ଆଜକୁ ଠିକ୍ ୧୦ ବର୍ଷ ତଳେ ସଚିନ ତେନ୍ଦୁଲକର ନିଜ ସହର ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳିଥିଲେ ଜୀବନର ଶେଷ ତଥା ୨୦୦ତମ ଟେଷ୍ଟ୍ ମ୍ୟାଚ୍। ୨୨ ଗଜରେ ୨୩ ବର୍ଷର ରାଜ ପରେ ସଚିନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ଟେଷ୍ଟରେ ଭାରତ ଖେଳିଥିବା ଏକମାତ୍ର ପାଳିରେ ୭୪ ରନ୍ କରିଥିଲେ। ସମଗ୍ର ୱାଙ୍ଖ୍ଡେ ଷ୍ଟାଡିୟମ୍ ସଚିନଙ୍କୁ ସଲାମ ଓ ଅଭିବାଦନ ଜରିଆରେ ବିଦାୟୀ ଜଣାଇଥିଲେ। ମ୍ୟାଚ୍ ପରବର୍ତୀ ଭାଷ୍ୟରେ ଲୋତକଭରା କଣ୍ଠରେ ସଚିନ ଗୋଟି ଗୋଟି କରି ଖେଳ ଜୀବନର ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଭୁଲିନଥିଲା। ସଚିନ କିନ୍ତୁ ଶେଷ ଥର ପାଇଁ ଆଉଟ୍ ହେବା ବେଳେ ସମୟ ଅଟକି ଗଳା ଭଳି ୱାଙ୍ଖ୍ଡେରେ ନିରବତା ଛାଇଯାଇଥିଲା। ସମ୍ଭବତଃ ଶତକମ୍ୟାନ୍ଙ୍କଠାରୁ ଆଉ ଏକ ଶତକ ଆଶା ରଖିଥିଲେ ତାଙ୍କ ପ୍ରିୟ ପ୍ରଶଂସକମାନେ। ଏହି ଟେଷ୍ଟ ଅବସରରେ କିନ୍ତୁ ସଚିନ ପ୍ରଶଂସକଙ୍କୁ ସରକାର ଦେଇଥିଲେ ସ୍ମରଣୀୟ ଭେଟି। କେନ୍ଦ୍ର ସରକାର ଘୋଷଣା କରିଥିଲେ ତାଙ୍କୁ ମିଳିବ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇବାରେ ସଚିନ ହୋଇଥିଲେ ଦେଶର ପ୍ରଥମ କ୍ରୀଡ଼ାବିତ୍। ତେନ୍ଦୁଲକରଙ୍କ ଏହି ବିଦାୟୀ ଟେଷ୍ଟ୍ ସହିତ ଓଡ଼ିଶାର ସମ୍ପର୍କ ମଧ୍ୟ ଯୋଡ଼ି ହୋଇ ରହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ସେହି ଭାରତୀୟ ଦଳରେ ସାମିଲ ଥିଲେ ଅଭିଜ୍ଞ ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା। ଉଭୟ ପାଳିରୁ ୧୦ ୱିକେଟ୍ ସଫଳତା (୫/୪୦ ଓ ୫/୪୯) ଅର୍ଜନ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ ପ୍ରଜ୍ଞାନ। ପ୍ରଥମ ପାଳି ୫ ୱିକେଟ୍ ସଫଳତା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ପ୍ରଜ୍ଞାନ ତୁରନ୍ତ ଏହାକୁ ‘ସଚିନ ପାଜୀଙ୍କୁ ଉତ୍ସର୍ଗ କରୁଛି’ ବୋଲି କହିଥିଲେ। ୫ ଦିନିଆ ଏହି ଟେଷ୍ଟ୍ ୩ ଦିନରେ ଶେଷ ହୋଇଯାଇଥିଲା। ଭାରତ ଏହି ଟେଷ୍ଟକୁ ଏକ ପାଳି ଓ ୧୨୬ ରନ୍ରେ ଜିତିଥିଲା। ଭାରତ ମଧ୍ୟ ୨ ମ୍ୟାଚ୍ ଶୃଙ୍ଖଳାକୁ ୨-୦ରେ ଜିତି ଯାଇଥିଲା। ଜଣେ କିଂବଦନ୍ତିଙ୍କ ବିଦାୟୀ ଶୃଙ୍ଖଳାରୁ କିନ୍ତୁ ଆଉ ଜଣେ କିଂବଦନ୍ତିଙ୍କ ଅଭ୍ୟୁଦୟ ଘଟିଥିଲା। ଏହି ଶୃଙ୍ଖଳାର ଉଭୟ ଟେଷ୍ଟ୍ରେ ଶତକ ହାସଲ କରି ରୋହିତ ଶର୍ମା ଟେଷ୍ଟ୍ ଦୁନିଆକୁ ଆସିଥିଲେ।
ସଚିନଙ୍କୁ ପ୍ରଜ୍ଞାନଙ୍କ ସ୍ମରଣୀୟ ଉତ୍ସର୍ଗ
/sambad/media/post_attachments/wp-content/uploads/2023/04/54654fshfhfh.jpg)