ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରମୋଦଙ୍କ ୨ ଲକ୍ଷ ଟଙ୍କା ଦାନ: କ୍ୟାରମ ଖେଳି, ଛାତ ଉପରେ ଅଭ୍ୟାସ କରି କଟୁଛି ସମୟ

‘ମୋ ପକ୍ଷରୁ ଛୋଟିଆ ପ୍ରୟାସ, ଅନ୍ୟମାନେ ବି ସହାୟତାର ହାତ ବଢ଼ାନ୍ତୁ’

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ରାଜ୍ୟର ସଫଳତମ ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି, ଆଇପିଏଲ୍ ତାରକା ତଥା ଓଡ଼ିଶା ରଣଜୀ ଦଳର ପ୍ରତିଭାବାନ ଖେଳାଳି ବିପ୍ଳବ ସାମନ୍ତରାୟଙ୍କ ପରେ ରାଜ୍ୟର ତୃତୀୟ କ୍ରୀଡ଼ା ତାରକା ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ଦାନ ଦେଇଛନ୍ତି ସେ। ଗୁରୁବାର ପ୍ରମୋଦ ନିଜସ୍ବ ରୋଜଗାରରୁ ୨ ଲକ୍ଷ ଟଙ୍କା ଅନ୍‌ଲାଇନ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପଠାଇଛନ୍ତି। ସେହିଭଳି ରାଜ୍ୟର ଅନ୍ୟ କ୍ରୀଡ଼ାବିତ୍, ଶିଳ୍ପପତି ତଥା ସାଧାରଣ ଜନତାଙ୍କୁ ଏହି ଘଡ଼ିସଦ୍ଧି ମୁହୂର୍ତ୍ତରେ ଯଥାସମ୍ଭବ ଆର୍ଥିକ ସହାୟତା ଦେବାକୁ ଆହ୍ବାନ କରିଛନ୍ତି। ଏକାଠି ହେଲେ ଆମେ ଏହି ଅପ୍ରତ୍ୟାଶିତ ବିପତ୍ତିର ମୁକାବିଲା କରିପାରିବା ବୋଲି ପ୍ରମୋଦ କହିଛନ୍ତି।

‘ମୋ ପକ୍ଷରୁ ଛୋଟିଆ ପ୍ରୟାସ, ଅନ୍ୟମାନେ ବି ସହାୟତାର ହାତ ବଢ଼ାନ୍ତୁ’
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ସହାୟତା ଦେବା ପରେ ‘ସମ୍ବାଦ’ ସହ କଥା ହୋଇ ପ୍ରମୋଦ କହିଛନ୍ତି ଯେ ରାଜ୍ୟ ସରକାର ମୋ ପାଇଁ ବହୁତ କିଛି କରିଛନ୍ତି। ଓଡ଼ିଶାବାସୀ ଅଜସ୍ର ଭଲ ପାଇବା ଦେଇଛନ୍ତି। ମୋ ପକ୍ଷରୁ ଏହା ଏକ ଛୋଟିଆ ପ୍ରୟାସ। କରୋନା ଭଳି ମହାମାରୀର ମୁକାବିଲା ଲାଗି କିନ୍ତୁ ଆମ ସମସ୍ତଙ୍କୁ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ହେବ। ରାଜ୍ୟର ଅନ୍ୟ କ୍ରୀଡ଼ା ତାରକାଙ୍କୁ ମଧ୍ୟ ଶକ୍ତି ମୁତାବକ ସାହାଯ୍ୟ ସମର୍ଥନ କରିବାକୁ ମୁଁ ଆପଣଙ୍କ ମାଧ୍ୟମରେ ଆହ୍ବାନ କରୁଛି।

କ୍ୟାରମ ଖେଳି, ଛାତ ଉପରେ ଅଭ୍ୟାସ କରି କଟୁଛି ସମୟ
ସଂପ୍ରତି ମୁଁ ଭୁବନେଶ୍ବରରେ ଅଛି। ଘର ଛାତ ଉପରେ ପ୍ରତିଦିନ କିଛି ସମୟ ଅଭ୍ୟାସ କରୁଛି। ଖାଲି ସମୟ କ୍ୟାରମ୍ ଖେଳି, ବ୍ୟାୟାମ କରି କଟୁଛି। ଫିଟ୍ ରହିବା ପାଇଁ ନିର୍ଧାରିତ ଡାଏଟ୍ ପ୍ଲାନ୍ ବି ଅନୁସରଣ କରୁଛି। ଭୁବନେଶ୍ବରରେ ହେବାକୁ ଥିବା ଜାତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ସହ ମୁଁ ଚଳିତ ବର୍ଷ ଖେଳିବାକୁ ଥିବା ଥାଇଲାଣ୍ଡ ଓପନ୍, ଦୁବାଇ ଓପନ୍, ଉଗାଣ୍ଡା ଓପନ୍ ଭଳି ପ୍ରତିଯୋଗିତା ବାତିଲ ହେବା ମୋ ପାଇଁ ଭଲ ଖବର ନଥିଲା। ତଥାପି ଆମକୁ ପରିସ୍ଥିତି ଓ ପରିବେଶକୁ ସମ୍ମାନ ଦେବାକୁ ପଡ଼ିବ। ଅଗଷ୍ଟରେ ମୁଁ ପୁଣି ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବି ବୋଲି ଆଶା ରଖିଛି। ଟୋକିଓ ପାରାଲିମ୍ପିକ୍ସ ଆସନ୍ତାବର୍ଷକୁ ବାତିଲ ହେବାକୁ ପ୍ରମୋଦ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ବ୍ୟକ୍ତିର ଜୀବନ ସହ ସ୍ବାସ୍ଥ୍ୟ ଓ ପରିବାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାରୋନା ଆତଙ୍କ ବେଳେ ଅଲିମ୍ପିକ୍ସ ଭଳି ବୃହତ୍ ପ୍ରତିଯୋଗିତା ଆୟୋଜନ କରି ଆମେ ଖେଳାଳିଙ୍କ ଜୀବନ ସହ ଖେଳି ପାରିବା ନାହିଁ। ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ୨୦୨୧କୁ ଘୁଞ୍ଚିବାକୁ ମୁଁ ସ୍ବାଗତ କରୁଛି।

ସମ୍ବନ୍ଧିତ ଖବର