ଷ୍ଟୋକ୍ସଙ୍କୁ ମଧ୍ୟକ୍ରମରେ ଖେଳାଇବାକୁ ପ୍ରଜ୍ଞାନଙ୍କ ପରାମର୍ଶ

ହାଇଦ୍ରାବାଦ : ପାରିବାରିକ କାରଣ ପାଇଁ ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଚଳିତ ଆଇପିଏଲ୍‌ର ପ୍ରଥମାର୍ଧ ଖେଳି ପାରିନଥିଲେ। ଦଳରେ ସାମିଲ ହେବା ପରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ତାଙ୍କୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଖେଳାଉଛି। ରାଜସ୍ଥାନର ଏହି ରଣନୀତି ସହ କିନ୍ତୁ ପୂର୍ବତନ ଅନ୍ତର୍ଜାତୀୟ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଏକମତ ହୋଇ ନାହାନ୍ତି। ଷ୍ଟୋକ୍ସ ମଧ୍ୟକ୍ରମରେ ଖେଳି ଅଜସ୍ର ସଫଳତା ସାଉଣ୍ଟିଥିବାରୁ ତାଙ୍କୁ ସେହି ସ୍ଥାନରେ ଖେଳାଇ ୱିକେଟ୍ ରକ୍ଷକ ଜୋସ୍ ବଟଲରଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ଦେବାକୁ ଆର୍‌ଆର୍‌କୁ ପ୍ରଜ୍ଞାନ ଆହ୍ବାନ କରିଛନ୍ତି। ବଟଲର ୨୦୧୮ ଆଇପିଏଲ୍‌ରେ ୫୦ ହାରରେ ୫୦୦ରୁ ଅଧିକ ରନ୍ ସଂଗ୍ରହ କରି ନିଜ ଦକ୍ଷତାର ପ୍ରମାଣ ଦେଇସାରିଥିବା ଏହାର କାରଣ ବୋଲି ପ୍ରଜ୍ଞାନ ଦର୍ଶାଇଛନ୍ତି। ଷ୍ଟୋକ୍ସ ଇଂଲଣ୍ଡ ପାଇଁ ୫ କିମ୍ବା ୬ ନମ୍ବର ସ୍ଥାନରେ ଖେଳି ଆଶାତୀତ ସଫଳତା ପାଇଥିବାରୁ ରାଜସ୍ଥାନ ମଧ୍ୟ ତାଙ୍କୁ ଏହି ଦୁଇ ସ୍ଥାନରେ ଖେଳାଇବାର ବିଚାର କରିବା ଉଚିତ ବୋଲି ଏକ ଅନଲାଇନ୍ ଆଲୋଚନାଚକ୍ରରେ ଯୋଗ‌ଦେଇ ସେ କହିଛନ୍ତି।

‘‘ଆମେ ସମସ୍ତେ ଏହି ପ୍ରଶ୍ନ ପଚାରୁଛୁ (ଷ୍ଟୋକ୍ସ କାହିଁକି ମଧ୍ୟକ୍ରମରେ ଖେଳୁ ନାହାନ୍ତି?)। ପ୍ରତ୍ୟେକ ଖେଳାଳି ଏକ ନିର୍ଦ୍ଦିଷ୍ଟ ଶୈଳୀର କ୍ରିକେଟ୍ ଖେଳନ୍ତି ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଖେଳିବାକୁ ସହଜ ଅନୁଭବ କରନ୍ତି। ଏଣୁ ଆପଣଙ୍କୁ ପ୍ରଥମେ ତାଙ୍କୁ ସେହି ସ୍ଥାନ ଦେବାକୁ ପଡ଼ିବ। ଯଦି ଏହା ଫଳପ୍ରଦ ନହୁଏ, ତାହାଲେ ଆପଣ ବିକଳ୍ପ କଥା ଚିନ୍ତା କରି ପାରନ୍ତି। ଆପଣ ଯଦି ସଫଳ ଅଧିନାୟକଙ୍କ କାର୍ଯ୍ୟଶୈଳୀକୁ ତର୍ଜମା କରିବେ, ତାହାଲେ ଜାଣି ପାରିବେ ଯେ ସେମାନେ ସବୁବେଳେ ବୋଲରଙ୍କୁ ସ୍ବାଧୀନତା ପ୍ରଦାନ କରନ୍ତି। ଯଦି ଏଥିରେ ସେ (ସଂପୃକ୍ତ ବୋଲର) ବିଫଳ ହୁଅନ୍ତି, ତାହାଲେ ଅଧିନାୟକ ନିଜ ଯୋଜନାକୁ କାମରେ ଲଗାନ୍ତି। ଏଣୁ ଆପଣ ଯଦି ଜାଣିଛନ୍ତି ୫ ଓ ୬ ନମ୍ବର ସ୍ଥାନରେ ଷ୍ଟୋକ୍ସ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତି, ତାହଲେ ତାଙ୍କୁ ସେହି ସ୍ଥାନ କାହିଁକି ଦେଉନାହାନ୍ତି? ଆପଣଙ୍କ ପାଖରେ ଜଣେ ଚମତ୍କାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ (ବଟଲରଙ୍କ ରୂପରେ) ଅଛନ୍ତି, ଏମିତି ବି ନୁହେଁ ଯେ ସେ ରନ୍ କରୁନାହାନ୍ତି। ତାହାଲେ ତାଙ୍କୁ ତାଙ୍କ ସ୍ଥାନରୁ କାଢ଼ି ନେବାର ମାନେ କଣ ମୁଁ ବୁଝିପାରୁନି’’। ସୂଚନାଯୋଗ୍ୟ ଯେ ଗୁରୁବାରର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଷ୍ଟୋକ୍ସ ପାଳି ଆରମ୍ଭ କରି ୩୨ ବଲ୍‌ରୁ ମାତ୍ର ୩୦ ରନ୍ କରି ରସିଦ ଖାନଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ।

ହୋଲ୍ଡର ଉପରେ ଭଲ କରିବେ
ପ୍ରଜ୍ଞାନ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ଜାସନ ହୋଲ୍ଡରଙ୍କ ବ୍ୟାଟିଂ ସ୍ଥାନ ନେଇ ନିଜସ୍ବ ମତ ରଖିଛନ୍ତି। କେନ୍ ୱିଲିୟମସନ୍ ଆହତ ହେବା ପରେ ହୋଲ୍ଡର ଏବେ ସନ୍‌ରାଇଜର୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଉଛନ୍ତି। ତେବେ ତାଙ୍କୁ ଉପରେ ଖେଳାଇଲେ ହିଁ ଦଳ ଲାଭବାନ ହୋଇ ପାରିବ ବୋଲି ପ୍ରଜ୍ଞାନ ମତ ରଖିଛନ୍ତି। ଅବଶ୍ୟ ୱେଷ୍ଟଇଣ୍ଡିଜ୍ ଜାତୀୟ ଦଳର ଅଧିନାୟକ ହୋଲ୍ଡର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିମ୍ନକ୍ରମରେ ବ୍ୟାଟିଂ କରନ୍ତି।

ସମ୍ବନ୍ଧିତ ଖବର