ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରମୋଦ

ଭୁବନେଶ୍ବର: ବ୍ରାଜିଲର ସାଓ ପୌଲୋରେ ଚାଲିଥିବା ବ୍ରାଜିଲ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଆ ତାରକା ପ୍ରମୋଦ ଭଗତ ଉଭୟ ଏକକ ଓ ମିଶ୍ରିତ ଯୁଗଳ‌ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଏସ୍‌ଏଲ୍‌-୩ ଏକକରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ପ୍ରମୋଦ ୩ଟି ଯାକ ମ୍ୟାଚ୍‌ ଜିତି ଏହି ସ୍ଥାନ ପକ୍କା କରିଥିଲେ। ଗୁରୁବାର ଦୁଇଟି ଏକକ ମ୍ୟାଚ୍‌ରେ ପ୍ରମୋଦ ଯଥାକ୍ରମେ ପେରୁର ଗର୍ସନ ଜୈର ଭର୍ଗାସ ଷ୍ଟାଉନାଉଙ୍କୁ ୨୧-୧୬, ୨୧-୯ରେ ଏବଂ ବ୍ରାଜିଲର ଜୋଆଓ ବତିଷ୍ଟା ଡା’ସିଲ୍‌ଭାଙ୍କୁ ୨୧-୮, ୨୧-୯ରେ ପରାସ୍ତ କରିଥିଲେ। ସେହିପରି ମିଶ୍ରିତ ଯୁଗଳ ଗ୍ରୁପ୍‌‌ ମ୍ୟାଚ୍‌ରେ ପ୍ରମୋଦ ଓ ତାଙ୍କ ସାଥୀ ପଲକ କୋହଲି ୨୧-୧୧, ୨୧-୧୫ରେ ବ୍ରାଜିଲ ଯୋଡ଼ି ୟୁକି ରୋବର୍ତୋ ରଦ୍ରିଗୁଏଜ ଓ ଆଦ୍ରିନେ ସ୍ପିନେଟି ଅଭିଲାଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଅନ୍ୟତମ ଓଡ଼ିଆ ଦୀପ ରଞ୍ଜନ ବିଶୋଇ ଏସ୍‌ଏଲ୍‌-୪‌ ଏକକରେ ବ୍ରାଜିଲର ମାଥ୍ୟୁସ ହେନରିକ୍‌ ଲୋପେସ ଡି’ସୌସାଙ୍କୁ ୨୧-୩, ୨୧-୪ରେ ହରାଇଥିଲେ। ଯୁଗଳରେ ସେ ଓ ତାଙ୍କ ଭାରତୀୟ ଯୋଡ଼ି ମହମ୍ମଦ ଅର୍ବାଜ ଅନ୍‌ସରୀ ୨୧-୪, ୨୧-୩ରେ ମେକ୍ସିକୋ ଯୋଡ଼ି ପାଟ୍ରିସିଓ ଆଲେଜାନ୍ଦ୍ରୋ ଚେଭାରିଆ ଓଲାଭ ଓ ରେକି ଫ୍ରାନ୍‌ସିସ୍କୋ ସିଲରଙ୍କୁ ମାତ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର