ଭୁବନେଶ୍ବର: ବାହାରିନର ମାନମାରେ ଚାଲିଥିବା ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଚମକ ଜାରି ରଖି ୨ଟି (ଏକକ, ଯୁଗଳ) ବର୍ଗର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସୋମବାର ଏକକ‌ ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୦, ୨୧-୧୭ରେ ଭାରତୀୟ ପ୍ରତିଦ୍ବନ୍ଦ୍ବୀ ମନୋଜ ସରକାରଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍‌ରେ ସେ ଭାରତର ଆଉ ଜଣେ ପ୍ରତିଯୋଗୀ ନୀତେଶ କୁମାରଙ୍କୁ ଭେଟିବେ। ‌

Advertisment

ପୁରୁଷ ଯୁଗ‌ଳ ସେମିଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୨୧-୫, ୨୧-୧୬ରେ ଭାରତୀୟ ଯୋଡ଼ି ଦୀପ ରଂଜନ ବିଶୋୟୀ ଓ ମନୋଜ ସରକାରଙ୍କୁ ହରାଇଥିଲେ। ପ୍ରମୋଦ ଓ ସୁକାନ୍ତ ଫାଇନାଲ୍‌ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ତରୁଣ ଓ ନୀତେଶଙ୍କୁ ଭେଟିବେ। ସେମିରେ ପ୍ରମୋଦଙ୍କ ଯୋଡ଼ିଠୁ ହାରିଥିବା ଓଡ଼ିଶାର ଦୀପ କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ‌ତେବେ ମିଶ୍ରିତ ଯୁଗଳରେ ପ୍ରମୋଦଙ୍କ ଅଭିଯାନ ସେମିଫାଇନାଲ୍‌ରେ ଶେଷ ହୋଇଛି। ପ୍ରମୋଦ ଓ ତାଙ୍କ ସାଥୀ ମନୀଷା ରାମଦାସ ୮-୨୧, ୨୧-୧୯, ୧୩-୨୧ରେ ଇଣ୍ଡୋନେସିଆର ହିକମତ ରାମଦାନି ଓ ଲିଆନି ରାତ୍ରୀ ଓକତିଲାଙ୍କଠୁ ହାରି ଯାଇଥିଲେ।