ବୁଦାପେଷ୍ଟ: ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳ ଏସୀୟ କୀର୍ତ୍ତିମାନ ଭାଙ୍ଗିବା ସହ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ଶନିବାର ହୋଇଥିବା ହିଟ୍ସରେ ଭାରତୀୟ ଦଳ ୨:୫୯.୦୫ ମିନିଟ୍‌ ସମୟ ନେଇ ଦ୍ବିତୀୟ ସ୍ଥାନରେ ରହିବା ସହ ଫାଇନାଲ୍‌ ଯୋଗ୍ୟତା ପାଇଥିଲା। ମହମ୍ମଦ ଆନସ ୟାହିଆ, ଅମୋଜ ଜାକବ, ମହମ୍ମଦ ଅଜମଲ୍‌ ଓ ରାଜେଶ ରମେଶଙ୍କୁ ନେଇ ଗଠିତ ଭାରତୀୟ ଦଳ ଫାଇନାଲ୍‌ ଯୋଗ୍ୟତା ପାଇଥିବା ଦେଶମାନଙ୍କ ମଧ୍ୟରେ ଆମେରିକା (୨:୫୮.୪୭ ମିନିଟ୍‌) ପଛକୁ ଦ୍ବିତୀୟରେ ରହିଛନ୍ତି। ଏଥିପୂର୍ବରୁ ଏସିଆରେ ପୁରୁଷ ରିଲେ କୀର୍ତ୍ତିମାନ ଜାପାନ (୨:୫୯.୫୧ ମିନିଟ୍‌) ନାମରେ ରହିଥିଲା। ବିଶ୍ବ ଦୌଡ଼କୁଦର ଫାଇନାଲ୍‌ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହେବ।

Advertisment

ମନ କୀ ବାତ୍‌ରେ ମୋଦୀଙ୍କ ପ୍ରଶଂସା
ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ପୁରୁଷ ୪ ଗୁଣା ୪୦୦ ମିଟର ରିଲେ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ରବିବାର ଆକାଶବାଣୀରେ ପ୍ରସାରିତ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମରେ ମୋଦୀ ଏହି ଦଳଗତ ପ୍ରଦର୍ଶନରେ ସାମିଲ ଥିବା ଆନସ, ଅମୋଜ, ରାଜେଶ ରମେଶ ଓ ମହମ୍ମଦ ଆଜମଲ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ସବୁବେଳେ କ୍ରୀଡ଼ା ଇତିହାସରେ ମନେ ରଖାଯିବ ବୋଲି କହିଥିଲେ। ରିଲେ ଦଳ ଯୋଗ୍ୟତା ପର୍ଯ୍ୟାୟରେ ୨:୫୯.୦୫ ମିନିଟ୍‌ ସମୟ ନେଇ ଏସୀୟ କୀର୍ତ୍ତିମାନ ରଚିବା ସହ ଫାଇନାଲ୍‌ରେ ପ୍ରବେଶ କରିଥିଲେ।