାଶ କରିଥିଲେ। ଗିଲି ଭାରି ସନ୍ତୁଳିତ ଥିଲେ। ମାଲିକଙ୍କ ଚାପକୁ ଗ୍ରହଣ କରିନେବା ଏବଂ ବାହ୍ୟ ଚାପକୁ ଏଡ଼ାଇବା ତାଙ୍କୁ ଜଣାଥିଲା। ସବୁକୁ ସେ ନିଜେ ହଜମ କରି ଦଳକୁ ଏଥିରୁ ଦୂରେଇ ରଖୁଥିଲେ। ଆମେ କିଛି ମ୍ୟାଚ୍‌ରେ ଭଲ କରିନଥିଲୁ, ସେ କେବଳ ସମସ୍ତ ୧୫ ଖେଳାଳି ନୁହନ୍ତି, ସପୋର୍ଟ ଷ୍ଟାଫ୍‌ଙ୍କୁ ଭଲ ଭାବେ ପରିଚାଳନା କରିଥିଲେ। ଏହା ହିଁ ଦଳର ବଡ଼ ଶକ୍ତି ଭାବେ ଉଭା ହୋଇଥିଲା’ ବୋଲି ପ୍ରଜ୍ଞାନ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହାରେ ସଚିନ ତେନ୍ଦୁଲକରଙ୍କ ଦ୍ବିଶତକ ତଥା ବିଦାୟୀ ଟେଷ୍ଟ୍‌ ମଧ୍ୟ ପ୍ରଜ୍ଞାନଙ୍କ ଶେଷ ଟେଷ୍ଟ୍ ହୋଇ ରହିଛି। ଏହି ମ୍ୟାଚ୍‌ରେ ୧୦ ୱିକେଟ୍ ନେଇଥିଲେ ମଧ୍ୟ ପ୍ରଜ୍ଞାନଙ୍କୁ ଆଉ ଜାତୀୟ ଦଳରେ ସୁଯୋଗ ମିଳିନଥିଲା।

ସମ୍ବନ୍ଧିତ ଖବର