ବିଶ୍ବ ଚାମ୍ପିଅନସିପ୍ ଓ ପାରାଲିମ୍ପିକ୍ସ ବିଜେତା ହେବାରେ ପ୍ରଥମ ଭାରତୀୟ
ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ, ମିଶ୍ରିତ ଯୁଗଳରେ ବି ରହିଛି ପଦକ ସୁଯୋଗ
ଟୋକିଓ : ସ୍ମରଣୀୟ ଶନିବାରରେ ସ୍ବର୍ଣ୍ଣିମ ସଫଳତା ଲାଭ କରି ଇତିହାସ ରଚିଛନ୍ତି ଓଡ଼ିଆ କ୍ରୀଡ଼ା ତାରକା ପ୍ରମୋଦ ଭଗତ। ଟୋକିଓ ପାରାଲିମ୍ପିକ୍ସରେ ଶନିବାର ପ୍ରମୋଦ ଏହି ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଓ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବ୍ୟାଡମିଣ୍ଟନ୍ରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ସେ। ସେହିଭଳି ରାଜ୍ୟକୁ ୩୩ ବର୍ଷୀୟ ପ୍ରମୋଦ ମଧ୍ୟ ଆଣିଛନ୍ତି ପ୍ରଥମ ପାରାଲିମ୍ପିକ୍ସ ପଦକ। ତା ସହ ବିଶ୍ବ ଚାମ୍ପିଅନସିପ୍ ଓ ପାରାଲିମ୍ପିକ୍ସରେ ବିଜେତା ହେବାରେ ପ୍ରଥମ ଭାରତୀୟ ହେବାର ବିରଳ ତଥା ଯୁଗଳ କୀର୍ତ୍ତିମାନ କରି ନେଇଛନ୍ତି ସେ। ପାରାଲିମ୍ପିକ୍ସରେ ବ୍ୟାଡ୍ମିଣ୍ଟନ ଏଥର ପଦାର୍ପଣ କରିଥିଲା ବେଳେ ପ୍ରମୋଦ ଏହାର ପ୍ରଥମ ପୁରୁଷ ଏକକ ବିଜେତା ହେବାର ଗୌରବ ବହନ କରିଛନ୍ତି।
ମାତ୍ର ୫ ବର୍ଷ ବୟସରେ ପୋଲିଓ ଆକ୍ରାନ୍ତ ହେବାର ବିରାଟ ପ୍ରତିବନ୍ଧକକୁ ନିଜ ଦୃଢ଼ ଇଚ୍ଛାଶକ୍ତି, ନିରନ୍ତର ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ସାହସର ସହ ଦୂର କରି ବିଶ୍ବବିଜେତା ଓ ପାରାଲିମ୍ପିକ୍ସ ବିଜେତା ହେବାର ଗୌରବ ଭିତରେ କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ପାଲଟି ଯାଇଛନ୍ତି ।

ପ୍ରମୋଦଙ୍କର ଏହି ଅନନ୍ୟ ସଫଳତା ପରେ ସମଗ୍ର ଦେଶ ଏବେ ଉତ୍ସବ ମୁଖର। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଛାତି ଗର୍ବରେ ଫାଟିଯାଉଛି। ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ପ୍ରମୋଦଙ୍କ ଜନ୍ମସ୍ଥାନ ଅତାବିରା ପର୍ଯ୍ୟନ୍ତ ସବୁଠି ପାଳିତ ହୋଇଛି ବିଜୟ ଉତ୍ସବ। ରାଷ୍ଟ୍ରପତି ରାମନାଥ କୋଭିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘‘ପ୍ରମୋଦ ସମଗ୍ର ଦେଶର ହୃଦୟ ଜିତି ନେଇଛନ୍ତି’’ ବୋଲି ମୋଦୀ ଟ୍ବିଟ୍ କରିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଟ୍ବିଟ୍ କରି ପ୍ରମୋଦଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରମୋଦ ପୂର୍ବରୁ ବିଶ୍ବ ଚାମ୍ପିଅନସିପ୍, ଆଇଡବ୍ଲୁଏଏସ୍ ବିଶ୍ବ କ୍ରୀଡ଼ା, ଏସୀୟ ପାରା କ୍ରୀଡ଼ାରେ ବିଜେତା ହୋଇଥିଲେ। ଶନିବାର ନିଜ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା କ୍ୟାରିୟରରେ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଯୋଡ଼ି ଓଡ଼ିଶା କ୍ରୀଡ଼ା ଆକାଶର ନୂଆ ଧୃବତାରା ଭାବେ ଉଭା ହୋଇଛନ୍ତି। ପ୍ରମୋଦଙ୍କ ପାଖରେ ଚଳିତ ଟୋକିଓ ପାରାଲିମ୍ପିକ୍ସରୁ ଆଉ ଏକ ପଦକ ଜିତିବାର ବି ସୁଯୋଗ ବି ରହିଛି। କାରଣ ପଲକ କୋହଲିଙ୍କୁ ସାଥୀ କରି ମିଶ୍ରିତ ଯୁଗଳର କାଂସ୍ୟ ପଦକ ମୁକାବିଲା ପାଇଁ ଟିକେଟ ହାସଲ କରି ନେଇଛନ୍ତି ସେ। ଏହି ମ୍ୟାଚ୍ ରବିବାର ଖେଳାଯିବ।
୪୫ ମିନିଟ୍ର ପ୍ରେରଣାଦାୟୀ ଅଭିଯାନ
ଏସଏଲ୍-୩ ବର୍ଗରେ ବିଶ୍ବର ଏକ ନମ୍ବର ମାନ୍ୟତା ଲାଭ କରିଥିବା ପ୍ରମୋଦ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପୁରୁଷ ଏକକ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ସମଗ୍ର ଦେଶ ଆଶା ରଖିଥିଲା। ସେ ମଧ୍ୟ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଓଡ଼ିଶା ଓ ସର୍ବୋପରି ଭାରତ ପାଇଁ ପ୍ରଥମ ବ୍ୟାଡମିଣ୍ଟନ୍ ଜିତିବାର ନିକଟତର ହୋଇ ଚାଲିଥିଲେ। ଶନିବାର ଥିଲା ତାଙ୍କର ଶେଷ ପରୀକ୍ଷା। ଫାଇନାଲ୍ରେ ସେ ଭେଟିଥିଲେ ଗ୍ରେଟ୍ ବ୍ରିଟେନର ଡାନିଏଲ୍ ବିଥେଲଙ୍କୁ। ବିଥେଲଙ୍କୁ ପୂର୍ବରୁ ଦୁଇ ଥର ହରାଇ ସାରିଥିବାରୁ ଆତ୍ମବିଶ୍ବାସରେ ଭରପୁର ଥିଲେ ପ୍ରମୋଦ। ଯାହା ମ୍ୟାଚ୍ ବେଳେ ବି ଦେଖିବାକୁ ମିଳିଥିଲା। ପ୍ରଥମ ସେଟ୍କୁ ୨୧-୧୪ରେ ଜିତି ନେଇଥିଲେ ସେ। ଦ୍ବିତୀୟ ସେଟ୍ରେ କିନ୍ତୁ ବିଥେଲ କଡ଼ା ଟକ୍କର ଦେଇଥିଲେ। ଏପରିକି ଏକଦା ୮ ପଏଣ୍ଟ୍ ବ୍ୟବଧାନରେ ଆଗୁଆ ହୋଇଯାଇଥିଲେ ଦ୍ବିତୀୟ ସିଡ୍ ବିଥେଲ। ତେବେ ପ୍ରଥମ ସିଡ୍ର ମାନ୍ୟତାକୁ ସାର୍ଥକ କରି ପ୍ରମୋଦ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଅଦମ୍ୟ ସାହସ, ବଳିଷ୍ଠ ଏକାଗ୍ରତା ଓ ଦୃଢ଼ ମନୋବଳର ପରିଚୟ ଦେଇ ଏହାକୁ ୨୧-୧୭ରେ ଜିତି ନେଇ ଇତିହାସ ରଚିଥିଲେ। ପ୍ରଥମ ସେଟ୍କୁ ଜିତିବାକୁ ୨୧ ମିନିଟ୍ ନେଇଥିବା ପ୍ରମୋଦ ଏବଂ ଦ୍ବିତୀୟ ସେଟ୍କୁ ୨୪ ମିନିଟ୍ରେ କରାୟତ କରିଥିଲେ। ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର ଏହି ବର୍ଗର କାଂସ୍ୟ ପଦକ ଜିତିବା ଭାରତ ପାଇଁ ସ୍ମରଣୀୟ ଓ ସ୍ବତନ୍ତ୍ର ଥିଲା। କାଂସ୍ୟ ପଦକ ମୁକାବିଲାରେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨୨-୨୦, ୨୧-୧୩ରେ ହରାଇ ମନୋଜ ଭାରତ ପାଇଁ ଏହି ଖେଳରୁ ଦ୍ବିତୀୟ ପଦକ ଜିତିଥିଲେ।

ଅଭୁଲା ଓ ଐତିହାସିକ କ୍ଷଣ: ପ୍ରମୋଦ
ଟୋକିଓ : ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣିମ ସଫଳତା ହାସଲ କରି କିଂବଦନ୍ତି ପାଲଟି ଯାଇଥିବା ପ୍ରମୋଦ ଭଗତ ନିଜର ଏହି ଐତିହାସିକ ସଫଳତାକୁ ମାତା-ପିତା ଏବଂ ସଂଘର୍ଷମୟ କ୍ରୀଡ଼ା ଜୀବନରେ ସମର୍ଥନ ଓ ସହଯୋଗର ହାତ ବଢ଼ାଇଥିବା ଶୁଭେଚ୍ଛୁମାନଙ୍କୁ ଉତ୍ସର୍ଗ କରିଛନ୍ତି। ସେ କହିଛନ୍ତି ଯେ ଏହି ପଦକ ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ ଓ ସ୍ବତନ୍ତ୍ର। ଓଡ଼ିଶା ଓ ଭାରତ ବର୍ଷକୁ ଗର୍ବିତ କରିଥିବାରୁ ବହୁତ ଖୁସି ଲାଗୁଛି। ମୁଁ ଏଠାରେ ଭାରତବର୍ଷ ଓ ଭାରତୀୟ ବ୍ୟାଡମିଣ୍ଟନ୍ ଜଗତର ପ୍ରତିନିଧିତ୍ବ କରୁଥିଲି। ପାରା ବ୍ୟାଡମିଣ୍ଟନ୍ ପ୍ରଥମ ଥର ପାଇଁ ପାରାଲିମ୍ପିକ୍ସରେ ସାମିଲ ହୋଇଛି। ଏଥିରୁ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ମୋ ପାଇଁ ଅଭୁଲା ଓ ଐତିହାସିକ କ୍ଷଣ ହୋଇଛି। ଦୁଇବର୍ଷ ତଳେ ଜାପାନ ପାରା ବ୍ୟାଡମିଣ୍ଟନ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଁ ଡାନିଏଲ୍ ବିଥେଲଙ୍କୁଠାରୁ ହାରି ଯାଇଥିଲି। ଯାହା ମୋତେ ବହୁତ କିଛି ଶିଖିବାର ସୁଯୋଗ ଦେଇଥିଲା। ଆଜି ସେହି ଷ୍ଟାଡିୟମ୍ ଏବଂ ସେହି ପରିବେଶରେ କିଛି ନୂଆ କରିବି ବୋଲି ଭାବି ପଡ଼ିଆକୁ ଓହ୍ଲାଇଥିଲି। ସେଥିପାଇଁ ରଣନୀତି ବି ପ୍ରସ୍ତୁତ କରିଥିଲି। ଏକାଗତ୍ରାକୁ ଦୋହଲିବାକୁ ଦେଇନଥିଲି। ପୂରା ମ୍ୟାଚ୍ ଜିତିବା ପରିବର୍ତ୍ତେ ପ୍ରତିଟି ପଏଣ୍ଟ୍ ଉପରେ ଜୋର ଦେଇଥିଲି। ମୋ ପାଇଁ ପ୍ରତ୍ୟେକ ପଏଣ୍ଟ୍ ବହୁମୂଲ୍ୟ ଥିଲା। ସ୍ବପ୍ନ ସାକାର ହୋଇଥିବାରୁ ଗର୍ବ ଅନୁଭବ କରୁଛି। ପରିସ୍ଥିତି ଯାହା ହେଲେ ବି ଶାନ୍ତ ରହି ମୋ ଶକ୍ତି ଓ ସାମର୍ଥ୍ୟ ମୁତାବକ ଖେଳି ସଫଳତା ପାଇଲି।