ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଜଗତର କିଂବଦନ୍ତି ପୁରୁଷ ପ୍ରକାଶ ପାଦୁକୋନଙ୍କୁ ୬୫ ବର୍ଷ ପୂରିଲା

ନୂଆଦିଲ୍ଲୀ : ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଜଗତର କିଂବଦନ୍ତି ପୁରୁଷ ପ୍ରକାଶ ପାଦୁକୋନଙ୍କୁ ବୁଧବାର ୬୫ ବର୍ଷ ପୂରି ୬୬ ଚାଲିଲା। ଏଥିଲାଗି ତାଙ୍କୁ ସମଗ୍ର ବିଶ୍ବ ଓ ଭାରତ ବର୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌କୁ ବିଶ୍ବସ୍ତରରେ ପହଞ୍ଚାଇବାରେ ପାଦୁକୋନ ପ୍ରମୁଖ ଭୂମିକା ତୁଲାଇଥିଲା ବେଳେ ବିଶ୍ବ ବ୍ୟାଡମିଣ୍ଟନ୍ ସର୍କିଟରେ ସେ ନିଜ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ତାଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ଚୀନ ଓ ଇଣ୍ଡୋନେସିଆ ଭଳି ବ୍ୟାଡ୍‌ମିଣ୍ଟନ୍‌ର ପାରମ୍ପରିକ ବିଶ୍ବ ଶକ୍ତିର ଖେଳାଳିଙ୍କୁ ମଧ୍ୟ ଈର୍ଷାନ୍ବିତ କରିଥିଲା। ଏହାଛଡ଼ା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ମଧ୍ୟ ପାଦୁକୋନ ପଦକ ଜିତି ଦେଶ ଓ ଜାତି ପାଇଁ ଗର୍ବ ଓ ଗୌରବ ଆଣିଥିଲେ।

କ୍ରିକେଟ୍ ପାଗଳ ଭାରତ ବର୍ଷରେ ପାଦୁକୋନ ନିଜ କଠିନ ପରିଶ୍ରମ ଓ ସଫଳତା ବଳରେ ଜଣେ ବଡ଼ କ୍ରୀଡ଼ା ତାରକାର ମାନ୍ୟତା ପାଇଥିଲେ। ତାଙ୍କୁ ଆଦର୍ଶ କରି ଆଧୁନିକ ବ୍ୟାଡମିଣ୍ଟନ୍‌ରେ ସାନିଆ ନେହୱାଲ, ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ, ପରୁପଲ୍ଲୀ କାଶ୍ୟପ, ଅଶ୍ବିନୀ ପୋନାପ୍ପା, ଜ୍ବାଳା ଗୁଟ୍ଟାଙ୍କ ଭଳି ଖେଳାଳି ଭାରତକୁ ବ୍ୟାଡମିଣ୍ଟନର ଅନ୍ୟତମ ମହାଶକ୍ତି ଭାବେ ଉପସ୍ଥାପିତ କରିପାରିଛନ୍ତି। ସେ ମଧ୍ୟ ନିଜ ପରବର୍ତ୍ତୀ ପିଢ଼ିର ଖେଳାଳି ସୟଦ ମୋଦି, ପୁଲେଲା ଗୋପୀଚାନ୍ଦ, ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଅପନ୍ନା ପୋପଟଙ୍କ ଭଳି ଖେଳାଳିଙ୍କୁ ଅନୁପ୍ରେରିତ କରିଥିଲେ। ୭୦ ଦଶକରେ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ରେ ଇଣ୍ଡୋନେସିଆ, ଡେନମାର୍କ, ଚୀନ, ମାଲେସିଆ ଭଳି ଦେଶର ଆଧିପତ୍ୟକୁ ଶେଷ କରିବାରେ ମଧ୍ୟ ପାଦୁକୋନ ନିର୍ଣ୍ଣାୟକ ଭୂମିକା ତୁଲାଇଥି‌ଲେ। ୬ ଫୁଟ ୧ ଇଞ୍ଚ ଉଚ୍ଚତା ବିଶିଷ୍ଟ ପାଦୁକୋନ କର୍ଣ୍ଣାଟକର ଉଡୁପିରେ ୧୦ ଜୁନ୍ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ। ନିଜ ପିତା ରମେଶ ପାଦୁ‌କୋନଙ୍କ ପ୍ରେରଣାରେ ସେ ବ୍ୟାଡ୍‌ମିଣ୍ଟନ୍‌କୁ ପେସା କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୯୧ରେ ଅବସର ନେବା ପରେ ପାଦୁକୋନ କିଛି ସମୟ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ସଂଘର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ୧୯୯୩ରୁ ୯୬ ପର୍ଯ୍ୟନ୍ତ ସେ ଭାରତୀୟ ବ୍ୟାଡମିଣ୍ଟନ ଦଳର ପ୍ରଶିକ୍ଷକ ଥିଲେ। ସେ ମଧ୍ୟ ଅଲିମ୍ପିକ୍ସ ଗୋଲ୍ଡ କ୍ବେଷ୍ଟ ପ୍ରତିଷ୍ଠାନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ। ଏହି ସଂଗଠନ ଭାରତୀୟ ଖେଳାଳିଙ୍କ ଅଲିମ୍ପିକ୍ସ ପଦକ ଜିତିବା ସ୍ବପ୍ନ ପୂରଣରେ ସହାୟକ ହେଉଛି।

ମୋ ସର୍ବଶ୍ରେଷ୍ଠ ପରଦା ବାହାର ହିରୋ: ଦୀପିକା
ଜନ୍ମଦିବସରରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନିଜ ମହାନ ପିତା ପ୍ରକାଶ ପାଦୁ‌କୋନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ନିଜ ପିଲାବେଳର ଏକ ସୁନ୍ଦର ଫଟୋକୁ ପ୍ରକାଶ କରିଛନ୍ତି। ଯେଉଁଥିରେ ପ୍ରକାଶ କୁନି ଦୀପିକାଙ୍କୁ କୋଳରେ ଧରିଛନ୍ତି ଏବଂ ଉଭୟ ହସୁଛନ୍ତି। ଦୀପିକା ଏହି ଫଟୋଟିକୁ ପ୍ରକାଶ କରି ନିଜ ପିତାଙ୍କୁ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପରଦା ବାହାର ନାୟକ ଭାବେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ମୋ ଜୀବନର ସର୍ବଶ୍ରେଷ୍ଠ ପରଦା ବାହାର ନାୟକ, କେବଳ ବୃତ୍ତିଗତ ସଫଳତା ହିଁ ଅସଲ ବିଜେତାଙ୍କ ଏକମାତ୍ର ପରିଚୟ ନୁହେଁ, ଜଣେ ଭଲ ମଣିଷ ହେବା ମଧ୍ୟ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ଆମକୁ ଶିଖାଇଥିବାରୁ ଧନ୍ୟବାଦ। ଜନ୍ମ ଦିନର ଅଶେଷ ଅଶେଷ ଶୁଭେଚ୍ଛା, ପାପା। ଦୀପିକାଙ୍କ ଏହି ଶୁଭେଚ୍ଛା ବାର୍ତ୍ତାକୁ ତାଙ୍କ ଗଲ୍ଫର ଭଉଣୀ ଅନୀଷା ଲାଇକ୍ କରି ଏକ ହୃଦୟ ଚିହ୍ନ ଥିବା ଇମୋଜୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବା ପୂର୍ବରୁ ଦୀପିକା ମଧ୍ୟ ଜଣେ ବ୍ୟାଡମିଣ୍ଟନ ଖେଳାଳି ଥିଲେ। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତି ଦେଇଥିବା ଅବଦାନ ଲାଗି ମଧ୍ୟ ଦୀପିକା ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ପିତାଙ୍କୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଦୀପିକା ପୂର୍ବରୁ ପ୍ରକାଶଙ୍କୁ ଦେଇଥିବା ପାଞ୍ଚଟି ନିଆରା ସଲାମ ଉପରେ ଆସନ୍ତୁ ନଜର ପକାଇବା।
୧- ୬୫ତମ ଜନ୍ମଦିବସରେ ପ୍ରକାଶଙ୍କୁ ଦୀପିକା ନିଜ ସର୍ବଶ୍ରେଷ୍ଠ ପରଦା ବାହାର ହିରୋ ଭାବେ ବର୍ଣ୍ଣନା କଲେ।
୨- ଚଳିତବର୍ଷ ମାର୍ଚ ମାସରେ ଦୀପିକା ପ୍ରକାଶଙ୍କୁ ଭାବବିହ୍ବଳ ପତ୍ରଲେଖି ବ୍ୟାଡମିଣ୍ଟନ ଓ ଭାରତୀୟ କ୍ରୀଡ଼ା ପ୍ରତି ତାଙ୍କ ଅବଦାନ ଲାଗି ଧନ୍ୟବାଦ ଦେଇଥିଲେ।
୩-୨୦୧୭ ଫିଲ୍ମ ଫେୟାର ପୁରସ୍କାରରେ ପ୍ରକାଶ ପଠାଇଥିବା ଆବେଗଭରା ପତ୍ରକୁ ଦୀପିକା ପଢ଼ିଥିଲେ।
୪- ଦୀପିକା ଏକଦା ତାଙ୍କ ପିତାଙ୍କ ଆତ୍ମଜୀବନୀ ଚଳଚ୍ଚିତ୍ରରେ ଅଭିନୟ କରିବାର ଇଚ୍ଛା ଜାହିର କରିଥିଲେ।
୫- ପ୍ରକାଶ ତାଙ୍କୁ ଅନେକ ଥର ଜଣେ ଭଲ ମଣିଷ ହେବା ଲାଗି ପରାମର୍ଶ ଦେଇଥିବା ଦୀପିକା ‌ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର