ବେକେନହାମ୍‌: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ନୂଆ ଅଧିନାୟକ ଶୁବମନ୍ ଗିଲ୍ ଇଂଲଣ୍ଡ ଗସ୍ତ ଲାଗି ଖାସ୍ ଡାକରା ପାଇଥିବା କରୁଣ ନାୟର, ଅର୍ଶଦୀପ ସିଂହ ଓ ସାଇ ସୁଦର୍ଶନଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଏହି ଅବସର‌ରେ ପାଖାପାଖି ୮ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରିଥିବା‌ କରୁଣଙ୍କ ଲଢ଼ୁ୍ଆ ପ୍ରବୃତ୍ତି ଓ କେବେବି ହାର୍ ନମାନିବାର ଭାବନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେହିଭଳି ଅର୍ଶଦୀପ ଓ ସୁଦର୍ଶନ ଏହି ଗସ୍ତରେ ନିଜନିଜ ଛାପ ଛାଡ଼ିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି। 

Advertisment

ନାୟର ଶେଷ ଥର ପାଇଁ ୨୦୧୭ ମସିହାରେ ଟେଷ୍ଟ୍ ଖେଳିଥିଲେ। ତା’ ପରଠାରୁ କିନ୍ତୁ ଆଉ ଜାତୀୟ ଦଳରେ ସ୍ଥାନ ପାଇ ନଥିଲେ। ଗତ ରଣଜୀ ଋତୁରେ କିନ୍ତୁ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଚୟନକର୍ତ୍ତା ତାଙ୍କୁ ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦଳରେ ସାମିଲ କରିବାକୁ ବାଧ୍ୟ ହୋଇଥିଲେ। ୨୦୨୪-୨୫ ରଣଜୀ ଋତୁରେ କରୁଣ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୩.୯୩ ହାରରେ ୮୬୩ ରନ୍ କରିଥିଲେ। ନିଜର ଏହି ଫର୍ମକୁ ଆହୁରି ଆଗକୁ ନେଇ ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅନଔପଚାରିକ ଟେଷ୍ଟ୍‌ରେ ଦ୍ବିଶତକୀୟ ପାଳି ଖେଳିଥିଲେ। ଖାଲି ସେତିକି ନୁହେଁ ବିଜୟ ହଜାରେ ଟ୍ରଫିରେ ୯ ମ୍ୟାଚ୍‌ରୁ ୩୮୯.୫୦ ହାରରେ ୭୭୯ ଏବଂ ସୟଦ ସୁସ୍ତାକ ଅଲ୍ଲୀ ଟ୍ରଫିରେ ୬ ପାଳିରୁ ୧୭୭.୦୮ ହାରରେ ୨୫୫ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ଶୃଙ୍ଖଳାରେ ସେ କିଂବଦନ୍ତି କ୍ରିକେଟର୍ କିରାଟ କୋହଲିଙ୍କ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିଭଳି ଏବର୍ଷ ଆଇପିଏଲ୍‌ରେ ସର୍ବାଧିକ ରନ କରି ନାରଙ୍ଗୀ ଟୋପି ଜିତିଥିବା ଗୁଜରାଟ ଟାଇଟନ୍ସର ସୁଦର୍ଶନଙ୍କୁ ଦଳକୁ ସ୍ବାଗତ କରି ଲାଲ୍ ବଲ୍‌ରେ ମିଳିଥିବା ସୁଯୋଗର ଭରପୂର ଲାଭ ଉଠାଇବାକୁ ଗମ୍ଭୀର ପରାମର୍ଶ ଦେଇଛନ୍ତି। ଧଳାବଲ୍‌ରେ ଅର୍ଶଦୀପଙ୍କ ସଫଳତାକୁ ସଲାମ କରି ଗମ୍ଭୀର କହିଛନ୍ତି, ଅର୍ଶଦୀପ ଧଳା ବଲ୍‌ରେ ତୁମେ ବହୁତ ଭଲ ପ୍ରଦର୍ଶନ କରିଆସୁଛ। ମୁଁ ସ୍ଥିର ନିଶ୍ଚିତ ଯେ ଲାଲ୍ ବଲ୍‌ରେ ମଧ୍ୟ ତୁମେ ସେହି ସଫଳତା ଅର୍ଜନ କରିବ। ଉପଅଧିନାୟକ ଋଷଭ ପନ୍ତ ଏବଂ ଷ୍ଟ୍ରେନ୍ଥ୍ ଓ କଣ୍ଡିସନିଂ ପ୍ରଶିକ୍ଷକ ଆଡ୍ରିଆନ୍ ଲେ ରକ୍ସଙ୍କୁ ଭାରତୀୟ ଦଳର ନେତୃତ୍ବ ଗୋଷ୍ଠୀକୁ ଗମ୍ଭୀର ସ୍ବାଗତ କରିଥିଲେ। 

ରାହୁଲଙ୍କ ସ୍ବତନ୍ତ୍ର ବାର୍ତ୍ତା
କର୍ଣ୍ଣାଟକ ରଣଜୀ ଦଳର ପୂର୍ବତନ ସାଥୀ ଖେଳାଳି କରୁଣ ନାୟରଙ୍କୁ ଭାରତୀୟ ୱିକେଟ୍ ରକ୍ଷକ ବ୍ୟାଟର୍ କେଏଲ ରାହୁଲ ୨୦ ତାରିଖରେ ଲିଡ୍‌ସଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ପୂର୍ବରୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ୮ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ଦ୍ବାର ଦେଶରେ ଥିବା‌ କରୁଣଙ୍କୁ ଶୁଭକାମନା ଜଣାଇ ରାହୁଲ କହିଛନ୍ତି, ମୁଁ ତୁମକୁ ପିଲାବେଳୁ ଜାଣିଛି। ଭାରତୀୟ ଦଳକୁ ଫେରିବା ଲାଗି ତୁମେ କରିଥିବା କଠିନ ପରିଶ୍ରମ କଥା ଜାଣିଛି। କାଉଣ୍ଟି କ୍ରିକେଟ୍ ଖେଳିଲା ବେଳେ ତୁମେ ଅଗଣିତ ଦିନ ଏକୁଟୁଆ କଟାଇଛ। ଏବେ ଭଗବାନ ତୁମକୁ ଆଉ ଏକ ସୁଯୋଗ ଦେଇଛନ୍ତି। ତୁମେ ଏହାର ଯଥାର୍ଥ ସମ୍ମାନ ରଖିବ ବୋଲି ମୁଁ ଦୃଢ଼ ନିଶ୍ଚିତ। ତୁମ ପ୍ରତ୍ୟାବର୍ତ୍ତନ ଯାତ୍ରା ଅନ୍ୟମାନଙ୍କ ପାଇଁ ସବୁବେଳେ ପ୍ରେରଣାଦାୟୀ ହୋଇ ରହିବ। 

ଜାଡ଼େଜାଙ୍କ ସ୍ଥାନ ନେବାକୁ କୁଲଦୀପ ବ୍ୟଗ୍ର
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଅଛନ୍ତି ଦୁଇ ବାମହାତୀ ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା। ଉଭୟ ଗୋଟିଏ ସ୍ଥାନ ପାଇଁ ଲଢ଼ୁ୍‌ଥିବାରୁ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଚାରି ଦିନିଆ ଅନ୍ତଃଦଳୀୟ ଅଭ୍ୟାସ ମ୍ୟାଚ୍‌ରେ ଭଲ କରି ପ୍ରଥମ ଟେଷ୍ଟ୍‌ର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଲକ୍ଷ୍ୟ‌ରେ ରହିଛନ୍ତି। ଭାରତୀୟ ଦଳ ଏହାକୁ ବନ୍ଦ ଦ୍ବାର ଭିତରେ ଖେଳିବାକୁ ଯୋଜନା ରଖିଛି।  ନିଜ ରଣନୀତିକୁ ପ୍ରତିପକ୍ଷଠାରୁ ଗୋପନୀୟ ରଖିବା ଲାଗି ପ୍ରଶିକ୍ଷକ ଗୌତମ ଗମ୍ଭୀର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ ମଧ୍ୟ ଏହି ରଣନୀତିକୁ ପସନ୍ଦ କରିଛନ୍ତି। ଏହି ଅଭ୍ୟାସ ମ୍ୟାଚ୍‌ରେ ଜଣେ ବ୍ୟାଟର୍ ଯଦି ଶସ୍ତାରେ ଆଉଟ୍ ‌ହୋଇଯା’ନ୍ତି, ତାହେଲେ ତାଙ୍କୁ ଦ୍ବିତୀୟ ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି। ୪ଦିନରେ ମୋଟ ୩୬୦ ଓଭର ବୋଲିଂ ହେବାର ଥିବାରୁ ଉଭୟ କୁଲଦୀପ ଓ ଜାଡ଼େଜାଙ୍କୁ ନିଜନିଜ ଫର୍ମର ଝଲକ ଦେଖାଇବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିବ। ଜାଡ଼େଜା ବ୍ୟାଟିଂରେ କୁଲଦୀପଙ୍କଠାରୁ ଯଥେଷ୍ଟ ଆଗୁଆ ଥିବାରୁ ଏହା ହୁଏତ ତାଙ୍କ ସପକ୍ଷରେ ଯାଇପାରେ। ତେବେ ଇଂଲଣ୍ଡ ମାଟିରେ କୁଲଦୀପଙ୍କ ବିବିଧତା ଦଳକୁ ଅଧିକ ଫାଇଦାରେ ରଖିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଇଂଲଣ୍ଡର ଗୁପ୍ତ ଅସ୍ତ୍ର ରହସ୍ୟ ଖୋଲିଲା
ଭାରତ ବିପକ୍ଷ ଶୃଙ୍ଖଳାରେ ୨୧ବର୍ଷୀୟ ଯୁବ ତାରକା ଜ୍ୟାକବ ବେଥେଲଙ୍କୁ ଇଂଲଣ୍ଡ ନିଜ ଗୁପ୍ତ ଅସ୍ତ୍ର ଭାବେ ବ୍ୟବହାର କରିବ। ଧଳା ବଲ୍ କ୍ରିକେଟ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବେଥେଲ ଲାଲ୍ ବଲ୍‌ରେ ଭାରତୀୟ ବୋଲରଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖନ୍ତି। ତେବେ ଇଂଲଣ୍ଡର ଏହି ଯୋଜନା ପଦାରେ ପଡ଼ିଯାଇଛି। ବେଥେଲଙ୍କ ବିଷୟରେ ସୂଚନା ଦେବାକୁ ଯାଇ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ କହିଛନ୍ତି ‌ଯେ ୨୧ବର୍ଷୀୟ ବେଥେଲ ଆଗାମୀ ସମୟରେ ଜଣେ ଭଲ ଅଧିନାୟକ ହୋଇପାରିବେ। ଆଗାମୀ ଶୃଙ୍ଖଳା‌ରେ ସେ ଆମ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହେବେ। ସେହିଭଳି ଜାମି ସ୍ମିଥ୍ ଓ ବେନ୍ ଡକେଟଙ୍କ ଯୋଡ଼ି ମଧ୍ୟ ଭାରତୀୟ ବ୍ୟାଟର୍‌ଙ୍କୁ ପରୀକ୍ଷାରେ ପକାଇବେ। ତିନିଜଣଯାକ ନିର୍ଭୀକ କ୍ରିକେଟ୍ ଖେଳିବାରେ ବିଶ୍ବାସ ରଖନ୍ତି। ଆମ ଯୋଜନାର ସେମାନେ ଅଭିନ୍ନ ଅଙ୍ଗ।