ନୂଆଦିଲ୍ଲୀ: ଯୁବ ଚେସ୍‌ ପ୍ରତିଭା ଆର୍‌ ପ୍ରଜ୍ଞାନନ୍ଦ ପ୍ରଥମ ଥର ପାଇଁ ଭାରତର ୧ ନମ୍ବର ଚେସ୍‌ ଖେଳାଳି ମାନ୍ୟତା ପାଇଛନ୍ତି। ନିକଟରେ ଶେଷ ହୋଇଥିବା ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ପ୍ରତିଯୋଗିତା ପରେ ପ୍ରଜ୍ଞାନନ୍ଦ ପୂର୍ବତନ ୧ ନମ୍ବର ବିଶ୍ବନାଥନ୍‌ ଆନନ୍ଦଙ୍କୁ ପଛ‌ରେ ପକାଇ ଦେଇଛନ୍ତି। ମଙ୍ଗଳବାର ଚତୁର୍ଥ ରାଉଣ୍ଡରେ ବିଜେତା ଡିଙ୍ଗ୍‌ ଲିରେନ୍‌ଙ୍କଠୁ ପୂର୍ଣ୍ଣ ୧ ପଏଣ୍ଟ ପାଇବାରୁ ପ୍ରଜ୍ଞାନନ୍ଦଙ୍କ ରେଟିଂରେ ଉନ୍ନତି ହୋଇଥିଲା। ଲାଇଭ୍‌ କ୍ଲାସିକାଲ୍‌ ଚେସ୍‌ ମାନ୍ୟତାରେ ପ୍ରଜ୍ଞାନନ୍ଦ ୨୭୪୮.୩ ରେଟିଂ ପଏଣ୍ଟ୍‌ ପାଇ ବିଶ୍ବରେ ଦୁଇଟି ସ୍ଥାନ ଉପରକୁ ଉଠି ଏକାଦଶରେ ପହଞ୍ଚିଥିଲେ। ପ୍ରଜ୍ଞାନନ୍ଦ ପାଇଥିବା ରେଟିଂ ବିଶ୍ବନାଥନ୍‌ଙ୍କଠୁ ୦.୩ ଅଧିକ। ପ୍ରଜ୍ଞାନନ୍ଦଙ୍କ ଏହି ସଫଳତା ପରେ କ୍ରିକେଟ୍‌ କିଂବଦନ୍ତି ସଚିନ ତେନ୍ଦୁଲକର ତାଙ୍କୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଜ୍ଞାନନ୍ଦ ୨୦୧୮ରେ ଭାରତର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲା ବେଳେ ବିଶ୍ବରେ ଦ୍ବିତୀୟ ହୋଇଥିଲେ।