ଗୋଟିଏ ଗ୍ରୁପରେ ପ୍ରମୋଦ ଓ ମନୋଜ

ଭୁବ‌ନେଶ୍ବର: ବିଶ୍ବର ଏକ ନମ୍ବର ପାରାବ୍ୟାଡମିଣ୍ଟନ୍ ତାରକା ତଥା ଟୋକିଓ ପାରାଲିମ୍ପିକ୍ସର ଅନ୍ୟତମ ପଦକ ଦାବିଦାର ପ୍ରମୋଦ ଭଗତ ଏବଂ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ଏକକ ବର୍ଗର ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଏହି ଗ୍ରୁପ୍‌ରେ ୟୁକ୍ରେନର ଆଲେକଜାଣ୍ଡାର ଚିରକୋଭ ମଧ୍ୟ ରହିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ପ୍ରେସ୍ ସେଣ୍ଟରରେ ଗୁରୁବାର କରାଯାଇଥିବା ଡ୍ର’ରେ ଉଭୟ ପ୍ରମୋଦ ଓ ମନୋଜଙ୍କୁ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ମିଳିଛି। ସେହିଭଳି ମିଶ୍ରିତ ଯୁଗଳରେ ପ୍ରମୋଦ ଏବଂ ପଲକ କୋହଲି ଗ୍ରୁପ୍-ବି’ରେ ଅଛନ୍ତି। ଏହି ଗ୍ରୁପ୍‌ରେ ଫ୍ରାନ୍ସର ଲୁକାସ ମଜୁର-ଫଷ୍ଟିନ ନୋଏଲ୍ ଏବଂ ଥାଇଲାଣ୍ଡର ସିରିପଙ୍ଗ ତିମାରୋମ ଓ ନିପଦା ସେନସୁରା ରହିଛନ୍ତି।

ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସାମିଲ ହୋଇଥିଲା ବେଳେ ରାଜ୍ୟକୁ ସେ ପ୍ରଥମ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଆଣିବେ ବୋଲି ଆଶା ରଖିଛନ୍ତି। ତାଙ୍କ ନଜର କିନ୍ତୁ ଯୁଗଳ ସ୍ବର୍ଣ୍ଣ (ଉଭୟ ଏକକ ଏବଂ ମିଶ୍ରିତ) ଉପରେ ରହିବ ବୋଲି ପ୍ରମୋଦ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ପ୍ରମୋଦ ଏବଂ ମନୋଜ ଗୋଟିଏ ଗ୍ରୁପ୍‌ରେ ରହିବା କିନ୍ତୁ ଭାରତୀୟ ଦଳ ପାଇଁ ଏକ ଶୁଭଖବର ନୁହେଁ। କାରଣ ଉଭୟ ଆଗକୁ ଯିବା କ୍ଷେତ୍ରରେ ଏହା ଏକ ସମସ୍ୟା ଭାବେ ଉଭା ହୋଇପାରେ।

ସମ୍ବନ୍ଧିତ ଖବର