ଭୁବନେଶ୍ବର: ବିଶ୍ବ ବିଜେତା ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କ ସହ ୫ ଜଣଙ୍କୁ ସ୍ପୋର୍ଟସ ଲଗ୍ ଅନ୍ କ୍ରୀଡ଼ା ପୁରସ୍କାର ମିଳିଛି। ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ଲାଭ କରିଥିଲା ବେଳେ ତାଙ୍କ ଗୁରୁ ଶିବ ପ୍ରସାଦ ଦାସ ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ହାସଲ କରିଛନ୍ତି। କୁନି କରାଟେକା ଯସ୍ମିନ୍ ପାର୍ଥସାରଥୀ ମିଶ୍ର କୁମୁଦିନୀ କ୍ରିଡ଼ା ପ୍ରତିଭା ପୁରସ୍କାର ଏବଂ ବିଗତ ଦିନର ଖେଳାଳି ଭାବେ ଶକ୍ତିଉତ୍ତୋଳିକା ଓ ଭାରୋତ୍ତୋଳିକା ସୌଭାଙ୍ଗିନୀ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଓଡ଼ିଶା ଫୁଟ୍‌ବଲ୍‌କୁ ଜାତୀୟ ସ୍ତରରେ ପରିଚିତ କରାଇଥିବା ଯୁବ ଫୁଟବଲର୍‌ ଶୁଭମ୍ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମିଳିଛି।

Advertisment

ରବିବାର ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୋଟ ୪ ଜଣ ଖେଳାଳି ଏବଂ ଜଣେ ପ୍ରଶିକ୍ଷକଙ୍କୁ ଗୁଡସାମାରିଟାନ୍ ଟ୍ରଷ୍ଟ ପ୍ରଦତ୍ତ ସ୍ପୋର୍ଟସ ଲଗ୍ ଅନ୍ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଯସ୍ମିନ୍ ୧୦,୦୦୦ ଟଙ୍କା ଏବଂ ଅନ୍ୟ ସମସ୍ତଙ୍କ କ୍ରୀଡ଼ା ତାରକାଙ୍କୁ ୨୫,୦୦୦ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ମିଳିଥିଲା। ସମସ୍ତେ ଟ୍ରଫି ଓ ଉପଢୌକନ ସହ ପୁଷ୍ପଗୁଚ୍ଛ ଲାଭ କରିଥିଲେ। ଏହି ଅବସରରେ କ୍ରିଡ଼ା ସଂଗଠକ ନବ ରଂଜନ ପଟ୍ଟନାୟକ, ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପର ମୁଖ୍ୟ ଦିଲ୍ଲୀପ କୁମାର ସାମନ୍ତରାୟ, ଫୁଟବଲ୍ ପ୍ରଶିକ୍ଷକ ନନ୍ଦ କିଶୋର ପଟ୍ଟନାୟକ, ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୁଡ୍ ସାମାରିଟାନ୍ ଟ୍ରଷ୍ଟର ସମ୍ପାଦକ ତନ୍ମୟ ଦାସ, ଭାରତୀୟ ୧୭ ବର୍ଷରୁ କମ୍ ଦଳର ସଦସ୍ୟ, ଗଗଲ ସ୍ପୋର୍ଟସ ଏକାଡେମିର ଅନ୍ତେବାସୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରମୋଦ ଚଳିତ ବର୍ଷ ଲଗାତାର ପାଞ୍ଚଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ମଧ୍ୟ ଆଗାମୀ ଟୋକିଓ ଅଲିମ୍ପିକ୍ସ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କ ଗୁରୁ ଶିବ ପ୍ରସାଦ ନିଜେ ଜଣେ ଅନ୍ତର୍ଜାତୀୟ ଖେଳାଳି ହୋଇଥିଲା ବେଳେ ଓଡ଼ିଶାରୁ ୮ ଜଣ ଅନ୍ତର୍ଜାତୀୟ ପରାବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସୃଷ୍ଟି କରି ପାରିଛନ୍ତି। ୨୦୧୬ରେ କରାଟେ ଖେଳ ଆରମ୍ଭ କରିଥିବା ଯସ୍ମିନ୍ ୨୦୧୭ରେ ଚେନ୍ନାଇଠାରେ ଅନୁଷ୍ଠିତ ନ୍ୟାସନାଲ ଓପନ କରାଟେରେ ନିଜ ବୟସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ଡର୍ବାନରେ ଆୟୋଜିତ ନବମ ରାଜ୍ୟଗୋଷ୍ଠୀ କରା‌ଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଦିଲ୍ଲୀରେ ରହୁଥିବା ଫୁଟବଲର୍‌ ଶୁଭମ ଦିଲ୍ଲୀ ଡାଇନାମସ୍ ଆଇଏସଏଲ୍ ଦଳ ପକ୍ଷରୁ ଖେଳୁଥିଲା ବେଳେ ବିଭିନ୍ନ ବୟସ ବର୍ଗରେ ଭାରତୀୟ ଫୁଟବଲ୍ ଦଳର ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ବକପ୍ ଲାଗି ଘୋଷିତ ସମ୍ଭାବ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ବିଗତ ଦିନର ଖେଳାଳି ପୁରସ୍କାର ଲାଭ କରିଥିବା ସୌଭାଙ୍ଗିନୀ ୯୦ ଦଶକର ଜଣାଶୁଣା ଖେଳାଳି ଥିଲେ। ସେ ଦୌଡ଼କୁଦ ସହ ଭାରୋତ୍ତୋଳନ ଏବଂ ଶକ୍ତିଉତ୍ତୋଳନରେ ମଧ୍ୟ ସଫଳତା ଅର୍ଜନ କରି ଜାତୀୟ ପଦକ ଜିତିଥିଲେ।