ପ୍ରମୋଦ ଭଗତଙ୍କ ସମ୍ବର୍ଦ୍ଧନା ପର୍ବ: ଗୋଟିଏ ମଞ୍ଚ, ଅନେକ ଅଭିନନ୍ଦନ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ସଂଯୋଗ କରିଥିବା ପ‌ାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କ ଓଡ଼ିଶା ଆଗମନର ଦ୍ବିତୀୟ ଦିନ ମଧ୍ୟ ସମ୍ବର୍ଦ୍ଧନା ପର୍ବ ବ୍ୟସ୍ତତାରେ ବିତିଥିଲା। ଶନିବାର କିନ୍ତୁ ଗୋଟିଏ ମଞ୍ଚରେ ପ୍ରମୋଦଙ୍କୁ ଅନେକ ଅଭିନନ୍ଦନ, ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଗ୍ରହଣ କରିବାକୁ ପଡିଥିଲା। କଳ୍ପନାଛକସ୍ଥିତ ‌ହୋଟେଲ୍‌ ପୁଷ୍ପକରେ ଅନୁଷ୍ଠିତ ଏହି ଉତ୍ସବରେ ଖେଳାଳି, ରାଜନେତା, କ୍ରୀଡ଼ା ପ୍ରଶାସକ, ସାମ୍ବାଦିକ ଏବଂ ପ୍ରଶଂସକମାନେ ଗୋଟିଏ ପରେ ଗୋଟିଏ ପ୍ରମୋଦଙ୍କୁ ସମ୍ବର୍ଦ୍ଧନାରେ‌ ପୋତି ପକାଇଥିଲେ। ରାଜ୍ୟ ଭିନ୍ନକ୍ଷମ କମିସନ୍‌ ଅଧ୍ୟକ୍ଷା ସୁଲୋଚନା ଦାସଙ୍କଠାରୁ ଏହି ପର୍ବ ଆରମ୍ଭ ହୋଇଥିଲା। ଏହା ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଦେବାଶିଷ ନାୟକ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରମୋଦଙ୍କ ଗୁରୁ ଶିବ ପ୍ରସାଦ ଦାସ, କମଲ ଦାସ, ଓଡ଼ିଶା ପାରା ସ୍ପୋର୍ଟସ ସଂଘ ସଭାପତି କମଳାକାନ୍ତ ରଥ, ଉଡ଼ା‌ନ ବ୍ୟାଡମିଣ୍ଟନ୍ ଏକାଡେମି ମୁଖ୍ୟ ଅଶୋକ ମିଶ୍ର, ହୋଟେଲ୍ ପୁଷ୍ପକ ମାଲିକ ଜିତେଶ ଗରାବଡୁ, ଓଡ଼ିଶା ପାରା ‌ପ୍ଲେୟାର୍ସ ଫୋରମ୍‌, ପ୍ରଶଂସିକା ପ୍ରତୀକ୍ଷା ବରିଶଲ, ପ୍ରମୋଦଙ୍କ ଭାଇ ଶେଖର ଭଗତ, ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟଙ୍କ ସହ ବହୁ ପ୍ରଶଂସକ ଓ ପ୍ରଶଂସିକା ପ୍ରମୋଦଙ୍କୁ ଫୁଲତୋଡ଼ା ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଖେଳାଳି, ପ୍ରଶଂସକ, ସାମ୍ବାଦିକମା‌ନେ ସଭିଏଁ ପ୍ରମୋଦଙ୍କ ସହ ସେଲଫି ଓ ଫଟୋ ଉତ୍ତୋଳନ କରି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକର ସ୍ପର୍ଶ ନେବାକୁ ବ୍ୟାକୁଳତା ଦେଖାଇଥିଲେ। ଜୟ ହୋ ସଂଗୀତ ଭିତରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ଶେଷରେ ପ୍ରମୋଦ ନିଜ ବକ୍ତବ୍ୟ ରଖି ଜୀବନର ପ୍ରତିଟି ଚରଣରେ ମିଳିଥିବା ସମର୍ଥନ ଓ ସହାୟତା ଲାଗି ଚିର କୃତଜ୍ଞ ବୋଲି ସ୍ବୀକାର କରି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କ ଭଲ ପାଇବା, ଶ୍ରଦ୍ଧା ଓ ପ୍ରାର୍ଥନା ମହତ୍ବପୂର୍ଣ୍ଣ ଥିଲା। ମୋତେ ଏଭଳି ସମର୍ଥନ ଦେଉଥା’ନ୍ତୁ ମୁଁ ଓଡ଼ିଶାର ସେବା କରିଚାଲିବି ବୋଲି କହିଥିଲେ ଭାବବିହ୍ବଳ ପ୍ରମୋଦ। ପ୍ରମୋଦଙ୍କ ସ୍ବର୍ଣ୍ଣିମ ସଫଳତା ଓଡ଼ିଶା କ୍ରୀଡ଼ାକୁ ବହୁ ଆଗକୁ ନେବ ବୋଲି ସୁଲୋଚନା ଦାସ ପ୍ରକାଶ କରିଥିଲେ। ‘ଗୋଲଡେନ୍ ବୟ’ ପ୍ରମୋଦ ଏବେ ସମସ୍ତଙ୍କ ପାଇଁ ଗର୍ବ, ଗୌରବ, ଆଦର୍ଶ ବୋଲି କହିଥିଲେ ତାଙ୍କ ଅସଲ ଗୁରୁ ଶିବ ପ୍ରସାଦ ଦାସ। ଶନିବାରର ଏହି ମିଳିତ ସମ୍ବର୍ଧନା ଉତ୍ସବ ପୂର୍ବରୁ ପ୍ରମୋଦଙ୍କୁ ଓଡ଼ିଶା ପାରା‌‌ ସ୍ପୋର୍ଟସ ସଂଘ କାର୍ଯ୍ୟାଳୟରେ ମଧ୍ୟ ବନ୍ଦାପନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରେ ସଂଘ ସଭାପତି କମଳାକାନ୍ତ ରଥ ଏବଂ ଉପ ସଭାପତି ଚିତ୍ତରଂଜନ ବରିଶଲ, ଖେଳାଳି ରାଖାଲ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ବପ୍ନ ଦେଖିବା ଶେଷ ହୁଏନି
ଜୀବନରେ ସ୍ବପ୍ନ ଦେଖିବା କେବେ କାହାରି ଶେଷ ହୁଏନି। ମୁଁ ଏସୀୟ, ବିଶ୍ବ ଓ ଅଲିମ୍ପିକ୍ସ ପଦକ ଜିତି ସାରିଥିଲେ ବି ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ପୁଣି ଥରେ ଓଡ଼ିଶା ଓ ଦେଶକୁ ଗୌରବାନ୍ବିତ କରିବାକୁ‌ ସ୍ବପ୍ନ ଦେଖିବି। ଓଡ଼ିଶାକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିବାର ପ୍ରତିଟି ସୁଯୋଗକୁ ହାତଛଡ଼ା କରିବି ନାହିଁ। ପରବର୍ତୀ ୩ ବର୍ଷ ଅନେକ ପ୍ରତିଯୋଗିତା ରହିଥିଲେ ମଧ୍ୟ ମୋ ଟାର୍ଗେଟ୍‌ ରହିବ ପ୍ୟାରିସ୍‌ରେ ସ୍ବର୍ଣ୍ଣ ପଦକ ଜିତିବା। ମିଶ୍ରିତ ଯୁଗଳ ବର୍ଗରେ ପଲକ କୋହଲିଙ୍କୁ ସାଥି କରି ଖେଳି କାଂସ୍ୟ ପଦକ ମୁକାବିଲାରେ ହାରିଯାଇଥିଲି। ପଲକ ଯୁବ ଖେଳାଳି ଥିବାରୁ ଅଭିଜ୍ଞତାର ଅଭାବ ଥିଲା। କିନ୍ତୁ ପ୍ରତିଭା ଥିବାରୁ ସେ ନିଶ୍ଚିତ ଭବିଷ୍ୟତରେ ଭଲ ଖେଳିବେ ବୋଲି ପ୍ରମୋଦ ପ୍ରକାଶ କରିଥିଲେ।

ଦିଲୀପ ତିର୍କି ଓ ତେନ୍ଦୁଲକରଙ୍କ ପ୍ରେରଣା
ଜୀବନରେ ମୁଁ ଦିଲୀପ ତିର୍କିଙ୍କଠାରୁ ଅନେକ କିଛି ଶିକ୍ଷା ଲାଭ କରିଥିଲି। ତାଙ୍କୁ ଦେଖି ଓଡ଼ିଶାରେ ଅନେକ‌ ଖେଳାଳି ଆଗକୁ ବଢ଼ିଛନ୍ତି। ତାଙ୍କ ପ୍ରଦର୍ଶନ ଓ ବ୍ୟକ୍ତିତ୍ବ ମୋତେ ପ୍ରଭାବିତ କରିଥିଲା। ମୋ ଟୋକିଓ ପାରାଲିମ୍ପିକ୍ସ ପଦକ ନିଶ୍ଚିତ ରାଜ୍ୟ ଓ ଦେଶର ଯୁବ କ୍ରୀଡ଼ାବିତ୍‌ଙ୍କୁ ଅନୁରୂପ ଭାବେ ପ୍ରେରିତ କରିବ ବୋଲି ଆଶା ରଖିଛି। ଓଡ଼ିଶାରୁ ଅନେକ ପ୍ରମୋଦ ନିଶ୍ଚିତ ବାହାରିବେ, ଓଡ଼ିଶା ପାରା ସ୍ପୋର୍ଟସ ସଂଘ ଏ ଦିଗରେ କାମ କରୁଛି। କୋଭିଡ୍‌ ପାଇଁ କାର୍ଯ୍ୟକ୍ରମ ପ୍ରଭାବିତ‌ ହୋଇଥିଲେ ମଧ୍ୟ ଏହା ଆଉ ଅଧିକ ସମୟ ନୁହେଁ। ସେହିଭଳି ସଚିନ ତେନ୍ଦୁଲକରଙ୍କଠାରୁ ମୁଁ ବି ଜୀବନରେ ଅନେକ ପ୍ରେରଣା ପାଇଛି। ଭା‌ରତରେ ସବୁ ପିଲା କ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି। ମୁଁ ବି କ୍ରିକେଟ୍‌କୁ ଭଲ ପାଏ ଏବଂ ଦିନେ ଖେଳିଥିଲି। ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପରେ ସଚିନ ତେନ୍ଦୁଲକରଙ୍କ ସହ ଭେଟିବାର ସୁଯୋଗ ମିଳିବା ମାତ୍ରେ ମୁଁ ଦିଲ୍ଲୀରୁ ବିମାନରେ ତୁରନ୍ତ ମୁମ୍ବାଇ ପହଞ୍ଚିଥିଲି। ମନ ଭିତରେ ଥିଲା ଅନେକ ଥର ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ପାଇଁ ସଚିନ ୯୦ରୁ ୧୦୦ ଭିତରେ ଆଉଟ୍ ହୋଇ ଶତକରୁ ବଞ୍ଚିତ ହେଉଥିଲେ, କିଭଳି ରାଗୁନଥିଲେ। ଭେଟିବା ମାତ୍ରେ ମୁଁ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲି। ସେ କହିଥିଲେ, ‘‘ମନରେ ରାଗ ଆସେ ସତ କିନ୍ତୁ ନିଷ୍ପତ୍ତି ତ ନିଷ୍ପତ୍ତି, ଯାହାକୁ ବଦଳାଯାଇପାରିବ ନାହିଁ। ନିଜ ଆଚରଣ ଓ ଆଭିମୁଖ୍ୟରେ ମୁଁ ପରିବର୍ତନ କରିବାକୁ ଚାହେଁନାହିଁ। ତେଣୁ ମୁଁ ପରବର୍ତୀ ଥର ପଡିଆକୁ ଆସିବା ବେଳେ ମୁଁ ଏହି ରାଗର ଉତ୍ତର ଦିଏ।’’ ସଚିନଙ୍କ ଏହି କଥା ମୋତେ ଅତ୍ୟନ୍ତ ପ୍ରଭାବିତ କରିଛି। ଏହାକୁ ମୁଁ ଖେଳ ଜୀବନରେ ଅନୁସରଣ କରିବି ବୋଲି ପ୍ରମୋଦ ପ୍ରକାଶ କରିଥିଲେ।

ବିବାହକୁ ତ୍ୟାଗ
ପ୍ରତିଟି ଖେଳାଳି ବଡ଼ ସଫଳତା ପାଇଁ ନିଶ୍ଚିତ ଜୀବନରେ ଅନେକ କିଛି ତ୍ୟାଗ କରିଥା’ନ୍ତି। ଟୋକିଓ ପାରାଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ କି ତ୍ୟାଗ କରିଥିଲେ ବୋଲି ପ୍ରଶ୍ନ ହେବାରୁ ପ୍ରମୋଦ ହସି ହସି ସଂକ୍ଷେପରେ କହିଥିଲେ ‘ବିବାହ’। ନିକଟ ଭବିଷ୍ୟତରେ କିନ୍ତୁ ସେ ବିବାହ କରିବାର ଯୋଜନା କରିନାହାନ୍ତି ବୋଲି ସ୍ପଷ୍ଟ କରି‌ ଦେଇଥିଲେ। ମୁଁ ଏବେ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକକୁ ନେଇ କିଛି ଦିନ ଜୀଇଁବାକୁ ଚାହିଁବି। ପରେ ବ୍ୟକ୍ତିଗତ ଜୀବନ ଉପରେ ନିଷ୍ପତ୍ତି ନେବି ବୋଲି କହିଥିଲେ ପ୍ରମୋଦ।

ପିତାମାତାଙ୍କୁ ପଦକ ଉତ୍ସର୍ଗ
ନିଜର ଶ୍ରେଷ୍ଠ ସଫଳତାକୁ ପ୍ରମୋଦ ପ୍ରଥମେ ନିଜ ପିତାମାତା, ପରିବାର ଓ ପ୍ରଶିକ୍ଷକଙ୍କୁ ଉତ୍ସର୍ଗ କରିବାକୁ ଚାହିଁବେ‌ ବୋଲି ମତ ଦେଇଥିଲେ। ଯେଉଁମାନେ ମୋତେ ଜନ୍ମ ଦେଇଥିଲେ ମୁଁ ସେମାନଙ୍କ ନିକଟରେ ଚିରଋଣୀ। ଭଲ ମଣିଷଟିଏ ହୋଇପାରିଛି କି ନା ଜାଣିନି। କିନ୍ତୁ ଏଥି ଲାଗି ପ୍ରୟାସ ଜାରି ରଖିଛି। ସଫଳତାର ଶ୍ରେୟ ମୁଁ ନିଶ୍ଚିତ ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କୁ ଦେବି। କମଲ୍ ସାରଙ୍କୁ ମଧ୍ୟ ଶ୍ରେୟ ଯିବ କାରଣ ସେ ହିଁ ମୋତେ ଶିବ ସାରଙ୍କୁ ଭେଟ କରାଇଥିଲେ। ମୋ ‌ଖେଳ ଜୀବନର ଗତିପଥ ଶାଣିତ ହେବା ସହ ବଦଳିଯାଇଥିଲା। ଗାଁ ଲୋକଙ୍କ ଭଲ ପାଇବା ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ମଧ୍ୟ ମୋତେ ସର୍ବଦା ପ୍ରେରିତ କରିଆସିଛି ବୋଲି କହିଥିଲେ ୩୩ ବର୍ଷୀୟ ପ୍ରମୋଦ।

ଉଡ଼ାନ୍‌ରେ ପ୍ରମୋଦଙ୍କ ନାମରେ ସ୍ବତନ୍ତ୍ର କୋର୍ଟ

ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ୟାଡମିଣ୍ଟନ୍ ଭିତ୍ତିଭୂମିର ମାନ୍ୟତା ରଖୁଥିବା ଭୁବନେଶ୍ବର ପଟିଆସ୍ଥିତ ଉଡ଼ାନ୍‌ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ସଫଳତାକୁ ସମ୍ମାନ ଜଣାଇ ଏହାର ଗୋଟିଏ କୋର୍ଟକୁ ପ୍ରମୋଦ ଭଗତଙ୍କ ନାମରେ ନାମିତ କରିବାକୁ ଯାଉଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ଏଠାରେ ମଧ୍ୟ କିଛି ଦିନ ଅଭ୍ୟାସ କରିଥିଲେ। ଏବେ ଦୁବାଇ ପାରା ବ୍ୟାଡମିଣ୍ଟନ୍‌ କାଂସ୍ୟ ପଦକ ବିଜେତା ଦୀପ ରଂଜନ ବିଶୋୟୀ ମଧ୍ୟ ଏଠାରେ ଅଭ୍ୟାସ କରୁଛନ୍ତି। ‘ଉଡ଼ାନ ଏକାଡେମିରେ ଥିବା ୫ଟିରୁ ଆମେ ଗୋଟିଏକୁ ପ୍ରମୋଦ ଭଗତଙ୍କ ନାମରେ ନାମିତ କରିବୁ। ଏହା ଉଡ଼ାନ୍‌ କୋର୍ଟ ଥିବାରୁ ପାରା ଖେଳାଳିମାନେ ଅଭ୍ୟାସ କରିପାରିବେ। ଏହି କୋର୍ଟଟି ମଧ୍ୟ ପାରା ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗିକୃତ ରହିବ’ ବୋଲି ‘ସମ୍ବାଦ’ ସହ କଥା ହେବା ବେଳେ ପ୍ରକାଶ କରିଛନ୍ତି ଏହାର ମୁଖ୍ୟ ଅଶୋକ ମିଶ୍ର।

ସମ୍ବନ୍ଧିତ ଖବର