ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଏବଂ ପାରାବ୍ୟାଡ୍ମିଣ୍ଟନରେ ସଫଳତା ପାଇଥିବା ବିଶ୍ବର ଏକନମ୍ବର ପ୍ରମୋଦ ଭଗତଙ୍କୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ପଦ୍ମଶ୍ରୀ ପ୍ରମୋଦଙ୍କୁ ସ୍ବତନ୍ତ୍ର ସ୍ବୀକୃତି ପୁରସ୍କାର ମିଳିଥିଲା। ଶନିବାର ମୁମ୍ବାଇଠାରେ ସ୍ପୋର୍ଟଷ୍ଟାର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍ ଓ ପ୍ରମୋଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ଏବଂ ମୀରାବାଇ ଚାନୁଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସେହିଭଳି ପାରାଲିମ୍ପିକ୍ ବିଭାଗରେ ସୁନିଲ ଅନ୍ତିଲଙ୍କୁ ଶ୍ରେଷ୍ଠ ପୁରୁଷ ଏବଂ ଅବନୀ ଲେଖାରାଙ୍କୁ ଶ୍ରେଷ୍ଠ ମହିଳା ପୁରସ୍କାର ମିଳିଥିଲା। କାର୍ଯ୍ୟକ୍ରମରେ କ୍ରିକେଟ୍ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ସମେତ ବହୁ କ୍ରୀଡ଼ାବିତ୍, ପ୍ରଶିକ୍ଷକ ଓ ପୂର୍ବତନ କ୍ରୀଡ଼ାବିତ୍ ଉପସ୍ଥିତ ଥିଲେ। ୨୦୦୪ ମସିହାରୁ କିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି। କିଟ୍ ଓ କିସ୍ରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊର୍ଧ୍ବ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି ହୋଇ ପାରିଛନ୍ତି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ କିଟ୍ ଓ କିସ୍ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ କରିବା ସହ ଅଲିମ୍ପିକ୍ ପାଇଁ ମଧ୍ୟ କ୍ରୀଡ଼ାବିତ୍ଙ୍କୁ ସାମିଲ କରିପାରିଛି। କ୍ରୀଡ଼ା କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସ୍ପୋର୍ଟଷ୍ଟାର ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଡକ୍ଟର ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶକ ବରୁଣ ସୁତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ। ଏଥିରେ ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ସ୍ପୋର୍ଟସଷ୍ଟାରକୁ ନିଜର କୃତଜ୍ଞତା ଜଣାଇଛନ୍ତି।
କିଟ୍ ଓ ପ୍ରମୋଦଙ୍କୁ ସ୍ପୋର୍ଟଷ୍ଟାର୍ ପୁରସ୍କାର
/sambad/media/post_attachments/wp-content/uploads/2022/03/54s654sf6hhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)